ଅଭିଯୁକ୍ତକୁ ସୁରକ୍ଷା ଦାବିରେ ପ୍ରତିବାଦ ଓ ବିକ୍ଷୋଭ
କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ) ସୂଚନା ଅଧିକାର କର୍ମୀ ସୂର୍ଗତ ରଞ୍ଜନ ଦାସ ହତ୍ୟା ଘଟଣାରେ ପୋଲିସର ଅହେତୁକ ନୀରବତା ଓ ହତ୍ୟାକାରୀକୁ ସୁରକ୍ଷା ଦେବା ପାଇଁ ପୋଲିସର ଯାବତୀୟ ଷଡଯନ୍ତ୍ର ବିରୋଧରେ ସୂଚନା ଅଧିକାର କର୍ମୀମାନଙ୍କର ପ୍ରତିବାଦ ଓ ବିକ୍ଷୋଭ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଏକ ପ୍ରତିବାଦ ରାଲ୍ଲୀ ପୂର୍ବାହ୍ନ ୧୧ଟା ସମୟରେ ବାହାରି ସହରର ପୁରୁଣା ବସଷ୍ଟାଣ୍ଡ ଦେଇ ରଣପଡା,ଗରାପୁର କୋଠିଛକ,ଜଜାଙ୍ଗ ଦେଇ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଁଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟ ସୂଚନା ଅଧିକାର ଅଭିଯାନର ସଂଯୋଜକ ପ୍ରଦୀପ ପ୍ରଧାନଙ୍କ ପୈାରହିତ୍ୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ସୂଚନା ଅଧିକାର କର୍ମୀ ରଞ୍ଜୁଲତା ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ, ଭକ୍ତ ଚରଣ ପଲେଇ, ଝିଲି ଦାସ, ନବ ଦାସ, ପ୍ରିୟବତ ଗଡନାୟକ, ଆଇନଜୀବି ପ୍ରଦୀପ କୁମାର ଦାଶ, ଅଧ୍ୟାପକ ଅଜୟ ସାମଲ, ପ୍ରମୋଦ ସ୍ୱାଇଁ, ପ୍ରତାପ ମହାନ୍ତି, ମୃତ ରଞ୍ଜନର ପିତା ଲକ୍ଷ୍ମୀଧର ଦାସ, ଆଳୟ ସାମନ୍ତରାୟ, ଅଶେଷ ଖଟୁଆ, ମମତାମୟୀ ସାମଲ, ଭାଗିରଥୀ ଜେନା, ଦୁଷ୍ମନ୍ତ ଆଚାର୍ଯ୍ୟ, ନଗେନ ଜେନା, ଦ୍ରୈାପଦୀ ରାଉତ, ସଶ୍ମିତା ଦାସ, ନିରୂପମା ମହାନ୍ତି, ଅର୍ଚ୍ଚନା ମହାନ୍ତି, ନିଳିମା ସାହୁ, ସୀତାକାନ୍ତ ନାୟକ, ମନୋଜ ନାୟକ, ସମ୍ପଦ ସ୍ୱାଇଁ, ନିରଞ୍ଜନ ପରିଡା, ପ୍ରମିଳା ସେଠୀ ପ୍ରମୁଖ ରଞ୍ଜନ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତକୁ ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ । ପ୍ରତିବାଦ ସଭା ପରେ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ଏସପିଙ୍କୁ ଭେଟି ଏସମ୍ପର୍କରେ ଆଲୋଚନା କରିବା ସହିତ ପୋଲିସ ଆଉ ବିଳମ୍ବ ନକରି ଅଭିଯୁକ୍ତକୁ ଗିରଫ ସହିତ ଅଭିଯୋଗ ଫର୍ଦ୍ଦ କୋର୍ଟରେ ଦାଖଲ କରିବାକୁ ଅନୁରୋଧ କରିଥିଲେ । କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ସହିତ ପୋଲିସ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଉପସ୍ଥିତ ଥିଲେ ।


