ଅମିତ ଆଚାର୍ଯ୍ୟ ହତ୍ୟାକାଣ୍ଡ : ତିନି ଅଭିଯୁକ୍ତ ଗିରଫ
ପୋଲସରା, (ଅନିଲ କୁମାର ମହାରଣା) :ହୋଲିର ପୂର୍ବ ଦିନ ମାର୍ଚ୍ଚ ୧୮ ତାରିଖ ଦିନ ରାତ୍ର ବନ୍ଥପଲ୍ଲୀ ପଞ୍ଚାୟତ, ମୁକ୍ତାମାଳାଦେଇପୁର ଗ୍ରାମର ଅମିତ ଆଚାର୍ଯ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ନିର୍ମମ ଭାବେ ହତ୍ୟା କରିଥିବା ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ସେହି ତିନି ଅଭିଯୁକ୍ତ ହେଲେ ମୁକ୍ତାମାଳାଦେଇପୁର ଗ୍ରାମର ତପନ କୁମାର ଆଚାର୍ଯ୍ୟ, ବାପୁନି ଗୌଡ଼ ଓ ରଞ୍ଜନ କୁମାର ବେହେରା। ରାଜନୈତିକ ହିଂସାକାଣ୍ଡ ଯୋଗୁଁ ବିଜେଡିର ଆଗଧାଡ଼ିର କର୍ମୀ ଅମିତଙ୍କ ଗଳାକାଟି ହତ୍ୟା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି। ଉକ୍ତ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଖୋଜି ପାଇବା ପାଇଁ ଗଂଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର , ପୁରଷୋତ୍ତୋମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ଅନୁସନ୍ଧାନ କରି ଶେଷରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଧାରୁଆ ଅସ୍ତ୍ରକୁ ଖୋଜି ବାହାର କରିବା ପାଇଁ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ସାଙ୍ଗରେ ନେଇ ମୁକ୍ତାମାଳଦେଇପୁର ବିଲ ମଝିରେ ଘୁରି ବୁଲିଥିଲେ । ଶେଷରେ ଅମିତ ଆଚାର୍ଯ୍ୟଙ୍କୁ ଗଳା କାଟି ହତ୍ଯା କରା ଯାଇଥିବା ରକ୍ତରଞ୍ଜିତ ଧାରୁଆ ଅସ୍ତ୍ର କୁ ଅଭିଯୁକ୍ତ ଚିହ୍ନଟ କରିଥିଲା । ହତ୍ୟାକାଣ୍ଡ ରେ ବ୍ୟବହୃତ ହୋଇଥିବା ସେହି ଧାରୁଆ ଅସ୍ତ୍ର କୁ ପୋଲିସ ଘଟଣା ସ୍ଥଳରୁ ଜବତ କରିଥିଲା । ରାଜନୈତିକ ଆକ୍ରୋଶ ରଖି ଅମିତ ଆଚାର୍ଯ୍ୟଙ୍କ ଗଳାକାଟି ହତ୍ଯା କରାଯାଇଥିବା ନେଇ ଶୁକ୍ରବାର ପୋଲସରା ଥାନାରେ ଏକ ପ୍ରେସ୍ ବିବୃତିରେ ସୂଚନା ପ୍ରଦାନ କରିଛନ୍ତି ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର । ସୂଚନା ପ୍ରକାରେ ଅମିତ୍ ଆଚାର୍ଯ୍ୟ ବହୁ ପୂର୍ବରୁ ବିଜେପି ରେ ରହି ଅଭିଯୁକ୍ତ ତିନି ଜଣଙ୍କ ସହ କାର୍ଯ୍ୟ କରୁଥିଲେ । କୌଣସି କାରଣ ଯୋଗୁଁ ଅମିତ୍ ବିଜେପି ତ୍ୟାଗ କରି ବିଜେଡି ରେ ସାମିଲ ହୋଇଥିଲେ। ଯାହା ଫଳରେ ବିଜେପିର ସଂଗଠନ ଦୁର୍ବଳ ହୋଇଥିବା ଯୋଗୁଁ ମୁଖ୍ୟ ଅଭିଯୁକ୍ତ ତପନ କୁମାର ଆଚାର୍ଯ୍ୟ, ବାପୁନି ଗୌଡ଼ ଓ ରଞ୍ଜନ କୁମାର ବେହେରା ତିନିହେଁ ଅମିତ୍ କୁ ଜୀବନରୁ ମାରି ଦେବା ପାଇଁ ହତ୍ଯା ଧମକ ଦେଇଥିଲେ । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଓ ବିଜେପି ର ଦଳୀୟ କାର୍ଯ୍ୟକ୍ରମ କୁ ନେଇ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା । ଏହି ହତ୍ୟା ଘଟଣା ନେଇ ପୋଲସରା ଥାନା କେସ ନମ୍ବର ୧୧୩/୨୨ ରେ ଏକ ହତ୍ଯା ମାମଲା ରୁଜୁ କରି ତଦନ୍ତ ଚାଲୁରହିଥିଲା । ଶେଷରେ ହତ୍ୟାକାଣ୍ଡ ରେ ବ୍ୟବହୃତ ଧାରୁଆ ଅସ୍ତ୍ର ଜବତ ସହ ଅଭିଯୁକ୍ତ ତପନ, ବାପୁନି ଓ ରଂଜନ ତିନି ଜଣଙ୍କୁ କୋର୍ଟ ଚାଲାଣ ହୋଇଥିଲା । ମୁକ୍ତାମାଳଦେଇପୁର ଗ୍ରାମବାସୀ ରାଜନୈତିକ ହିଂସାରେ ଅମିତ୍ ଭଳିଏକ ପରୋପକାରୀ ଯୁବକ ହରାଇ ଥିବା ବେଳେ ସ୍ୱର୍ଗତ ଅମିତଙ୍କ ବାପା ଓ ଭାଇ ହତ୍ୟା କାରୀ ୩ ଅଭିଯୁକ୍ତକୁ ଫାଶୀ ଦେବାକୁ କୋହଭରା କଣ୍ଠରେ କହିଥିଲେ ।