ଅପରେସନ ଅଜୟ

ଇସ୍ରାଏଲ ହମାସ ମଧ୍ୟରେ ଯୁଦ୍ଧ ଏବେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଗଲା ସାତ ଦିନ ମଧ୍ୟରେ ଉଭୟ ପକ୍ଷରୁ ୪୦୦୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ବୋମା ଓ ରକେଟ ମାଡରେ ହଜାର ହଜାର ବଡ ବଡ ଅଟ୍ଟାଳିକା ଧୂଳିସାତ ହୋଇଗଲେଣି । ଲକ୍ଷ ଲକ୍ଷ ଲୋକ ବାସହରା ହୋଇଗଲାଣି । ଯୁଦ୍ଧ ଏବେ ଭୟଙ୍କର ଓ ବିଭତ୍ସ ହେଉଛି ଯେ, ଗଲା ଦେଢବର୍ଷରୁ ଉର୍ଦ୍ଧ୍ୱ ୧ମାସ ଧରି ଲାଗିଥିବା ଋଷ ଯୁକ୍ରେନ ଯୁଦ୍ଧଠାରୁ ବଳିଯାଇଛି । ଆଗକୁ ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧ ଆହୁରି ଭୟଙ୍କରହେବା ଆଶଙ୍କା ରହିଛି, ଏଇଥିପାଇଁ ଯେ, ଇସ୍ରାଏଲ ଏବେ ସ୍ଥଳଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଚଳାଇଛି । ସମ୍ଭବତଃ ଆସନ୍ତା ୪୮ଘଂଟା ମଧ୍ୟରେ ସ୍ଥଳଭାଗରେ ଯୁଦ୍ଧ ଆରମ୍ଭ ହୋଇପାରେ । ଏଥିଲାଗି ୩୦୦ଯୁଦ୍ଧ ଟ୍ୟାଙ୍କ, ୬୦୦ ଲଢୁଆ ଜାହାଜ ଓ ୩ଲକ୍ଷରୁ ଉର୍ଦ୍ଧ୍ୱ ସ୍ଥଳ ସେନାକୁ ଇସ୍ରାଏଲ ସଜାଗ ରଖିଥିବା ରିପୋର୍ଟ ପ୍ରକାଶ ପାଇଛି । ଆମେ ଏହି ସ୍ତମ୍ଭରେ ଉଲ୍ଲେଖ କରିଥିଲୁ ଯେ, ଇସ୍ରାଏଲ-ହମାସ ଲଢେଇ ଯୋଗୁଁ ବିଶ୍ୱ ଏବେ ଦୁଇ ଭାଗ ହୋଇଯାଇଛି । ଇସ୍ରାଏଲକୁ ଆମେରିକା, ବିଟ୍ରେନ, ଫ୍ରାନସ୍ ଜର୍ମାନୀ, ଅଷ୍ଟ୍ରେଲିଆ ୟୁରୋପୀୟ ସମୁଦାୟ ସମେତ କେତେକ ରାଷ୍ଟ୍ର ସମର୍ଥନ କରିଥିବାବେଳେ ହମାସକୁ ବହୁ ମୁସଲିମ ରାଷ୍ଟ୍ର ତଥା ଇରାନ, ଇରାକ, ଯୋର୍ଡାନ, ଲେବନନ, ସିରିଆ, କତାର, ତୁର୍କୀ ଆଜି ରାଷ୍ଟ୍ର ସମର୍ଥନ କରିଛନ୍ତି । ଇସ୍ରାଏଲ ସପକ୍ଷରେ ଆମେରିକା ପ୍ରତ୍ୟକ୍ଷ ଭାବେ ଯୁଦ୍ଧପାଇଁ ସହାୟତା ପଠାଇଥିବା ସମୟରେ ଇରାନ ମଧ୍ୟ ଗାଜା ଉପରେ ଇସ୍ରାଏଲର ଅରକ୍ରମଣ ବନ୍ଦ ନହେଲେ, ଅନ୍ୟ ପଟୁ ଆକ୍ରମଣ କରିବ ବୋଲି ଧମକ ଦେଇଛି ସାଂପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ କଲେ, ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ଆଗକୁ ମଧ୍ୟପ୍ରାଚ୍ୟ ଅର୍ଥାତ ପଶ୍ଚିମ ଏସୀୟ ପରିସ୍ଥତି ଆହୁରି ଅଶାନ୍ତ ହୋଇଯିବ । ଏପରି ସ୍ଥଳେ ବ୍ୟାପକ ଧନ ଜୀବନ ହାନୀର ଆଶଙ୍କାକୁ ଦେଇ ହେଉନାହିଁ । ତେବେ ସବୁଠାରୁ ଉଦ୍‌ବେଗର ବିଷୟ ହେଉଛି ଯେ, ବିଶ୍ୱରେ ଏପରି କେତେକ ସଂଘର୍ଷ ହୋଇଛି । ଯାହାର ପ୍ରଭାବ ଭାରତୀୟଙ୍କ ଉପରେ ପଡିଛି । ରୁଷ-ଯୁକ୍ରେନ ଯୁଦ୍ଧର ପ୍ରଭାବ ଯୁକ୍ରେନରେ ଡାକ୍ତରୀ ଏବଂ ଅମାନ୍ୟ ଉଚ୍ଚ ବୈଷୟିକ ଶିକ୍ଷା ଲାଭ କରୁଥିବା ୧୮ହଜାରରୁ ଉର୍ଦ୍ଧ୍ୱ ଭାରତୀୟ ଛାତ୍ରଛାତ୍ରୀଙ୍କ ଉପରେ ପଡିଥିଲା । ଯେଉଁଥିପାଇଁ କି ଭାରତ ସରକାର ସ୍ୱତନ୍ତ୍ର ବିମାନ ଯୋଗେ ଅପରେସନ ଗଙ୍ଗା ଦ୍ୱାରା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ସ୍ୱଦେଶକୁ ଆଣିଥିଲେ । ଏବେ ଇସ୍ରାଏଲ-ହମାସ ଯୁଦ୍ଧରେ ଭାରତ ଇସ୍ରାଏଲକୁ ସମର୍ଥନ କରୁଛି । ହମାସ ଏକ ଆତଙ୍କବାଦୀ ସଂଗଠନ ହୋଇଥିବାରୁ ଭାରତ ଏହାକୁ ବିରୋଧ କରି ଇସ୍ରାଏଲ ସମର୍ଥନ କରିବା ହେଉଛି ମୂଳ କାରଣ । ଅନ୍ୟପକ୍ଷରେ ଭାରତର ପାଲେଷ୍ଟାଇନ ନୀତି ଅପରିବର୍ତିତ ରହିଛି । ସ୍ୱାଧୀନ, ସାର୍ବଭୌମତ୍ୱ ସ୍ୱତନ୍ତ୍ର ପାଲେଷ୍ଟାଇନ୍ ରାଷ୍ଟ୍ର ଗଠନ ଭାରତ ଚାହେଁ, ଅତୀତରେ ଭାରତ ଇସ୍ରାଏଲକୁ ବିରୋଧ କରି ସ୍ୱତନ୍ତ୍ର ପାଲେଷ୍ଟାଇନ ରାଷ୍ଟ୍ର ଗଠନ ଦାବିକୁ ସମର୍ଥନ କରି ଆସିଥିଲେ । ପାଲେଷ୍ଟାଇନ ନୀତିରେ ଭାରତ ଅଟଳ ଥିବା ନିକଟରେ ବୈଦଶିକ ମନ୍ତ୍ରାଳୟ ସ୍ପଷ୍ଟ କରିଛି । ଇସ୍ରାଏଲରେ ଏବେ ୨୦ହଜାର ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକ ଅଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଭାରତ ସରକାର ‘ଅପରେସନ ଗଙ୍ଗା’ ପରେ ‘ଅପରେସନ ଅଜୟ’ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅପରେସନ ଅଜୟ ଦ୍ୱାରା ସ୍ୱତନ୍ତ୍ର ବିମାନରେ ୨୧୨ ଜଣ ଭାରତୀୟ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଉଦ୍ଧାର କରି ସ୍ୱଦେଶ ଆଣିଛନ୍ତି । ଯେଉଁମାନଙ୍କ ମଧ୍ୟରେ ୯ଜଣ ଓଡିଆ ଅଛନ୍ତି । ସୌଭାଗ୍ୟର କଥା, ଇସ୍ରାଏଲରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ ଅଛନ୍ତି । ଆହୁରି ମଧ୍ୟ ନିକଟରେ ଭାରତୀୟଙ୍କ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ୍ ଯୋଗେ ଆଲୋଚନା କରିଥିଲେ । ତାଙ୍କଠାରୁ ମଧ୍ୟ ଭାରତୀୟଙ୍କ ସୁରକ୍ଷାରେ ଆଶ୍ୱାସନା ପାଇଛନ୍ତି । ତାହା ଭାରତୀୟଙ୍କୁ ଆଶ୍ୱସ୍ତି ଦେଇପାରେ ସତ, ମାତ୍ର ଯଥେଷ୍ଟ ନୁହେଁ । ଏବେ ପଶ୍ଚିମ ଏସିଆର ପରିସ୍ଥିତି ଯେପରି ବିଗିଡିବାରେ ଲାଗିଛି ଏବଂ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଛି, ଏଥିରେ ଇସ୍ରାଏଲ ଶତ୍ରୁ ପକ୍ଷରୁ ନିପତା ଉପରେ ଧ୍ୟାନ ଦେବା ସହ ନିଜ ଦେଶର ନାଗରିକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବ । ବିଦେଶ ନାଗରିକଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଇନପାରିବା ସ୍ୱାଭାବିକ । କେବଳ ଏତିକି ନୁହେଁ, ସଂଘର୍ଷ ଉଗ୍ରରୂପ ନେଲେ, ଇସ୍ରାଏଲର ବିମାନ ବନ୍ଦରଗୁଡିକ ବନ୍ଦ ହୋଇଯିବା ଆଶଙ୍କା ରହିଛି । ତେଣୁ ବିମାନ ଉଡାଣ ବନ୍ଦ ହୋଇଯାଇପାରେ । ଯାହାଫଳରେ ଭାରତୀୟଙ୍କ୍‌ୁ ଉଦ୍ଧାର କରିବା ମୁସ୍କିଲ ହେବା କିଛି ଅମୂଳକ ନହେଁ । ତେଣୁ ବେଳହୁଁ ଭାରତୀୟଙ୍କୁ ଉଦ୍ଧାର କରି ଫେରାଇ ଆଣିବା ବର୍ତମାନ ସମୟରେ ସବୁଠାରୁ ଉତମ ଓ ଶ୍ରେୟସ୍କର କାର୍ଯ୍ୟ ହେବ । କହିବା ବାହୁଲ୍ୟ ଯେ, ଇସ୍ରାଏଲ ଉପରେ ହମାସର ଆକ୍ରମଣ ନେଇ ଯେଉଁଭଳି ରିପୋର୍ଟ ମାନ ପ୍ରକାଶ ପାଇଛି । ତାହା ଅତ୍ୟନ୍ତ ବିଭତ୍ସ ଓ ହୃଦୟ ବିଦାରକ । ଗର୍ଭସ୍ଥ ଶିଶୁ, କଅଁଳା ଶିଶୁଙ୍କୁ ଯେପରି ହମାସ ଆଦି ଆମାନବୀୟ ଭାବେ ହତ୍ୟା କରୁଛି, ଏଥିରୁ ସେମାନେ କେତେ ଯେ, ରକ୍ତମୁଖା ଯଥାଶୀଘ୍ର ଭାରତୀୟଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ଫେରାଇ ଆଣିବା ଜରୁରୀ । କେବଳ ଭାରତୀୟ ନୁହେଁ, ଅନ୍ୟ ଦେଶର ନାଗରୀକଙ୍କୁ ମଧ୍ୟ ଉଦ୍ଧାର କରିବା ଜରୁରୀ । ଅତୀତରେ ରୁଷ-ଯୁକ୍ରେନ ଯୁଦ୍ଧରେ ଭାରତ ଜଣେ ପାକିସ୍ଥାନୀ ଛାତ୍ରଙ୍କୁ ଉଦ୍ଧାର କରି ଯେଉଁ ମାନବୀୟ ମୂଲ୍ୟବୋଧ ପ୍ରଦର୍ଶନ କରିଥିଲା, ତାହାକୁ କେବଳ ପାକିସ୍ଥାନୀବାସୀ ନୁହଁନ୍ତି, ବିଶ୍ୱବାସୀ ଭୂୟସୀ ପ୍ରଶଂସା କରିଥିଲେ । କେବଳ ଇସ୍ରାଏଲ ନୁହେଁ, ଏହାର ପଡୋଶୀ ରାଷ୍ଟ୍ର ତଥା ଲେବାନନ, ସିରିଆ ଯୋର୍ଡାନା, ମିଶର, କାତାରରେ ଥିବା ଭାରତୀୟଙ୍କୁ ଉଦ୍ଧାର କରିବା ଆବଶ୍ୟକ । ଏକ ରିପୋର୍ଟ ଅନୁଯାୟୀ ଉଚ୍ଚଶିକ୍ଷା ଏବଂ ଜୀବିକା ପାଇଁ ଏବେ ଲୋକଲୋଚନରେ ୮୦,୦୦୦ ଭାରତୀୟ ଥିବାବେଳେ ଯୋର୍ଡାନରେ ୨୦ହଜାର, ମିଶରରେ ୪ହଜାର, କାତାରରେ ୭୫ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ପାଇଁ ଚିନ୍ତା କରିବା ଆବଶ୍ୟକ । କାରଣ ଏହି ଦେଶଗୁଡିକର ଏବେ ଇସ୍ରାଏଲର ଟାର୍ଗେଟରେ ଅଛନ୍ତି । ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଜାତିସଂଘ ନୀରବ ଦ୍ରଷ୍ଟା ସାଜିବା ଉଚିତ ନୁହେଁ । ଯୁଦ୍ଧ ବନ୍ଦ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଚିନ୍ତା କରିବା ସମୟ ଏବେ ଆସିଛି । ଅନ୍ୟଥା ତୃତୀୟ ବିଶ୍ୱଯୁଦ୍ଧ ଆଉ ବେଶୀ ଦୂର ନୁହେଁ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ