ଅଲଚିକି ଶିକ୍ଷାଦାନ ପାଇଁ ୨୩ଫେବୃଆରୀରୁ ଜନଜାଗରଣ ଯାତ୍ରା କରିବେ ଅର୍ଜୁନ ମୁର୍ମୁ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ):୨୦୧୧ ଜନଗଣନା ଅନୁସାରେ ମୟୂରଭଞ୍ଜ ଜିଲ୍ଲାର ମୋଟ ଜନସଂଖ୍ୟା ୨୫,୧୯,୭୩୮ ମଧ୍ୟରୁ ୧୪,୭୯, ୫୭୯ ଜଣ ହେଉଛନ୍ତି ଆଦିବାସୀ । ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୫୮.୭୨ ପ୍ରତିଶତ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ମାତ୍ର ପ୍ରକୃତିର ଏହି ସନ୍ତାନଗଣ ଅଧିକାଂଶ ସଚେତନ ନୁହନ୍ତି ନିଜର ଅଧିକାର ବିଷୟରେ । ଆଦିବାସୀ ମାନଙ୍କର ବିକାଶ ପାଇଁ ମାଳମାଳ ଯୋଜନା ପ୍ରଣୟନ ହେଉଛି । ମାତ୍ର କିକାଶଠାରୁ ଅନେକ ଦୂରରେ ଅଛନ୍ତି ଆଦିବାସୀ । ଅନେକ ସମସ୍ୟାରେ ଜର୍ଜରିତ ହେଉଛନ୍ତି ଜିଲ୍ଲାର ବସବାସ କରୁଥିବା ଆଦିବାସୀ ଲୋକେ । ଜିଲ୍ଲାରେ ସାନ୍ତାଳ, ମୁଣ୍ଡା, ହୋ ଭଳି ଅନେକ ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ସାନ୍ତାଳୀ ହେଉଛନ୍ତି ମୁଖ୍ୟ ଆଦିବାସୀ ଗୋଷ୍ଠୀ , ତାଙ୍କର ଭାଷା ଭାରତୀୟ ସମ୍ବିଧାର ସ୍ୱୀକୃତି ପ୍ରାପ୍ତ ଭାଷା ଅଟେ ଏବଂ ଏହାର ସ୍ଵତନ୍ତ୍ର ଲିପି “ଅଲଚିକି” ରହିଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ସାନ୍ତାଳୀ ଭାଷା ପାଇଁ ଅଲଚିକି ଲିପିକୁ ହିଁ ସ୍ଵୀକୃତୀ ପ୍ରଦାନ କରିଛନ୍ତି । ତେବେ ଶିକ୍ଷା ବ୍ୟବସ୍ଥାରେ ଏବେ ବି ପଛୁଆ ହୋଇ ରହିଛନ୍ତି ଆଦିବାସୀ ଲୋକେ । ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ସୃଷ୍ଟି ଅଲଚିକି ଲିପି ପ୍ରତି ରାଜ୍ୟ ସରକାର କ୍ରମାଗତ ଅବହେଳା କରିଚାଲିଛନ୍ତି । ଏ ବର୍ଷ ହେଉଛି ଅଲଚିକିର ବର୍ଷ, ଅଲ ଚିକିର ୧୦୦ ବର୍ଷ ପୂର୍ତ୍ତି ଅବସରରେ “ମିଶନ ଅଲଚିକି – ୨୦୨୫” କୁ ସଫଳ କରିବା ପାଇଁ ବିରାଟ ଅଲଚିକି ଆନ୍ଦୋଳନ ସୃଷ୍ଟି କରାଯିବ । ବାରମ୍ବାର ଆନ୍ଦୋଳନ ପରେ ଏଥିପ୍ରତି ଧ୍ୟାନ ଦେଉ ନ ଥିବାରୁ ପ୍ରତିବାଦରେ ଆସନ୍ତା ୨୩ ତାରିଖରୁ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରୁ ଜନଜାଗରଣ ଯାତ୍ରା ଆରମ୍ଭ କରିବେ । ତେଣୁ ମିଶିନ୍ ଯାତ୍ରାର ସଫଳତା ନିମନ୍ତେ କୁଆବୁଡ଼ା ବିଦୁଚାନ୍ଦାନ ଗାଳ୍ ରେ ପାରମ୍ପରିକ ଆଦିବାସୀ ବସ୍ତ୍ର ପରିଧାନ କରି ପୂଜାର୍ଚ୍ଚନା କରିବା ସହ ଶପଥ ଗ୍ରହଣ କରିଛନ୍ତି । ବାରିପଦା ନିକଟସ୍ତ ବେତନା ଗ୍ରାମପଞ୍ଚାୟତରୁ ଏହି ଯାତ୍ରା ଆରମ୍ଭ କରାଯିବ । ପ୍ରକାଶ ଥାଉକି ପୂର୍ବରୁ ମାରିସା ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁ ଅଲଚିକି ଲିପିରେ ଶିକ୍ଷାଦାନକୁ ସୁନିଶ୍ଚିତ କରିବା ଦାବିରେ ତିରିଂରୁ ଭୁବନଶ୍ଵେର ସାଇକାଲ ଯାତ୍ରା ଏବଂ ବାରିପଦାରୁ ଭୁବନେଶ୍ଵର ପଦଯାତ୍ରା କରି ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାରିସାର ଦାବୀ ଗୁଡିକ ମଧ୍ୟରେ ପ୍ରାଥମିକସ୍ତରରୁ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ଅଲଚିକି ଶିକ୍ଷାଦାନ ସୁନିଶ୍ଚିତ, ମୟୂରଭଞ୍ଜରେ ସାନ୍ତାଳୀ ଶିକ୍ଷା ପରିଷଦ ବା ସାନ୍ତାଳୀ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟର ନାମ ଫଳକରେ ଉଭୟ ଓଡିଆ, ଇଂରାଜୀ ସହିତ ଅଲଚିକିରେ ଲେଖାଯିବା, ସାନ୍ତାଳୀ ସାହିତ୍ୟ ଏକାଡେମୀ ଖୋଲିବା, ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ ଟ୍ରାଇବାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା, ସାନ୍ତାଳୀ ସଙ୍ଗୀତ ନାଟକ ଏକାଡେମୀ, ସୁନାରାମ ସୋରେନ ସାନ୍ତାଳୀ ପାଠାଗାର ପ୍ରତିଷ୍ଠା କରାଯିବା, ଓଡିଶାରେ ସାନ୍ତାଳୀ ଭାଷାକୁ ଦ୍ଵିତୀୟ ରାଜ୍ୟ ଭାଷା ବା ସଂଖ୍ୟାଲଘୁ ଭାଷାର ମାନ୍ୟତା ପ୍ରଦାନ ଆଦି ପ୍ରସଙ୍ଗ ରହିଛି। ଯେ ପର୍ଯ୍ୟନ୍ତ ଦାବୀଗୁଡିକ ପୂରଣ ନ ହେଇଛି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ଜାରି ରହିବ ବୋଲି ମାରିସା ରାଜ୍ୟ ସଭାପତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ