ଅଯୋଧ୍ୟା ଶୁଣାଣି ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲାରୁ ଅନ୍ୟତମ: ଜଷ୍ଟିସ୍ ବୋବଡେ
ନୂଆଦିଲ୍ଲୀ: ଖୁବ୍ଶୀଶିଘ୍ର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍ ଏସ୍ଏ ବୋବଡେ କହିଛନ୍ତି ଅଯୋଧ୍ୟା ମାମଲା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ । ଗତ ୪୦ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ ମାମଲାର ଶୁଣାଣି କରୁଥିବା ୫ ଜଣିଆ ଖଣ୍ଡପୀଠର ସଦସ୍ୟ ଅଛନ୍ତି ବୋବଡେ । ସୂଚନାଯୋଗ୍ୟ ଯେ, ରାଜନୀତିକ ଏବଂ ଅନ୍ୟ ପ୍ରସଙ୍ଗ ଦୃଷ୍ଟିରୁ ଏହି ମାମଲା ଦେଶରେ ବେଶ୍ ଚର୍ଚ୍ଚାରେ ରହିଆସିଛି ।
ଏହି ରାୟ ନଭେମ୍ବର ୧୭ ପୂର୍ବରୁ ଅର୍ଥାତ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗାଇ ଅବସର ନେବା ଆଗରୁ ଆସିଯିବ । ଜଷ୍ଟିସ୍ ଏସ୍ଏ ବୋବଡେ ଏହାକୁ ନେଇ କହିଛନ୍ତି, ଅଯାଧ୍ୟ ପ୍ରସଙ୍ଗ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ । ଏପରିକି ଏହା ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ମାମଲା ମଧ୍ୟରୁ ଅନ୍ୟତମ । ଦଶନ୍ଧି ଦଶନ୍ଧି ଧରି ପଡ଼ରହିଥିବା ଏହି ମାମଲାର ଶୁଣାଣି ଗତ ବର୍ଷ ପରଠାରୁ ତ୍ୱରିତ ବେଗରେ ସରିଛି । ଏହା ପୂର୍ବରୁ ମଧ୍ୟସ୍ଥତା ପାଇଁ ମଧ୍ୟ ପ୍ରୟାସ କରାଯାଇଥିଲା । ତେବେ ଏଥିରେ ସଫଳତା ନ ମିଳିବାରୁ ଅଗଷ୍ଟ ୬ ପରଠାରୁ ସବୁଦିନିଆ ଶୁଣାଣି କରାଯାଇଥିଲା । ଏପରିକି ସବୁଦିନିଆ ଶୁଣାଣିର ଅବଧି ଘଣ୍ଟାଏ ବୃଦ୍ଧି କରାଯାଇଥିଲା । ଜଷ୍ଟିସ୍ ବୋବଡେଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇ ସାରିଛନ୍ତି । ସେ ନଭେମ୍ବର ୧୮ରେ ଶପଥ ନେବେ ।