ଅଶୋକାଷ୍ଟମୀ ରଥଯାତ୍ରା
ବିପିନବିହାରୀ ମହାନ୍ତି
ଶୈବପୀଠ ଭୁବନେଶ୍ୱର । ଏ ଜାଗାର ଅଧିଷ୍ଠାତା ଦେବ ହେଉଛନ୍ତି ଏକ୍ରାମେଶ୍ୱର ଶିବ ହରିହର ଲିଙ୍ଗରାଜ ମହାପ୍ରଭୁ । ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ପରି ଲିଙ୍ଗରାଜ ଧାମରେ ମଧ୍ୟ ବର୍ଷସାରା ପର୍ବପର୍ବାଣୀ ଲାଗି ରହିଛି । ତେବେ ଲିଙ୍ଗରାଜଙ୍କର ଯଥା ଜାଗର ଏବଂ ଅଶୋକାଷ୍ଟମୀ ପର୍ବ ପ୍ରଧାନ ଅଟନ୍ତି । ଶ୍ରୀଲିଙ୍ଗରାଜଙ୍କର ଅଶୋକାଷ୍ଟମୀର ରଥଯାତ୍ରାକୁ ଚୈତ୍ର ଗୁଣ୍ଡିଚା ନାମେ ଆଖ୍ୟାୟିତ କରାଯାଏ ।
ଚୈତ୍ରମାସ ଶୁକ୍ଲ ଅଷ୍ଟମୀ ତିଥିରେ ଅଶୋକାଷ୍ଟମୀ ପଡ଼ିଥାଏ । ଏହିଦିନ ଲିଙ୍ଗରାଜଙ୍କର ବିଜେ ପ୍ରତିମା ଚନ୍ଦ୍ରଶେଖରଙ୍କ ସହ ବାସୁଦେବ ଏବଂ ରୁକୁଣୀଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିର ଯାଏଁ ନିଆଯାଏ । ଏହି ରଥର ନାମ ରୁକୁଣା ରଥ । ରୁକୁଣା ରଥକୁ ଅଣଲେଉଟା ରଥ ବୋଲି କୁହାଯାଏ । ଏ ରଥକୁ ଏପରି କହିବାର ଅର୍ଥ ଏହି ଯେ ବାହୁଡ଼ା ଯାତ୍ରା ବେଳେ ରଥକୁ ବୁଲାଇ ମୋଡ଼ାଯାଏ ନାହିଁ । କେବଳ ରଥର ସମ୍ମୁଖ ଭାଗକୁ ବନ୍ଦ କରାଯାଇ ରଥ ଉପରେ ଥିବା ସିଂହାସନକୁ ପଛକୁ ଘୁରାଇ ଦିଆଯାଏ ଯାହାକି ସମ୍ମୁଖ ପାଶ୍ୱର୍ ରୂପେ କାର୍ଯ୍ୟ କରେ ।
ଅଶୋକାଷ୍ଟମୀର ରଥଯାତ୍ରାକୁ ନେଇ କିଛି ପୌରାଣିକ କାହାଣୀ ସହିତ ଐତିହାସିକ କାହାଣୀ ଅଛି । ଶୁଣାଯାଏ ଅଯୋଧ୍ୟାର ରାଜା ରାମଚନ୍ଦ୍ର ତାଙ୍କ ବନବାସ ସମୟରେ ଏହି ଏକାମ୍ର ପୀଠରେ ଚାରିଭାଇଙ୍କୁ ଧରି କିଛିଦିନ ବନବାସ କରିଥିଲେ । ସେଠାରେ ସେ ଶିବଙ୍କ ନିର୍ଦ୍ଦେଶକ୍ରମେ ଚାରୋଟି ମନ୍ଦିର କରିଥିଲେ । ଯାହାର ନାମ ଥିଲା ରାମେଶ୍ୱର, ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଓ ଶତ୍ରୁଘ୍ନେଶ୍ୱର । ଏହି ମନ୍ଦିରକୁ ପ୍ରତିଷ୍ଠା କରିବା ନିମନ୍ତେ ସେ ମହାପ୍ରଭୁ ଲିଙ୍ଗରାଜ ଏବଂ ଭୁବନେଶ୍ୱରୀଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ସେମାନେ ରଥରେ ବିଜେ କରି ଏହି ଚୈତ୍ରଶୁକ୍ଲ ଅଷ୍ଟମୀ ତିଥିରେ ରାମଚନ୍ଦ୍ରଙ୍କୁ ଦର୍ଶନ ଦେଇ ପ୍ରତିଷ୍ଠା କାର୍ଯ୍ୟରେ ଅଂଶୀଦାର ଥିଲେ ।
ଦ୍ୱିତୀୟ କାରଣଟି ହେଲା ରାମଚନ୍ଦ୍ର ଅଯୋଧ୍ୟାକୁ ରାବଣକୁ ବଧ କରି ଫେରିଲା ପରେ ଅଯୋଧ୍ୟାକୁ ପାପମୁକ୍ତ କରିବାରେ କୁଳଗୁରୁ ବଶିଷ୍ଟଙ୍କ ନିର୍ଦ୍ଦେଶରେ ଏହି ଏକାମ୍ର ତୀର୍ଥକୁ ଯାଇ ଶ୍ରୀ ଶିବଙ୍କର ଉପାସନା କରିଥିଲେ । ତାହା ମଧ୍ୟ ଶୁକ୍ଲ ଚୈତ୍ର ଅଷ୍ଟମୀ ଥିଲା ଏବଂ ଶ୍ରୀ ଲିଙ୍ଗରାଜ ଓ ଭୁବନେଶ୍ୱରୀ ପୂର୍ବପରି ରଥ ଉପରେ ବିଜେ କରି ରଥ ଉପରେ ଦର୍ଶନ ଦେଇଥିଲେ ଓ ଆଶୀର୍ବାଦ କରିଥିଲେ ।
ଇତିହାସରୁ ଜଣାଯାଏ ଅଶୋକ କଳିଙ୍ଗ ଯୁଦ୍ଧ ପରେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଏବଂ ଏହି ଧର୍ମର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏହି ତିଥିରେ ବୃଦ୍ଧ ସନ୍ନ୍ୟାସ ବେଶରେ ଧଉଳି ଠାରୁ ଶ୍ରୀରାମଶ୍ୱର ମନ୍ଦିର ଯାଏ ରଥଯାତ୍ରା କରିଥିଲେ । ତେଣୁ ରାମେଶ୍ୱର ମନ୍ଦିରଟି ଅଶୋକଷ୍ଟମୀ ରଥଯାତ୍ରାର କେନ୍ଦ୍ରବିନ୍ଦୁ ଏବଂ ସ୍ମୃତିକୁ ବହନ କରି ପ୍ରତିବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରୁ ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ (ମାଉସୀମା’ ମନ୍ଦିର) ଯାଏ ରଥ ଟଣାଯାଏ ।
ମାଉସୀମା ମନ୍ଦିରରେ ରୁକୁଣା ରଥରେ ବିଜେ କରିଥିବା ଶିବ, ବିଷ୍ଣୁ, ଶକ୍ତି (ରୁକ୍ମିଣୀ) ଚାରିଦିନ ଅବସ୍ଥାନ କରନ୍ତି ଏବଂ ପଞ୍ଚମଦିନ ମନ୍ଦିର ମଧ୍ୟକୁ ପ୍ରତ୍ୟାବର୍ତ୍ତନ କରନ୍ତି ।
ଏହି ରୁକୁଣା ରଥର ନାମ ଦେବଦଳନ । ଏହା ସୁଭଦ୍ରାଙ୍କ ରଥର ପ୍ରତୀକ । ରୁକୁଣା ରଥ ଲିଙ୍ଗରାଜ ମନ୍ଦିରରୁ ଯିବା ପୂର୍ବରୁ ପ୍ରଥମେ ଜୀଉମାନଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୁଏ । ଏହାପରେ ମୁକ୍ତେଶ୍ୱର ମନ୍ଦିର ନିକଟସ୍ଥ ମରିଚୀକୁଣ୍ଡର ପାଣିରେ ରୁକୁଣା ରଥର ମାର୍ଜଣା କରାଯାଏ । ଭକ୍ତ ବା ସେବକ ଗଣ ମରିଚିକୁଣ୍ଡ ପାଣିରେ ସ୍ନାନ କରି ପୂଜା ବା ବ୍ରତ କରନ୍ତି । ମରିଚୀ ଜଣେ ବୃଦ୍ଧ ସନ୍ନ୍ୟାସୀଙ୍କର ନାମ । ତାନ୍ତ୍ରିକ ବୌଦ୍ଧ ଧର୍ମରେ ତାଙ୍କର ପ୍ରଭାବ ଯଥେଷ୍ଟ ଥିଲା । ତାଙ୍କ ନାମ ଅନୁସାରେ ଏହି କୁଣ୍ଡର ନାମ ମରିଚୀ କୁଣ୍ଡ । ଶୁଣାଯାଏ ପୂର୍ବେ ଏହି ଏକାମ୍ର ବନରେ ଏହି କୁଣ୍ଡ ନିକଟରେ ତପସ୍ୱୀମାନେ ତପସ୍ୟା କରି ସିଦ୍ଧ ଲାଭ କରିଛନ୍ତି ।
ଶ୍ରୀରାମେଶ୍ୱର, ଶ୍ରୀ ଲକ୍ଷ୍ମଣେଶ୍ୱର, ଶ୍ରୀଭରତେଶ୍ୱର, ଶ୍ରୀଶତ୍ରୁଘ୍ନେଶ୍ୱର ଇତ୍ୟାଦି ମନ୍ଦିରରେ ପୂଜିତ ଲିଙ୍ଗମାନେ କେଉଁଠି ବୌଦ୍ଧଧର୍ମ ତତ୍ତ୍ୱର ପ୍ରତୀକ ଅଟନ୍ତି । ଶ୍ରୀରାମେଶ୍ୱର ଏକଦା ବୌଦ୍ଧସ୍ତୁପ ବା ଲିଙ୍ଗର ଏକ ପ୍ରତୀକ ଥିଲେ । ପରବର୍ତ୍ତୀ କାଳରେ ସେ ଶିବ ଏବଂ ହରିହର ରୂପେ ପୂଜିତ ହେଲେ । ଯାହାଙ୍କର ଶେଷ ନାମ ଶ୍ରୀଲିଙ୍ଗରାଜ । ସେହିପରି ଲକ୍ଷ୍ମଣେଶ୍ୱର, ଭରତେଶ୍ୱର ଏବଂ ଶତ୍ରୁଘ୍ନେଶ୍ୱର ଇତ୍ୟାଦି ମନ୍ଦିରର ଲିଙ୍ଗ ବୌଦ୍ଧଧର୍ମର ତ୍ରିରତ୍ନ- ବୁଦ୍ଧ, ଧର୍ମ ଏବଂ ସଂଘକୁ ବୁଝାଏ ।
କପିଳସଂହିତା ଅନୁସାରେ ଅଶୋକାଷ୍ଟମୀ ଅବସରରେ ଶ୍ରୀରାମେଶ୍ୱରଙ୍କୁ ଯିଏ ଦର୍ଶନ କରେ ଜାତି,ବର୍ଣ୍ଣ, ଧର୍ମ ନିର୍ବିଶେଷରେ ତା’ର ପାପମୋଚନ ଘଟେ ।
ତେଣୁ ଯଥାର୍ଥରେ କୁହାଯାଇଛି-
‘ଚୈତ୍ରେମାସି ଚ ସଂପ୍ରାପ୍ତେ ଯଦା ଶୁକ୍ଲାଷ୍ଟମୀ ଭବେତ ।
ଯାସ୍ୟେ ଗିରି ଜୟା ସାଦ୍ଧ ରାମଲିଙ୍ଗସ୍ୟ ସନ୍ନିଧଂ ।ା
ରଥସୁଂ ତତ୍ରମାଂଦୃଷ୍ଟା ବ୍ରହ୍ମାହତ୍ୟାଦି ପାତକୈଃ
ମୁଚ୍ୟତେ ନ୍ୟତ୍ର ସନ୍ଦେହଅପି ଚଣ୍ଡାଳଯୋନିଜଃ ।’
ଅଶୋକାଷ୍ଟମୀ ବ୍ରତ
ଚୈତ୍ର ଶୁକ୍ଲପକ୍ଷ ଅଷ୍ଟମୀ ଦିନ ନାରୀମାନେ ଅଶୋକାଷ୍ଟମୀ ବ୍ରତ ପାଳନ କରିଥାନ୍ତି । ଏହା ସାଧାରଣତଃ ଦେବୀ ସୀତା ବା ଶକ୍ତିର ବ୍ରତ । ଅଶୋକବନରେ ସୀତା ରାମଙ୍କ ବିହୁନେ ଦୁଃଖ ଏବଂ ଶୋକରେ ଜୀବନ ବିତାଉ ଥିଲେ । ଏହି ଅଷ୍ଟମୀ ତିଥିରେ ସେ ଆଠଟି ଅଶୋକ କଳିକା ଖାଇ ବ୍ରତ ଆଚରଣ କରି ଶୋକରୁ ନିବୃତ୍ତ ରହିଥିଲେ । ଏହି ବ୍ରତ ନାରୀମାନେ ସେମାନଙ୍କ ସ୍ୱାମୀ ଓ ସନ୍ତାନଙ୍କ ସୁଖ ନିମନ୍ତେ କରିଥାନ୍ତି । ବିଶ୍ୱାସ କରାଯାଏ ବନ୍ଧ୍ୟାନାରୀ ଅଥବା ମରିଚୀମାନେ ଏହି ବ୍ରତ କଲେ ସେମାନେ ମାତୃତ୍ୱ ପ୍ରାପ୍ତି ହୁଅନ୍ତି ।
ଅଶୋକପତ୍ର ଭକ୍ଷଣ ସ୍ତ୍ରୀରୋଗର ଏକ ମହୌଷଧୀ । ଅଶୋକ ଗଛର ଫୁଲ,ପତ୍ର,ଚେର ଇତ୍ୟାଦି ସମସ୍ତେ ସ୍ତ୍ରୀ ରୋଗର ମୁକ୍ତିକାରକ । ଆମେ ବ୍ୟବହୃତ କରୁଥିବା ଅଶୋକାରିଷ୍ଟ ଏହି ଅଶୋକଗଛରୁ ପ୍ରସ୍ତୁତ । ଏଣୁ ଅଶୋକପତ୍ର ଭକ୍ଷଣ ଧାର୍ମିକ ପରମ୍ପରା ସହିତ ସ୍ୱାସ୍ଥ୍ୟଗତ ବୈଜ୍ଞାନିକ କାରଣ ସ୍ୱୀକୃତି ବହନ କରେ ।
ଭୁବନେଶ୍ୱରର ରୁକୁଣା ରଥଯାତ୍ରା ଏହି ଅଷ୍ଟମୀ ତିଥିରେ ଚାଲୁଥିବା ବେଳେ ଓଡ଼ିଆ ହିନ୍ଦୁ ଘରେ ପ୍ରାୟତଃ ନାରୀମାନେ ଅଶୋକାଷ୍ଟମୀ ବ୍ରତ କରିଥାନ୍ତି । କାହିଁ କେଉଁ ଯୁଗରୁ ରୁକୁଣା ରଥ ଗଡ଼ିଚାଲିଛି ଏବଂ ଅଶୋକାଷ୍ଟମୀ ବ୍ରତ ଲାଗି ରହିଛି ସେକଥା ସଂଖ୍ୟାରେ ନିର୍ଦ୍ଦିଷ୍ଟ ଭାବରେ କେହି କହିପାରିବା ନାହିଁ । ତେବେ ଓଡ଼ିଶାର ଧର୍ମୀୟ ଏବଂ ସାଂସ୍କୃତିକ ପରମ୍ପରାରେ ଏହା ଯୁଗ ଯୁଗ ଧରି ଚାଲିଥିବ ସେ ବିଶ୍ୱାସ ଅଛି ।
ଅଧ୍ୟକ୍ଷ, ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ.
ବିପିନ ବିହାରୀ ପାଠାଗାର, ବିକାଶନଗର, ଜଟଣୀ
ମୋ-୯୯୩୬୩୪୪୧୩୮


