ଅଶୋକ ଦାସ : ଏକ ଶ୍ରଦ୍ଧାର୍ଘ୍ୟ
ପ୍ରଦୀପ ସେନାପତି
(ଡିସେମ୍ବର ୩୦, ୧୪ ତମ ଶ୍ରାଦ୍ଧ ବାର୍ଷିକ ଅବସରରେ)
ସ୍ୱାଭିମାନୀ ସମ୍ରାଟ ଅଶୋକ ଦାସ ଆମ୍ଭମାନଙ୍କୁ ଅପୂର୍ବ ଆଦର୍ଶ ଦେଖାଇ ଯାଇଛନ୍ତି । ସେ ଜଣେ ତ୍ୟାଗି ଦେଶ ସେବକ ଥିଲେ । ତାଙ୍କର ଆଦର୍ଶ ଆମ୍ଭେ ଯେତିକି ଦେଖିଛୁ ସେତିକି ଜାଣିଛୁ । ତେବେ ତାଙ୍କର ଧର୍ମନିଷ୍ଠା, ସତ୍ୟ ନିଷ୍ଠା, ରାଜନିତୀରେ ସାଧୁତା, ସରଳତା ଓ ବୀରତ୍ୱର ପ୍ରଭାବ ମୋ ରାଜନୈତିକ ଜୀବନ ଉପରେ ପଡ଼ିଛି । ଆଜି ଏ ପୁଣ୍ୟଭୂମିରେ ମୁଁ ତାଙ୍କର ଅଭାବ ଅଧିକ ଅନୁଭବ କରୁଛି । ଯେଉଁ ମହତ୍ ମାର୍ଗରେ ସେ ଚାଲିଯାଇଛନ୍ତି ପ୍ରତ୍ୟକ ଯୁବକ ମାନଙ୍କୁ ସେହି ମାର୍ଗରେ ଯିବାକୁ ହିଁ ପଡ଼ିବ । ମୁଁ ବିଶ୍ୱାସ କରୁଛି ଓ ଆପଣମାନେ ବିଶ୍ୱାସ କରନ୍ତୁ ଯେ ତାଙ୍କ ମହତ୍ ଆତ୍ମା ଅମର ହୋଇ ରହିଛି ଓ ଚିରକାଳ ରହିବ । ମୋର ବରାବର ଆଶା ଯେ କେବଳ ଯାଜପୁର କାହିଁ କି ସମଗ୍ର ଉତ୍କଲ ଜନନୀ ସେହି ସ୍ୱର୍ଗୀୟ ଅଶୋକ ଦାସଙ୍କର ତ୍ୟାଗମାର୍ଗ ଅନୁସରଣ କରିବ ଏବଂ ତାଙ୍କ ସ୍ମୃତିର ପ୍ରଭାବରେ ନିଜକୁ ଧନ୍ୟ କରିବ । ପିଲାଟିବେଳୁ ଜମିଦାର ପରିବାରରେ ଜନ୍ମନେଇ ଘିଅ ସରରେ ବଢ଼ିଥିଲେ । ଛଅ ଭାଇରେ ତାଙ୍କରି ଉପରେଗୋଟିଏ ବୋଲି ଭଉଣି । ସମସ୍ତଙ୍କର ଗେହ୍ଲା ଓ ଆଦରରେ ଅଶୋକ ଦାସଙ୍କ ବାଲ୍ୟକାଳ ବଢ଼ିବାକୁ ଲାଗିଲା । ଭାରି ହୃଷ୍ଟପ୍ରୁଷ୍ଟ ଡେଙ୍ଗା ଚେହେରା । ଖୁନ୍ଧିଲାପରି ଦେହ ଦିନକୁ ଦିନ ଦେହରେ ଅସୁମାରି ବଳ । ଗାଁ ଦାଣ୍ଡରେ ଅନ୍ୟ ସାଙ୍ଗ ସାଥିଙ୍କୁ ଡୁଡୁ, କବାଡ଼ି, ଦଉଡ଼ା ଦଉଡ଼ି, ପଥର ଟେକା, କୁସ୍ତି, କସରତରେ ଅଶୋକଙ୍କୁ ସାମନା କରିବାକୁ ପଛାଇ ଯାଆନ୍ତି । ଅଶୋକଙ୍କ ଚେହେରା ଯେମିତି ବଳବି ସେମିତି ଆଉ ଖାଇବା ବି ସେମିତି । ସେ ଭାରି ସ୍ୱାଧୀନ ଚେତା । କାହାରି ଆଗରେ ମୁଣ୍ଡ ନୁଆଁଇ ଚଳିବା ତାଙ୍କରି ବ୍ୟବହାରରେ ନଥାଏ । ମରିବି ପଛକେ ଡରିବି ନାହିଁ । ଡରିବି ଯଦି କାହାରି ପାଇଁ? ଏହି ଆହ୍ୱାନ ଏହି ସ୍ଲୋଗାନ ଆମ୍ଭଙ୍କୁ ରାଜନୈତିକ ପ୍ରେରଣାର ଉତ୍ସ ଥିଲା ।ଅଶୋକ ଦାସ ଓଡ଼ିଶାର ଯୁବନେତା ମାନଙ୍କ ମନରେ ରୋମାଞ୍ଚକର ଭାଷଣ ମାଧ୍ୟମରେ ଆତ୍ମଶକ୍ତିର ଜାଗରଣ କରାଇଛନ୍ତି । ଆମେ ଫରେଷ୍ଟ ପାର୍କସ୍ଥିତ ଜନତାଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ତାଙ୍କର ଚାମ୍ବର ମଧ୍ୟରେ ଭାବାବେଗପୂର୍ଣ୍ଣ କାହାଣୀ ଶୁଣୁ । ଏକ ଯୁବକର୍ମୀ ସମ୍ମିଳନୀରେ ଆତ୍ମଶକ୍ତି ସଂପର୍କରେ ଉଦାହରଣଟିଏ ଦେଇଥିଲେ । ମୁଁ ତାକୁ ହୃଦୟତାର ସହିତ ମନେ ରଖିଥିଲି । “ସିଂହଟିଏ ଗର୍ଭଣୀଥାଏ । ଦିନେ ଭୋକ ଲାଗିଲା । ଆହାର ଖୋଜି ଖୋଜି ଘନଜଙ୍ଗଲ ଛାଡ଼ି ବୁଦୁ ବୁଦୁ କିଆ ଜଙ୍ଗଲ ଭିତରକୁ ଆସିଗଲା । ଆଗରେ ଦେଖିଲା ମେଣ୍ଢାପଲ । ଭୋକର ତାତି ସମ୍ଭାଳି ପାରିଲା ନାହିଁ । ପଲ ଭିତରକୁ କୁଦା ମାରିଲା । ମେଣ୍ଢାଟିଏ ହେଲା ତା’ଣ ଶିକାର । ଠିକ୍ ଏତିକିବେଳେ ସିଂହୀଗର୍ଭରୁ ନବଜାତକଟିଏ ମାଟି ଛୁଇଁଲା । ମାତ୍ର ବିଚାରିସିଂହୀ ତା ଶାବକକୁ ନେଇପାରିଲା ନାହିଁ । ଜଙ୍ଗଲ ଭିତରକୁ ଚାଲିଗଲା । ଏଥର ସିଂହ ଛୁଆଟି ରହିଲା ମେଣ୍ଢା ପଲ ଭିତରେ । ବଡ଼ିଲା ଏବଂ ଧୀରେ ଧୀରେ ଆଚରଣରେ ସେ ମେଣ୍ଢା ପରି ହୋଇଗଲା । ପୁଣି ଅଶୋକ ଦାସ କଥା ପ୍ରସଙ୍ଗରେ ପୁରାଣରୁ ଦୁଇଟି ଚରିତ୍ରର ଉଦାହରଣ ଦେଇଥିଲେ । ଜଣେ ପ୍ରହ୍ଲାଦ- ଆଉ ଜଣେ ଧ୍ରୁବ । ଜଣେ ଆତ୍ମଶକ୍ତି ବଳରେ କହିଲା- ଈଶ୍ୱର ସବୁଠି ଅଛନ୍ତି । କ୍ଷମତା ମଦମତ୍ତ କହିଲା- କ’ଣ ଏ ଖୁଣ୍ଟରେ? ପ୍ରହ୍ଲାଦ କହିଲା- ହଁ, ଖୁଣ୍ଟରେ । ହିରଣ୍ୟ କଶୀପୁ କ୍ଷମତାମତ୍ତରେ ଖୁଣ୍ଟକୁ ଆଘାତ କଲା ଏବଂ ଖୁଣ୍ଟ ଭିତରୁ ନୃସିଂହ ଆତ୍ମ ପ୍ରକାଶ କଲେ । ଆଉ ଜଣେ ପିତୃସୁଖ ବଞ୍ôଚତ ପୁତ୍ରକୁ ମାଆ ସୁନୀତି କହିଲେ-ତୁ ସାଧନା ବଳରେ ଆତ୍ମଶକ୍ତି ଜାଗ୍ରତ କଲେ ସବୁକିଛି ପାଇପାରିବୁ । ବାର ବର୍ଷର ବାଳକ ଧ୍ରୁବ । ତପସ୍ୟା ବଳରେ ଦୃଢ଼ ଆତ୍ମଶକ୍ତିର ଅଧିକାରୀ ହେଲେ । ପାଇଲେ ଧ୍ରୁବଲୋକ । ଅଶୋକ ଦାସଙ୍କର ଏ କଥା ଶୁଣି ମୁଁ ପଚାରିଲି- ଅଶୋକ ଭାଇ! ଏ ଗପ କାହିଁକି ? ଅଶୋକ ଦାସ ଉତ୍ତର ଦେଲେ- ପ୍ରତ୍ୟେକ ରାଜନୈତିକ ବ୍ୟକ୍ତି ପାଖରେ ଯେଉଁ ଶକ୍ତି ରହିଛି ତାହା ସେ ଜାଣିପାରେନି । ତାକୁ ଜଣେଇବାକୁ ପଡ଼ିବ- ସେ କିଏ? ତା’ ଭିତରେ କେତେ ସାମର୍ଥ୍ୟ ଓ ଶକ୍ତି ନିହିତ ଅଛି । ଥରେ ଆପଣାକୁ ଚିହ୍ନି ଗଲାପରେ ଅଗ୍ରଗତିକୁ ଆଉ କେହି ଅଟକାଇ ପାରିବେ ନାହିଁ । ନିଜକୁ ଜାଣିଲେ, ନିଜର ସାମର୍ଥ୍ୟକୁ କଳନା କଲେ, ବ୍ୟକ୍ତିର ବ୍ୟକ୍ତିତ୍ୱ ପ୍ରକଟିତ ହୁଏ ।