ଅପହରଣ ପରେ ଧର୍ଷଣ କରାଯାଇଥିବା ନେଇଏସପିଙ୍କ ଦ୍ୱାରସ୍ଥ ହେଲେ ଯୁବତୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ରମ୍ଭା ଥାନା ଅଧିନ ସାବୁଳିଆ ଗ୍ରାମର ଜୈନିଜ ଯୁବତୀଙ୍କୁ ଡିମ୍ବିରିଆ ଗ୍ରାମର ଫକୀର ସାହୁ ଓ ଅନ୍ୟ ଜଣେ ଯୁବକ ଏକ ବାଇକରେ ଟେକି ନେଇ ସିକନ୍ଦରାବାଦ ରେ ତା ସହ ଶାରିରୀକ ସମ୍ପର୍କ ରଖିବା ସହ ତାକୁ ଛାଡି ପଳାଇଥିବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀ ନେଇ ଜୈନକଯୁବତୀ ଏବଂ ତାଙ୍କ ପରିବାର ବର୍ଗ ଶୁକ୍ରବାର ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ରଙ୍କ ନିକଟରେ ଗୁହାରି କରିଛନ୍ତି । ଏନେଇ ସେ ପୂର୍ବରୁ ରମ୍ଭା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ସେ ବାଧ୍ୟ ହୋଇ ଆଜି ଗଞ୍ଜାମ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ଅତିରିକ୍ତ ଏସପି ଶ୍ରୀ ପାତ୍ରଙ୍କୁ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ସାବୁଳିଆ ଗ୍ରାମେ ଜୈନିକ ଯୁବତୀଙ୍କୁ ଡିମ୍ବିରିଆ ଗ୍ରାମର ଫକୀର ସାହୁ ଓ ଅନ୍ୟ ଜଣେ ଯୁବକ ଏକ ବାଇକରେ ବସାଇ ବାଲୁଗାଁ ଷ୍ଟେସନକୁ ନେଇଥିଲେ ଏବଂ ପରେ ସିକନ୍ଦରାବାଦ ବୋଲାରାମ ଛକ ଠାରେ ଏକ ଘରେ ଯୁବତୀ ଜଣକୁ ଛୁରୀ ଦେଖାଇ ତାକୁ ଧର୍ଷଣ କରିଥିଲେ । ଏହା ସହ ଏ କଥା କାହାରିକୁ କହିଲେ ଜୀବନରୁ ମାରି ଦେବାକୁ ଧମକ ଦେବା ସହ ତାକୁ ପୁଣି ବିଶାଖାପାଟ୍ଟଣା ଷ୍ଟେସନ ରେ ଛାଡି ଦେଇଥିଲେ । ପରେ ଯୁବତୀ ଜଣଙ୍କ ନିଜ ଭାଇକୁ ଏନେଇ ଜଣାଇବା ପରେ ତାଙ୍କ ଭାଇ ଯୁବତୀ ଜଣଙ୍କୁ ଉଦ୍ଧାର କରି ଏସଂପର୍କରେ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗ ପତ୍ର କୁ ବଦଳାଇ ଅନ୍ୟ ଏକ ଅଭିଯୋଗ ପତ୍ର ଲେଖିବା ପାଇଁ ରମ୍ଭା ଥାନା ପୋଲିସ୍ ତାଙ୍କୁ ବାଧ୍ୟ କରିବା ସହ ବଦଳା ଯାଇଥିବା ଅଭିଯୋଗ ପତ୍ର ଅନୁସାରେ କୋର୍ଟରେ ବୟାନ ଦେବା ପାଇଁ ବାଧ୍ୟ କରିଥିଲେ ବୋଲି ଯୁବତୀ ଜଣକ ଆଜି ଅତିରିକ୍ତ ଏସପି ଶ୍ରୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଣୁ ତାଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ସେ ଅନୁରୋଧ କରିଛନ୍ତି ।