ଅବସର ନେଲେ ସମସ୍ତଙ୍କ ପ୍ରିୟ ଭିକାରୀ ଭାଇନା ଶିକ୍ଷକ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ସ୍ଥିତ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିକାରୀ ଚରଣ ସ୍ୱାଇଁ ଓରଫ ଛାତ୍ର ଛାତ୍ରୀଙ୍କ ପ୍ରିୟ ଭିକାରୀ ଭାଇନାଙ୍କୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ ତରଫରୁ ଅବସରକାଳୀନ ଭାବ ବିହ୍ୱଳ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ମାଧ୍ୟମିକ ଶିକ୍ଷକ କର୍ମଚାରୀ ସଂଘ ସଭାପତି ଟୁକୁନା ଦୋରା, ତନରଡା ଆର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀ,ବୋରିପଦର ଶାକମ୍ବରୀ ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ନାରାୟଣ ଜେନା, ଦୁଇ ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାଳକୃଷ୍ଣ ସାବତ ଏବଂ ପ୍ରତାପ ଚନ୍ଦ୍ର ଶତପଥୀ,ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନ ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟ ନାରାୟଣ ସାହୁ,ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କ୍ରୀଡ଼ା ଶିକ୍ଷକ ଦୁର୍ଗାପ୍ରସାଦ ଶତପଥୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମାଚରୀ ଏବଂ ପୁରାତନ ଛାତ୍ର ଶିବ ପ୍ରସାଦ, ସନ୍ତୋଷ,ଶଶାଙ୍କ, ଜଗନ୍ନାଥ,ଗୋପାଳ,ରବୀନ୍ଦ୍ର,ଦୀପକ୍ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ସ୍ୱାଇଁଙ୍କୁ ଉପଢୌକନ,ମାନପତ୍ର ଏବଂ ଉପହାର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ I ଏହି ଅବସରରେ ପୁରାତନ ଛାତ୍ର ସଂଗଠନ ତରଫରୁ କେକ୍ କଟାଯାଇଥିଲା I ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିଦ୍ୟାଳୟ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଭିକାରୀଙ୍କର ଉତ୍ସର୍ଗୀକୃତ କର୍ତ୍ତବ୍ୟ ନିଷ୍ଠାକୁ ଉଚ୍ଚ ପ୍ରଶଂସା କରିଥିଲେ I ଏହା ସହ ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ପାଇବା ପଛରେ ଭିକାରୀଙ୍କ ଅବଦାନ ଅତୁଳନୀୟ ଏବଂ ବିଦ୍ୟାଳୟର ପରିବେଶ ଭିକାରୀଙ୍କର ଏକ ମାନସ ପୁତ୍ର ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ I ଅନ୍ୟ ଶିକ୍ଷକ କର୍ମଚାରୀମାନେ ମଧ୍ୟ ଶ୍ରୀ ସ୍ଵାଇଁଙ୍କ ସହ ବିତାଇଥିବା 27 ବର୍ଷର ପ୍ରତିଟି ମୁହୂର୍ତ୍ତକୁ ସ୍ମରଣ କରିବା ସହ ଭାବ ବିହ୍ଵଳ ହୋଇପଡ଼ିଥିଲେ I କାର୍ଯ୍ୟକ୍ରମର ଅନ୍ତିମ ପର୍ଯ୍ୟାୟରେ ଆଦିକନ୍ଦ ସ୍ଵାଇଁ ଏବଂ ଶ୍ୟାମ ସୁନ୍ଦର ବିଷୋୟୀଙ୍କ ନେତୃତ୍ୱରେ ଗାଙ୍ଗପୁର ଶିଶୁ ସଂକୀର୍ତ୍ତନ ମଣ୍ଡଳୀ ଏବଂ ଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଶ୍ରୀ ସ୍ୱାଇଁଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ମଧ୍ୟରେ ପାଛୋଟି ନେଇଥିଲେ I ଆଜିର କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅବନୀ ଷଡଙ୍ଗୀ, ସୀମାଞ୍ଚଳ ଶତପଥୀ,ସୀମାଞ୍ଚଳ ଦାସ, ନିରଞ୍ଜନ ତ୍ରୀପାଠୀ, ଆଶୁତୋଷ ସ୍ୱାଇଁ,ଅମର ପ୍ରଧାନ, ସୁଜାତା ପଣ୍ଡା, କର୍ମଚାରୀ ସୁକାନ୍ତ ବିଷୋୟୀ, ଶ୍ରୀନିବାସ ବିଷୋୟୀ ଏବଂ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସହଯୋଗ କରିଥିଲେ I