ଅଯୋଧ୍ୟା ରାୟକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ
ଭୁବନେଶ୍ୱର : ସୁପ୍ରିମକୋର୍ଟ ଦେଇଥିବା ବହୁ ଚର୍ଚିତ ଅଯୋଧ୍ୟା ରାୟକୁ ବିରୋଧ କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ସୁପ୍ରିମକୋର୍ଟ ସୁନ୍ନି ୱାକଫ ବୋର୍ଡକୁ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିବାର କୌଣସି ଯଥାର୍ଥତା ନାହିଁ । ଏହି ୫ ଏକର ଜମିରେ ଯେଉଁ ମସଜିଦ ନିର୍ମାଣ ହେବ ଏହା ଆଉ ଏକ ମକ୍କା ହୋଇଯିବ । ଏହା ଆତଙ୍କବାଦର ପ୍ରବେଶ ଦ୍ୱାର ହେବ । ଉତ୍ତର ପ୍ରଦେଶ ଆଉ ଏକ ପାକିସ୍ତାନରେ ପରିଣତ ହୋଇଯିବ । ଶଙ୍କରାଚାର୍ଯ୍ୟ ଆହୁରି କହିଛନ୍ତି, ଶାନ୍ତି ଓ ବିକାଶ ପ୍ରତିଷ୍ଠା ନାଁରେ ହିନ୍ଦୁମାନଙ୍କ ଅସ୍ତିତ୍ୱ ଓ ଆଦର୍ଶକୁ ଭୂଲୁଣ୍ଠିତ କରାଯାଉଛି । ଯାହା ସମଗ୍ର ହିନ୍ଦୁଙ୍କ ପାଇଁ ଏକ ସତର୍କ ଘଣ୍ଟି । ଯେଉଁମାନଙ୍କୁ ଧର୍ମଗୁରୁ ବୋଲି କୁହାଯାଉଛି ସେମାନଙ୍କୁ ଧର୍ମଗୁରୁ ମାନ୍ୟତା ଦେଇଛି କିଏ ବୋଲି ସେ ପ୍ରଶ୍ନ କରିଛନ୍ତି । ରାୟ ବାହାରିବା ପୂର୍ବରୁ ୪ ଧାମ ଶଙ୍କରାଚାର୍ଯ୍ୟମାନଙ୍କ ମତାମତ ଆଦୌ ନିଆଯାଇ ନାହିଁ । ଏପରିକି ମୋ ସହିତ କେହି ମଧ୍ୟ ଆଲୋଚନା କରି ନାହାନ୍ତି କିମ୍ବା ମୋର ପରାମର୍ଶ ନେଇ ନାହାନ୍ତି । ରାଜନେତାମାନେ ନିଜ ସ୍ୱାର୍ଥ ସାଧନ ପାଇଁ ଧର୍ମଗୁରୁ ବନାଇଛନ୍ତି । ରାମଦେବ ବାବା ହେଉଛନ୍ତି ସେମାନଙ୍କ ଧର୍ମଗୁରୁ । ସେମାନେ ମୋତେ ଧର୍ମଗୁରୁ ବୋଲି ମାନନ୍ତି ନାହିଁ । ଶଙ୍କରାଚାର୍ଯ୍ୟମାନଙ୍କୁ ସରକାର ଦବାଇ ରଖିବାକୁ ଉଦ୍ୟମ କରୁଛନ୍ତି । ତେଣୁ ଗଣମାଧ୍ୟମ ଜରିଆରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବାର୍ତ୍ତା ଦେଉଛି କି, ଏଭଳି ଐତିହାସିକ ଭୁଲ ନିଷ୍ପତ୍ତିରୁ ଓହରି ସଂସଦରେ ସ୍ୱତନ୍ତ୍ର ଅଧିବେଶନ ଆଣି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଖାରଜ କରାଯିବା ଆବଶ୍ୟକତା ରହିଛି ବୋଲି ଶଙ୍କରାଚାର୍ଯ୍ୟ ମତ ରଖିଛନ୍ତି ।