ଅଲଣାହାଟ ପ୍ରାଣୀଧନ ସହାୟକ କେନ୍ଦ୍ରରୁ ଚୋରି ଅଭିଯୋଗ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍ନ):ନାଉଗାଁ ଥାନା ଅନ୍ତର୍ଗତ ଅଲଣାହାଟ ପ୍ରାଣୀଧନ ସହାୟକ କେନ୍ଦ୍ରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା କେନ୍ଦ୍ର ନିରୀକ୍ଷକ ଅନ୍ନପୂର୍ଣ୍ଣ ଦାସ ବୁଧବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ କେହି ଦୁବୃତ ରାତିରେ କେନ୍ଦ୍ରର ସମସ୍ତ ତାଲା ଭାଙ୍ଗି ଭିତରେ ଥିବା ମାଇକ୍ରୋସ୍କୋପ, ମେଡିସିନ, କେତେକ ଜରୁରୀ ଯନ୍ତ୍ରପାତି ସହିତ କାଗଜପତ୍ର ନେଇ ଯାଇଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ଏଏସଆଇ ଅଶୋକ କୁମାର ମହାନ୍ତି ଘଟଣାସ୍ଥଳରେ ପହଁଚି ତଦନ୍ତ କରି ଫେରିଛନ୍ତି । ଖବର ଲେଖା ହେଲା ବେଳକୁ କୌଣସି ମାମଲା ରୁଜୁ କରାଯାଇ ନଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଯେ ଏକ ସପ୍ତାହ ତଳେ ଅଲଣାହାଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନୁରୁପ ଭାବେ ଗେଟ ତାଲା ଭଙ୍ଗା ଯାଇ କେନ୍ଦ୍ର ଭିତରେ ଥିବା ଇନଭେଟର ଓ ବ୍ୟାଟେରୀ ଚୋରି ଯାଇଥିଲା । ସେହିପରି କିଛି ଦିନ ତଳେ ଅଲଣା ସେବା ସମବାୟ ସମିତିର ଗ୍ରିଲ ଭଙ୍ଗା ଯାଇ ଚୋରି ହୋଇଥିବା ବେଳେ ଗ୍ରାମ ପଂଚାୟତ କାର୍ଯ୍ୟାଳୟର ତାଲା ଭଙ୍ଗା ଯାଇ କାର୍ଯ୍ୟାଳୟ ଭିତରେ ଥିବା କମ୍ପୁଟର ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଚୋରି ଯାଇଥିଲା । କିନ୍ତୁ ବାରମ୍ବାର ନିଦିଷ୍ଟ ଉକ୍ତ ସ୍ଥାନରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରୁ ଚୋରି ହେଉଥିବା ବେଳେ ପୋଲିସ ଏହାର କୌଣସି ସୁରାକ ପାଇ ପାରିନାହିଁ । ଏହି ଅଂଚଳରେ ବ୍ରାଉନସୁଗାର ସମେତ ବିଭିନ୍ନ ନିଶାଦ୍ରବ୍ୟର ବହୁଳ ଭାବେ ଚୋରା ବେପାର ଚାଲୁଥିବାରୁ ବିଭିନ୍ନ ଆଡୁ ଯୁବକ ମାନେ ନିଶା ଖାଇବା ପାଇଁ ଆସୁଛନ୍ତି । ଉକ୍ତ ଯୁବକମାନେ ନିଶା ଖାଇବା ପରେ ଏପରି କାର୍ଯ୍ୟ ଘଟାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟପଟରେ ଏହି ଅଂଚଳରେ ପୋଲିସ ପକ୍ଷରୁ ପେଟ୍ରୋଲିଂ ଠିକ ଭାବେ ହେଉ ନଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ବାରମ୍ବାର ଚୋରି ହେଉଥିବା ବେଳେ ପୋଲିସ କାହାରିକୁ ନ ଧରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟରେ ଥାନାଧିକାରୀଙ୍କୁ ପଚାରିବାରୁ ଅଭିଯୋଗ ପାଇବା ପରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରାଯାଇଛି । ଅଭିଯୋଗକୁ ଭିତି କରି ମାମଲା ରୁଜୁ କରାଯିବ । ପେଟ୍ରୋଲିଂ ପାଇଁ ହୋମଗାର୍ଡ କାର୍ଯ୍ୟ କରୁଥିବା ବେଳେ ଥାନା ପକ୍ଷରୁ ମଧ୍ୟ ରାତିରେ ପେଟ୍ରୋଲିଂ କରାଯାଉଛି ବୋଲି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ