ଅଶୀରେ ବସନ୍ତ ଉତ୍ସବରେ ବସନ୍ତ ଦାସଙ୍କୁ ସାମ୍ବାଦିକ ଶିରୋମଣି ସମ୍ମାନ ପ୍ରଦାନ
ଭୁବନେଶ୍ୱର,(ଯୁଗାବ୍ଦ ) : ଅଶୀରେ ବସନ୍ତ ଉତ୍ସବ କମିଟି ପକ୍ଷରୁ ବରିଷ୍ଠ ତଥା ବିଶିଷ୍ଟ ସାମ୍ବାଦିକ ବସନ୍ତ ଦାସଙ୍କୁ ସାମ୍ବାଦିକ ଶିରୋମଣୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି ।
ଆଜି ପୂର୍ବାହ୍ନରେ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ସମ୍ମିଳନୀ କକ୍ଷରେ ଏକ ମନୋଜ୍ଞ ପରିବେଶରେ ଅଶିରେ ବସନ୍ତ ଉତ୍ସବକୁ ପ୍ରଦୀପ ପ୍ରଜଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରି ବିଶିଷ୍ଟ ଜନନେତା ନରସିଂହ ମିଶ୍ର କହିଲେ ଯେ, ବସନ୍ତ ବାବୁଙ୍କ ଜୀବନର ଇତିହାସ, ଓଡ଼ିଶାର ୬୦ ବର୍ଷର ରାଜନୈତିକ ଇତିହାସ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ହାସଲ କରି, ଯୁବକମାନେ ଯେତେବେଳେ ସରକାରୀ ଚାକିରୀ ପଛରେ ଗୋଡ଼ାଉଥିଲେ, ସେତିକିବେଳେ ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ସାମ୍ବାଦିକତାକୁ କେବଳ ପେଶା ନୁହେଁ ନିଶା ଭାବେ ଗ୍ରହଣ କରିଥିଲେ ।ସଭାରେ ପୌରହିତ୍ୟ କରି ଜନନେତା ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ, ଓଡ଼ିଶାରେ ଯେଉଁ କେତେଜଣ ସାଲିସ୍ ବିହୀନ ସାମ୍ବାଦିକ ଥିଲେ ବା ଅଛନ୍ତି ସେମାନଙ୍କ ମଧ୍ୟରେ ବସନ୍ତ ବାବୁ ଏକ ନମ୍ବରରେ ରହିବେ । ସମସାମୟିକ ସମାଜର ସେ ଜଣେ ଚଳିନ୍ତ ଇତିହାସ । ନୂତନ ଯୁବପିଢୀ ତଥା ଯେଉଁମାନେ ସାମ୍ବାଦିକତାକୁ ପେଶା କରିବାକୁ ବାହାରିଛନ୍ତି ସେମାନେ ବସନ୍ତ ବାବୁଙ୍କ ଜୀବନକୁ ଅନୁଧ୍ୟାନ କରିବା ଉଚିତ୍ ।
ସମ୍ମାନିତ ଅତଥି ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ବସନ୍ତ ବାବୁ କେବଳ ସାମ୍ବାଦିକତାରେ ସୀମାବଦ୍ଧ ନୁହଁନ୍ତି, ସେ ତାଙ୍କ କୃତି ସାହିତ୍ୟ କ୍ଷେତ୍ରରେ ମଧ୍ୟ ପ୍ରଦର୍ଶନ କରିଛନ୍ତି । ଅନ୍ୟତମ ଅତଥି ବିଶିଷ୍ଟ ବୁଦ୍ଧିଜୀବୀ ପୂର୍ବତନ କୁଳପତି ଡ଼ଃ ବିମଳେନ୍ଦୁ ମହାନ୍ତି କହିଲେ ଯେ, ବସନ୍ତ ବାବୁଙ୍କୁ ମୁଁ ଛାତ୍ର ଅବସ୍ଥାରୁ ଲକ୍ଷ୍ୟ କରିଛି, ଜଣେ ଛାତ୍ର ନେତା ଭାବେ ସେ ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ଯେ କେହି ଭାବିବ, ସେ ପରବର୍ତ୍ତୀ ଜୀବନରେ ଜଣେ ରାଜନେତା ହେବେ । କିନ୍ତୁ ସ୍ୱଗର୍ତ ଜାନକୀ ବଲ୍ଲଭ ପଟ୍ଟନାୟକ, ଡ଼ଃ ହରେକୃଷ୍ଣ ମହତାବ ଓ ବୀରେନ ମିତ୍ରଙ୍କ ଆଦର୍ଶ ତାଙ୍କୁ ସାମ୍ବାଦିକ ବୃତ୍ତି ପାଇଁ ପ୍ରେରଣା ଦେଇଥିଲା । ସଭାରେ ପ୍ରାରମ୍ଭରେ ବିଶିଷ୍ଟ ବୈଦିକ ବିଦ୍ୱାନ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଓ ବରିଷ୍ଠ ସମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ପ୍ରାରମ୍ଭରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ ଆଶୀର୍ବାଦ ଦେଇଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ରାଜନେତା ନିରଞ୍ଜନ ପଟ୍ଟନାୟକ, ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ବିଜୟ ମହାପାତ୍ର, ପଞ୍ଚାନନ କାନୁନ୍ଗୋ, ଜଗନ୍ନାଥ ପଟ୍ଟନାୟକ, ଡ଼ାକ୍ତର ଜଗନ୍ନାଥ ମହାପାତ୍ର, ବରିଷ୍ଠ ପ୍ରଶାସକ ସଞ୍ଜୀବ ହୋତା, ଡଃ ଭଗବାନ ପ୍ରକାଶ, ଡ଼ି. କେ. ରାୟ ପ୍ରମୁଖ ବସନ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅଶୀରେ ବସନ୍ତ ଉତ୍ସବ କମିଟି ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଶ୍ରୀ ବସନ୍ତ ଦାସଙ୍କୁ ସାମ୍ବାଦିକ ଶିରୋମଣି ସମ୍ମାନ ପ୍ରଦାନ କରିଥିଲେ । ଏହି ଅବସରରେ କଳିଙ୍ଗ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡଃ ବଦ୍ରୀନାଥ ପଟ୍ଟନାୟକ, ଓଡ଼ିଶା ସାମନ୍ତ ପରିଷଦ ପକ୍ଷରୁ ରବୀନ୍ଦ୍ରନାଥ ମହାନ୍ତି, ଭାରତୀୟ ବୁଦ୍ଧ ସମିତି ପକ୍ଷରୁ ଡଃ ସୌରେନ୍ଦ୍ର ମହାପାତ୍ର, ପ୍ରୟାସ ପକ୍ଷରୁ ବନ ମହାନ୍ତି, ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆରତୀ ଜେନା, ଚିନ୍ତା ଚେତନା ପକ୍ଷରୁ ସୁରେନ୍ଦ୍ର ଦାସ, ମହତାବ ଏକାଡ଼େମୀ ପକ୍ଷରୁ କାଦମ୍ବିନୀ କର, ସ୍ୱାମୀ ବ୍ରହ୍ମାନନ୍ଦ ଟ୍ରଷ୍ଟ ପକ୍ଷରୁ ଭବାନୀ ରାଉତ, ସୁଖଧାମ ବୃଦ୍ଧାଶ୍ରମ ପକ୍ଷରୁ ଦେବଯାନୀ ରାୟ, ଆର୍ଯ୍ୟ ସମାଜ, ହାପି ଲିଭିଙ୍ଗ ଫାଉଣ୍ଡେସନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଘ, ବିଜୁ ପଟ୍ଟନାୟକ କମ୍ପୁଟର ଏକାଡ଼େମୀ, ପୂର୍ଣ୍ଣାଙ୍ଗ ଉତ୍କଳନ୍ୟାସ, ସତ୍ୟସାଇ ଲୋକସେବା ଟ୍ରଷ୍ଟ, ମହାତ୍ମା ଗାନ୍ଧୀ ଐତିହ୍ୟ ଟ୍ରଷ୍ଟ, ଓଡ଼ିଶା ସ୍ୱାଧୀନ ଓକିଲ ସଂଘ, ଯୁବ ଅଭିଯାନ, ରାମରାଜ୍ୟ ପରିଷଦ ପକ୍ଷରୁ ପ୍ରଫେସର ବ୍ରଜବନ୍ଧୁ ପଣ୍ଡା, ଡଃ ମନୋଜ ଲେଙ୍କା, କୈଳାସ ମିଶ୍ର, ନିରଦ ଖୁଣ୍ଟିଆ, ସୀତା ବଲ୍ଲଭ ମହାପାତ୍ର, ପର୍ଶୁରାମ ଦ୍ୱିବେଦୀ, ପ୍ରଫେସର ବୁଦ୍ଧଦେବ ମିଶ୍ର, ଅମୀୟ ପାଣ୍ଡବ, ଆନନ୍ଦ ପଟ୍ଟନାୟକ, ରସିକଚାନ୍ଦ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟ ସଂଗଠକ ବିଜୟ ସିଂହ ପ୍ରମୁଖ ଶ୍ରୀ ଦାସଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।