ଅର୍ଦ୍ଧେନ୍ଦୁ ଦାସ ପାଇଲେ ପ୍ରଥମ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମୃତି ସମ୍ମାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ୟୁନିଟ-୮ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ସ୍ଥଳଠାରେ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୩ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ, ଉତ୍କଳମଣି ଥିଲେ, ସାମ୍ବାଦିକତା, ତ୍ୟାଗ, ସାହିତ୍ୟ, ସମାଜସେବା ତଥା ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ । ଓଡ଼ିଆ ଭାଷା, ସଂସ୍କୃତି ଓ ସାହିତ୍ୟକୁ ପ୍ରାଧାନ୍ୟ ଦେଇ ଉତ୍କଳର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ତାଙ୍କର ଅହରହ ଉଦ୍ୟମ ଥିଲା । ସମାଜସେବାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ଆଜିର ଯୁବପିଢ଼ୀ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହୁଅନ୍ତୁ ଓ ରାଷ୍ଟ୍ରର ସର୍ବାଙ୍ଗ ଉନ୍ନତି କରିବା ପାଇଁ ଆଗେଇ ଆସନ୍ତୁ । ଉକ୍ତ ସ୍ମୃତିଚାରଣ ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସାମ୍ବାଦିକତା, ଭାଷା ଓ ସଂସ୍କୃତି ପାଇଁ ସମ୍ପାଦକ ନ୍ୟୁଜ୍-୭ର ଅର୍ଦ୍ଧେନ୍ଦୁ ଦାସଙ୍କୁ ପ୍ରଥମ ଉତ୍କଳମଣି ଗୋପବନ୍ଧୁ ଦାସ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅଧ୍ୟକ୍ଷଙ୍କ ସହିତ ଅଭିଯାନର ବରିଷ୍ଠ ସଦସ୍ୟ ସୁଧାକର ଶତପଥୀ, ଡମ୍ବରୁଧର ହରଣ ସିଂ, ଅଲେଖ ଜେନା, ମୋହନ ଦଳସିଂ ରାୟ, ସୀତାବଲ୍ଲଭ ମହାପାତ୍ର ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ସମ୍ମାନିତ ଅର୍ଦ୍ଧେନ୍ଦୁ ଦାସ ମତବ୍ୟକ୍ତ କରିଥିଲେ ଯେ, ଉତ୍କଳମଣି ହେଉଛନ୍ତି ସାରା ଓଡ଼ିଶାର ମଉଡମଣି । ତାଙ୍କର ଆଦର୍ଶରେ ଆଜିର ସାମ୍ବାଦିକ, ସମାଜସେବୀ ତଥା ସମସ୍ତବର୍ଗର ବ୍ୟକ୍ତିମାନେ ଅନୁପ୍ରାଣୀତ ହେଲେ ଏକ ନୂତନ ଓଡ଼ିଶା ଗଠନ ହୋଇପାରିବ । ଆମ ରାଜ୍ୟ କିପରି ମଦମୁକ୍ତ ହୋଇପାରିବ ତାହା ଆଜିର ପ୍ରାସଙ୍ଗିକତା । ଗଣମାଧ୍ୟମର ଅଧୁନା ସମୟରେ ସାମାଜିକ କର୍ତ୍ତବ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ଏହି ଅଭିଯାନରେ ଆବାହକ କିଶାନ ବରାଇ ଓ ମୁଖପାତ୍ର ଅରବିନ୍ଦ ତ୍ରିପାଠୀଙ୍କ ସହ ସାମିଲ ହୋଇଥିଲେ ବି ମୂରଲୀଧର, ଲକ୍ଷ୍ମଣ ଦାସ, ମନଜିତ କୌର, ବୁଦ୍ଧିମାନ ନାୟକ, ମନୋରଞ୍ଜନ ବାରିକ, ବିଜୟ ମଲ୍ଲ, ଶରତ କୁମାର ରାଉତ,ଶିବଶଙ୍କର ଡାକୁଆ, ନିରଞ୍ଜନ ସାହୁ, ଉମାଚରଣ ମହାନ୍ତି, ସୀତାଂଶୁ ଶେଖର ମହାରଣା, ମିଟୁ ମହାରଣା, ବ୍ରଜବନ୍ଧୁ ପରିଡା ପ୍ରମୁଖ । ଶେଷରେ ପୂଣ୍ୟାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ଲୋଗାନ ଦିଆଯାଇଥିଲା, ଧନ୍ୟବାଦ ଅର୍ପଣ କରିଥିଲେ ଅଭିଯାନର ଯୁଗ୍ମ ସଂଯୋଜନ ନାରାୟଣ ଚନ୍ଦ୍ର ଓଝା ।