ଅମର ଶହୀଦ୍ ଜୟୀ ରାଜଗୁରୁ
ମହାନ୍ ଶହୀଦ୍ ସଂଗ୍ରାମୀ ଜୟକୃଷ୍ଣ ରାଜଗୁରୁ ମହାପାତ୍ରଙ୍କର ବୀରତ୍ୱ, ନିଷ୍ଠା, ବଳିଦାନ ଏବଂ ଦେଶପ୍ରେମ ଅବିସ୍ମରଣୀୟ । ୧୮୦୪ ମସିହାରେ ଏହା ଥିଲା ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ଏକ ସଂଗଠିତ ସଂଗ୍ରାମ । ପାଇକ ସଂଗ୍ରାମର ଦୁଇଶତ ବାର୍ଷିକୀ ପାଳନ ଅବସରରେ ମହାନ୍ ଶହୀଦ୍ ଜୟୀ ରାଜଗୁରୁଙ୍କ ଦ୍ୱାରା ପରିଚାଳିତ ଇଂରେଜ ଶାସନ ବିରୋଧରେ ସଂଗ୍ରାମକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ କଲାବେଳେ ମନରେ ସ୍ୱତଃ ଖୋରଧାର ବୀର ପାଇକ ଏବଂ ଶହୀଦ୍ ବିପ୍ଳବୀ ଜୟୀ ରାଜଗୁରୁଙ୍କ ମହାନ୍ ସ୍ମୃତି ଉଦ୍ଜୀବିତ ହୁଏ । ଜୟୀ ରାଜଗୁରୁ ଭାରତମାତାର ଯଜ୍ଞବେଦୀରେ ଆତ୍ମୋତ୍ସର୍ଗର ଯେଉଁ ଜ୍ୱଳନ୍ତ ଉଦାହରଣ ସୃଷ୍ଠି କରିଯାଇଛନ୍ତି, ତାହା ଦେଶର ଅଗଣିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ଏକ ମହାନ୍ ଆଦର୍ଶ ରୂପେ ପରିଗଣିତ ହୋଇପାରିଛି । ଅଧିକନ୍ତୁ, ଜୟୀ ରାଜଗୁରୁଙ୍କ ୧୮୦୪ ମସିହା ସଂଗ୍ରାମଟି ଇଂରେଜ ମାନଙ୍କର କୁତ୍ସିତ କୁଟ୍ଟଚକ୍ରାନ୍ତ ଏବଂ ପ୍ରତାରଣା ପୂର୍ଣ୍ଣ ଶାସନ ବିରୋଧରେ, ଇଂରେଜ ସାମ୍ରାଜ୍ୟବାଦ ବିରୋଧରେ ତଥା ଜାତୀୟ ସମ୍ମାନ ସପକ୍ଷରେ ଏକ ସଂଗଠିତ ସଂଗ୍ରାମ ଥିଲା । ଓଡିଶାର ଇତିହାସକୁ ବିଶ୍ଳେଷଣ କଲେ ଜଣାଯାଏ ଯେ ପ୍ରଥମ ରାମଚନ୍ଦ୍ରଙ୍କ ଦ୍ୱାରା ୧୫୬୮ ମସିହାରେ ଭୋଇ ରାଜବଂଶର ପ୍ରତିଷ୍ଠା ହୋଇଥିଲା, ଯିଏ କି ୧୫୭୦ ମସିହାରେ ଖୋର୍ଦ୍ଧାଗଡକୁ ରାଜଧାନୀ ରୂପେ ନିର୍ମାଣ କରିଥିଲେ । ଏହି ରାଜବଂଶରେ କ୍ରମାନ୍ୱୟରେ ୧୨ ଜଣ ରାଜା ଦୀର୍ଘ ୨୨୬ ବର୍ଷ ଧରି (୧୫୬୮-୧୮୦୪) ଶାସନ କରିଥିଲେ । ପାରଳାଖେମୁଣ୍ଡିର ମହାରାଜା ଜଗନ୍ନାଥ ନାରାୟଣ ଦେବ ଯିଏ କି ନିଜକୁ ଗଜପତି ବୋଲି ଅଭିହିତ କରି ଗଙ୍ଗ ରାଜବଂଶର ଦାୟାଦ ରୂପେ ଦାବୀ କରି ଆସୁଥିଲେ, ଯେତେବେଳେ ଖୋର୍ଦ୍ଧାଗଡକୁ ଆକ୍ରମଣ କରିଥିଲେ ସେତେବେଳେ ତତ୍କାଳୀନ ଖୋର୍ଦ୍ଧା ରାଜା ବୀର କିଶୋର ଦେବ ମରହଟ୍ଟା ମାନଙ୍କର ସାହାଯ୍ୟ ନେଇ ତାଙ୍କୁ ପ୍ରତିରୋଧ କରିଥିଲେ । ଏହାର ପ୍ରତି ବଦଳରେ ମରହଟ୍ଟାମାନେ ଏକ ଲକ୍ଷ ମୁଦ୍ରା ଦାବୀ କରିଥିଲେ । ଯୁଦ୍ଧ ପରେ ପାରଳାଖେମୁଣ୍ଡିର ରାଜା ପରାସ୍ତ ହୋଇଥିଲେ, କିନ୍ତୁ ଅର୍ଥନୈତିକ ସଙ୍କଟ କାରଣରୁ ରାଜା ବୀର କିଶୋର ଦେବ ମରହଟ୍ଟା ମାନଙ୍କର ସର୍ତକୁ ରକ୍ଷା କରିପାରି ନଥିଲେ । ଫଳରେ ସେ ତାଙ୍କର ଶାସିତ ଚାରୋଟି ପ୍ରଗଣା ଯଥା ପୁରୀ ନିକଟସ୍ଥ ରାହାଙ୍ଗ, ବ୍ରହ୍ମଗିରି ନିକଟସ୍ଥ ଚବିଶକୁଦ, ସତ୍ୟବାଦୀ ନିକଟସ୍ଥ ସିରାଇ ଏବଂ ଡେଲାଙ୍ଗ ନିକଟସ୍ଥ ଲେମ୍ବାଇ ସବୁକୁ ମରହଟ୍ଟା ମାନଙ୍କୁ ଦେଇଦେଇଥିଲେ । ଏହି ଚାରୋଟି ପ୍ରଗଣା ରାଜାଙ୍କର ରାଜସ୍ୱ ଆଦାୟର ମୂଳାଧାର ଥିଲା, ଯାହାକି ଜଗନ୍ନାଥ ମନ୍ଦିରର ରକ୍ଷଣା ବେକ୍ଷଣା ତଥା ସମସ୍ତ କ୍ରିୟା ପଦ୍ଧତି ପାଇଁ ଖର୍ଚ୍ଚ କରାଯାଉଥିଲା । ଦ୍ୱିତୀୟ ଦିବ୍ୟସିଂହ ଦେବଙ୍କ ସମୟରେ ଜୟୀ ରାଜଗୁରୁ ନିଜର ୪୧ ବର୍ଷ ବୟସରେ (୧୭୩୯ ମସିହା ଅକ୍ଟୋବର ୨୯ ତାରିଖ ପବିତ୍ର ଅଁଳା ନବମୀ ରେ ଜନ୍ମିତ) ୧୭୮୦ ମସିହାରେ ରାଜାଙ୍କର ରାଜଗୁରୁ ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ରାଜା ଦିବ୍ୟସିଂହ ଦେବଙ୍କ ରାଜତ୍ୱ ଅର୍ଥନୈତିକ ସଂକଟ ଦେଇ ଗତି କରୁଥିଲା । ୧୭୯୦ ମସିହାରେ ରାଜାଙ୍କର ମୃତ୍ୟୁ ପରେ ବାହ୍ୟ ଶକ୍ତିଙ୍କ ବଳରେ ତାଙ୍କର ଭାଇ ଶ୍ୟାମ ସୁନ୍ଦର ଦେବ ସିଂହାସନ ଛଡାଇ ନେବା ପାଇଁ ଦାବୀ କରିଥିଲେ । ମାତ୍ର ନ୍ୟାୟବନ୍ତ ଜୟୀ ରାଜଗୁରୁଙ୍କ ଭଳି ରାଜାଙ୍କର ଜଣେ ମହାନ୍ ସମର୍ଥକ ଦିବ୍ୟସିଂହ ଦେବଙ୍କ ନାବାଳକ ପୁତ୍ର ଦ୍ୱିତୀୟ ମୁକୁନ୍ଦ ଦେବଙ୍କୁ ୧୭୯୮ ମସିହାରେ ସିଂହାସନରେ ଅଭିସିକ୍ତ କରାଇବାରେ ସମର୍ଥ ହୋଇଥିଲେ । ଜୟୀ ରାଜଗୁରୁ ନିଜେ ରାଜ୍ୟର ରଜଗୁରୁ ତଥା ପ୍ରଶାସକ ଭାବରେ ଦୈତ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କ ପ୍ରତି ସ୍ୱୟଂ ରାଜା ଏବଂ ମନ୍ତ୍ରୀ ପରିଷଦର ଅକୁଣ୍ଠ ସମର୍ଥନ ରହିଥିଲା, କାରଣ କେବଳ ଜଣେ ରାଜଗୁରୁ ଏବଂ ଶାସ୍ତ୍ରକାର ଭାବରେ ତାଙ୍କର ବିଭିନ୍ନ ଶାସ୍ତ୍ର ଉପରେ ଅଗାଧ ପାଣ୍ଡିତ୍ୟ ନ ଥିଲା, ଜଣେ ଦକ୍ଷ ସୈନିକ ଭାବରେ ଗୁଳିଗୋଳା କମାଣକୁ ପରିଚାଳନା କରିବାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ । ସେତେବେଳର ଖୋର୍ଦ୍ଧା ରାଜ୍ୟର ପରିସୀମା ୧୫୦୦୦ ବର୍ଗ ମାଇଲ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, ଯହିଁରେ ୭୧ଟି ଦୁର୍ଗ ଏବଂ ସୁଦକ୍ଷ ସୈନ୍ୟବାହିନୀ ମଧ୍ୟରେ ଦଳବେହେରା, ଦଳେଇ, ନାୟକ ଏବଂ ପାଇକଙ୍କ ଭଳି ସୈନ୍ୟ ସାମନ୍ତ ରୂପେ ପରିଗଣିତ ହେଉଥିଲେ । ସାମରିକ ବ୍ୟବସ୍ଥାରେ ଦଳବେହେରାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ ଏବଂ ଦଳାଇ, ନାୟକ ପ୍ରଭୃତି ଯଥାକ୍ରମେ ସ୍ୱତନ୍ତ୍ର ସେନାନୀ ତଥା ଗ୍ରାମ ଗୁଡିକରେ ପ୍ରମୁଖ ଭାବରେ ରହୁଥିଲେ । କିନ୍ତୁ ସେନା ବାହିନୀର ପ୍ରମୁଖ ଶକ୍ତି ଥିଲେ ‘ପାଇକ’, ଯେଉଁମାନଙ୍କର ଯୁଦ୍ଧ ସମ୍ବଳିତ କଳା ନୈପୁଣ୍ୟ ହିଁ ତାଙ୍କୁ ସେନାବାହିନୀର ପ୍ରମୁଖତା ପ୍ରଦାନ କରିଥିଲା । ପାଇକର ଆକ୍ଷରିକ ଅର୍ଥ ହେଉଛି ‘ପଦାତିକ’ ଏବଂ ତାଙ୍କ କାର୍ଯ୍ୟ ପଦ୍ଧତି ଇଚ୍ଛାଧିନ ଥିଲେ ମଧ୍ୟ ଆଜ୍ଞାଶୀଳ ଥିଲା । ପାଇକମାନେ ରାଜ୍ୟର ରାଜକୀୟ ସୈନ୍ୟ ନ ଥିଲେ ବି ସେମାନଙ୍କୁ କିଛି ପାରିଶ୍ରମିକ ଦିଆଯାଉନଥିଲା, କିନ୍ତୁ ରାଜା ସେମାନଙ୍କୁ ଚାଷ କାର୍ଯ୍ୟ କରିବା ପାଇଁ କିଛି ଭୂମି ପ୍ରଦାନ କରିଥିଲେ । ବାହ୍ୟ ଶତୃଙ୍କ ଆକ୍ରମଣ ଆଶଙ୍କା କିମ୍ବା ଯୁଦ୍ଧର ଆଶଙ୍କା ବେଳେ ସେମାନଙ୍କୁ ସୈନ୍ୟବାହିନୀରେ ସାମିଲ କରାଯାଉଥିଲା । ଦଳବେହେରା ଏବଂ ଦଳାଇମାନଙ୍କ ଅଧିନରେ ଥିବା ପାଇକ ମାନଙ୍କ ବ୍ୟତୀତ ରାଜାଙ୍କର ପ୍ରାୟ ୧୫୦୦୦ ସ୍ୱତନ୍ତ୍ର ସୈନ୍ୟସାମନ୍ତ ଥିଲେ ଯେଉଁମାନଙ୍କୁ ଜୟୀ ରାଜଗୁରୁ ପ୍ରତ୍ୟକ୍ଷ ଭାବରେ ପରିଚାଳନା କରୁଥିଲେ । ପଦାତିକ ବାହିନୀ ବ୍ୟତୀତ ରାଜାଙ୍କର ୪୦୦୦ ଅଶ୍ୱ ଏବଂ ୨୦୦୦ ହସ୍ତୀ ମଧ୍ୟ ସୈନ୍ୟବାହିନୀରେ ନିୟୋଯିତ ହୋଇଥିଲେ । ଦେଶରେ କେନ୍ଦ୍ରୀୟ ଶାସକଙ୍କର ଦୁର୍ବଳତା ତଥା କ୍ଷୁଦ୍ର କ୍ଷୁଦ୍ର ରାଜବଂଶ ମାନଙ୍କ ମଧ୍ୟରେ ଅନ୍ତଦ୍ୱର୍ନ୍ଦର ସୁଯୋଗ ନେଇ ବ୍ରିଟିସ୍ ଇଷ୍ଟ୍ ଇଣ୍ଡିଆ କଂପାନୀ ତାର ବାଣିଜ୍ୟିକ କାରବାର ସହିତ ନିଜର ରାଜନୈତିକ ଅଭିସନ୍ଧି ଫଳବତୀ କରିବା ପାଇଁ ଯୋଜନା କରିଥିଲା । ଫଳରେ ସେମାନେ ଗୋଟିକ ପରେ ଗୋଟିଏ ରାଜ୍ୟ ଅଧିଗ୍ରହଣ କରିବା ସହିତ କଲିକତା, ବମ୍ବେ ଏବଂ ମାନ୍ଦ୍ରାଜରେ ତାଙ୍କର କେନ୍ଦ୍ର ସ୍ଥାପନା କଲେ । ଉତରରେ ବଙ୍ଗଳା ଠାରୁ ଦକ୍ଷିଣରେ ମାନ୍ଦ୍ରାଜ ପର୍ଯ୍ୟନ୍ତ ପ୍ରତିରୋଧ ବିହୀନ ଜୟଯାତ୍ରା ପାଇଁ ସେମାନେ ଖୋର୍ଦ୍ଧା ଅଂଚଳକୁ ଅଧିକାର କରିବାର ଆବଶ୍ୟକତା ଅନୁଭବ କଲେ । ଚତୁର ଇଂରେଜମାନେ ଖୋର୍ଦ୍ଧାର ଗଜପତି ଦ୍ୱିତୀୟ ମୁକୁନ୍ଦଦେବଙ୍କ ସହିତ ମୁକ୍ତ ଯୋଗାଯୋଗ ପଥ ତଥା ମରହଟ୍ଟା ମାନଙ୍କୁ ପରାସ୍ତ କରିବା ପାଇଁ ସହଯୋଗ କରିବାର ବୁଝାମଣା କଲେ । ଯଦିଓ ଜୟୀ ରାଜଗୁରୁ ଏକ ଦୂରଦର୍ଶୀ ଚିନ୍ତକ ଭାବରେ ଇଂରେଜ ମାନଙ୍କର ଏହି ବୁଝାମଣାକୁ ପ୍ରତିରୋଧ କରିଥିଲେ, କିନ୍ତୁ ପରବର୍ତୀ ସମୟରେ ରାଜାଙ୍କ ଚାପରେ ରାଜି ହୋଇଥିଲେ । ବୁଝାମଣା ପତ୍ର ଅନୁଯାୟୀ ରାଜାଙ୍କୁ ଇଂରେଜ ମାନେ ଏକ ଲକ୍ଷ ଟଙ୍କା ଦେବା ସହିତ ମରହଟ୍ଟା ମାନଙ୍କ କବଳରେ ଥିବା ରାଜା ବୀର କିଶୋର ଦେବଙ୍କ ସ୍ୱପ୍ନର ଚାରୋଟି ପ୍ରଗଣା ଫେରସ୍ତ କରିଦେବା ପାଇଁ ସର୍ତ ରଖିଥିଲେ । ବୁଝାମଣା ଅନୁଯାୟୀ କର୍ଣ୍ଣେଲ ହାରକୋର୍ଟଙ୍କ ନିର୍ଦ୍ଦେଶରେ ଇରେଜ ସେନା ବାହିନୀ ୧୮୦୩ ମସିହା ସେପ୍ଟେମ୍ବର ୧୧ ତାରିଖରେ ଖୋର୍ଦ୍ଧା ଅଂଚଳରେ ପ୍ରବେଶ କଲେ ଏବଂ ୧୭୫୧ରୁ ଓଡିଶାକୁ ଦଖଲ କରିଆସୁଥିବା ମରହଟ୍ଟା ମାନଙ୍କୁ କଟକ ବାରବାଟି ଦୁର୍ଗରୁ ଅକ୍ଟୋବର ୧୪ରେ ବେଦଖଲ କରି ନିଜେ ଅକ୍ତିଆର କରିନେଲେ ।


