ଗଞ୍ଜାମ ଜିଲ୍ଲାରେ ଦଶମ ବୋର୍ଡ ପରୀକ୍ଷା ଦେଲେ ୨୫୪ ଜଣ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ
ଛତ୍ରପୁର, (ଦେବଦତ୍ତ ମହାରଣା) :-ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ବୋର୍ଡ ପରୀକ୍ଷା ୨୦୨୧-୨୨ ସମଗ୍ର ରାଜ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶରେ ଏହି ପରୀକ୍ଷା ସକାଳ ୮ଟାରୁ ୧୦ ଟା ଯାଏଁ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରୁ ସର୍ବମୋଟ ୨୫୪ ଜଣ ଦିବ୍ୟାଙ୍ଗ ଶିକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିବା ସୂଚନା ମିଳିଛି । ଓଡିଶା ସରକାରଙ୍କ ନିର୍ଦ୍ଦେଶ ତଥା ମାଧ୍ୟମିକ ଶିକ୍ଷା ପରିଷଦର ପତ୍ର ସଂଖ୍ୟା ୨୯୨, ତା-୧୧.୩.୨୦୨୨ ଅନୁସାରେ ସମସ୍ତ ଦିବ୍ୟାଙ୍ଗ ପରୀକ୍ଷାର୍ଥୀ ଆବଶ୍ୟକ ସୁବିଧା ସୁଯୋଗ ପାଇବାକୁ ସ୍ଥିର ହୋଇଛି । ଗଞ୍ଜାମ ଜିଲ୍ଲାର ଦୃଷ୍ଟିବାଧିତ, ଚଳନ ବାଧିତ ଦିବ୍ୟାଙ୍ଗ ବର୍ଗର ମୋଟ ୭୮ ଜଣ ଶିକ୍ଷାର୍ଥୀ ଉଭୟସହାୟକ ଲେଖାଳି ଓ ଦୁଇଘଣ୍ଟା ପରୀକ୍ଷା ଅବଧିରେ ୪୦ ମିନିଟ୍ ଅତିରିକ୍ତ ସମୟ ଏବଂ ବୌଦ୍ଧିକ ବାଧକ, ଶବଚ୍ଚ ବାଧିତ ସହ ଅନ୍ୟ ଦିବ୍ୟାଙ୍ଗ ବର୍ଗର ମୋଟ ୧୫୯ ଜଣ ଶିକ୍ଷାର୍ଥୀଙ୍କୁ କେବଳ ଆବଶ୍ୟକ ଅତିରିକ୍ତ ସମୟ ପ୍ରଦାନ କରାଯାଇଥିବା ଏବଂ ବାକି ୧୭ ଜଣଙ୍କୁ ଅତିରିକ୍ତ ସମୟ କିମ୍ବା କୌଣସି ଆବଶ୍ୟକତା ନଥିବା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନକୁ ସହଜ ଓ ସରଳୀକରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ଗୋଷ୍ଠୀ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକ ମାନଙ୍କୁ ଭର୍ଚୁଆଲ୍ ବୈଠକ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ବୁଝାଇ କହିଥିବା ବେଳେ ବ୍ଲକସ୍ତରରେ ଅନ୍ୟ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପିତାମାତା, ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀଙ୍କୁ ଗଞ୍ଜାମ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ଓ ସମସ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକ ବୁଝାଇ କହିଥିଲେ । ଦିବ୍ୟାଙ୍ଗ ପରୀକ୍ଷାର୍ଥୀମାନେ ଅଧ୍ୟୟନ କରୁଥିବା ଉଚ୍ଚ ବିଦ୍ୟାଳୟ ଗୁଡିକରେ ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକମାନେ ଦିବ୍ୟାଙ୍ଗ ପାଇଁ ଉପଲବ୍ଧ ଆବଶ୍ୟକ ସୁବିଧା ସୁଯୋଗ ସଂପର୍କିତ ପ୍ରମାଣପତ୍ର ସବୁ ହାସଲ କରିବା କାର୍ଯ୍ୟରେ ମାଧ୍ୟମିକ ଶିକ୍ଷା ପରିଷଦ, ଆଞ୍ଚଳିକ କାର୍ଯ୍ୟାଳୟର ଉପ ସଚିବ ସୁବାସ ଚନ୍ଦ୍ର ବେହେରା ପୂର୍ଣ୍ଣ ସହଯୋଗ କରିଥିଲେ ।


