‘ଅରଭାନୀ ସମୟ’ର ଷୋଡ଼ଶ ସ୍ୱନକ୍ଷତ୍ର ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ପାକ୍ଷିକ ସମ୍ବାଦପତ୍ର ‘ଅରଭାନୀ ସମୟ’ର ଷୋଡ଼ଶ ସ୍ୱନକ୍ଷତ୍ର ଉତ୍ସବ ସ୍ଥାନୀୟ ୟୁନିଟ୍-୯ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବାଗ୍ମୀ ତଥା କଂଗ୍ରେସ ସେବା ଦଳର ମୁଖ୍ୟ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଉଦ୍ଘାଟକ ଭାବେ ଶିକ୍ଷାବିତ୍ ବଦ୍ରୀନାଥପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ରାଷ୍ଟ୍ରୀୟ ମାନବ ଅଧିକାର ଆଯୋଗର ସଦସ୍ୟ ମନୋଜ ଜେନା, ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ରଥ ପ୍ରମୁଖ ଯୋଗଦେଇ ସାମ୍ପ୍ରତିକ ସମୟରେ ସମ୍ବାଦପତ୍ର ବହୁ କଣ୍ଟକିତ ପଥ ଦେଇ ଗତି କରୁଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ‘ଦୁର୍ନୀତି ବିରୋଧରେ ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ରରେ ଭାଗ ନେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ଦୁର୍ନୀତି ବହୁ ପୂର୍ବରୁ ସମାଜରେ ରହିଥିଲା ଏବଂ ରହିବ ମଧ୍ୟ । ଏହାକୁ ପ୍ରତିହତ କରିବା ପାଇଁ ସମସ୍ତ ଗଣମାଧ୍ୟମ ଆଗେଇ ଆସିବା ସହିତ ବ୍ୟାପକସ୍ତରରେ ଏହା ବିରୁଦ୍ଧରେ ଜନମତ ସୃଷ୍ଟି କରିପାରିଲେ ଦୁର୍ନୀତିକୁ କିଛି ପରିମାଣରେ କମାଯାଇ ପାରିବ । ଏହି ଅବସରରେ ଅରଭାନୀ ସମୟର ଷୋଡ଼ଶ ସ୍ୱନକ୍ଷତ୍ରକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏଥିସହିତ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ସାମ୍ବାଦିକ ଅଜିତ ଶତପଥୀ, ଆର୍ୟୁବେଦିକ ପଞ୍ଚକର୍ମ ବିଶେଷଜ୍ଞ ଚନ୍ଦନ କୁମାର ଖୁଣ୍ଟିଆ, ପ୍ରିୟବ୍ରତ ବାରିକ, ଶୁଭଲକ୍ଷ୍ମୀ ପାଲ, ସଞ୍ଜୀବନୀ ମହିଳା ମହାସଂଘ ଏବଂ ମା’ ସନ୍ତୋଷୀ ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଲେଖିକା, ସାହିତ୍ୟିକା ମଞ୍ଜୁଳା ତ୍ରିପାଠୀ ପରିଚାଳନା କରିଥିବା ବେଳେ ସମ୍ପାଦକ ରମେଶ କୁମାର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ରୀନା ମହାନ୍ତି, ସୀତାଂଶୁ, ନାରାୟଣ ଖଣ୍ଟିଆ, ସତ୍ୟବ୍ରତ ପ୍ରମୁଖ ପରିଚାଳନା କରିଥିଲେ ।