ଅସହାୟ ଛୁଆଙ୍କୁ ସହାୟତା ପାଇଁ ହାତବଢ଼େଇଲା ‘ସମାଜର ଦର୍ପଣ’

ହାଟଡିହି, (ଓ୍ବାଇଏନ୍ଏସ୍) : ଅସହାୟ ଛୁଆଙ୍କୁ ସହାୟତାର ହାତ ବଢ଼ାଇଛି ‘ସମାଜର ଦର୍ପଣ ହେଲ୍ପ ଗ୍ରୁପ’ । ବାପ ଦୀର୍ଘ ୭ମାସ ହେଲା କଲିକତା ଯାଇ ନିଖୋଜ ହୋଇଯାଇଥିବାବେଳେ ମା ନାହାନ୍ତି । ଅସହାୟ ଭାବେ ବାହାରିପୁର ଗ୍ରାମର ପାଞ୍ଚଜଣ ଶିଶୁଙ୍କ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଏବେ ସ୍ୱେଚ୍ଛାସେବୀ ମାନେ ସେମାନଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଆଜି ସମାଜର ଦର୍ପଣ ହେଲ୍ପଗ୍ରୁପ ପକ୍ଷରୁ ଏହି ୫ଜଣ ଛୁଆଙ୍କ ରହିବା ପାଇଁ ଅସମ୍ପୁର୍ଣ୍ଣ ଅ୍ରାବାସ ଯୋଜନା ଘରକୁ ସମ୍ପୁର୍ଣ୍ଣ କରାଇବା ସହିତ ସେମାନେ ଯେପରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ସେଥିପାଇଁ ଏକ ତେଜରାତି ଦୋକାନ ଖୋଲିଦେଇଛନ୍ତି । ଖବରରୁ ଜଣାଯାଇଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସମଣା ପଞ୍ଚାୟତର ବାହାରିପୁର ଗ୍ରାମର ହରିନାଥ ଜେନା ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାବେଳେ ଗତକିଛିବର୍ଷ ତଳେ ପତ୍ନୀକୁ ହରାଇବାପରେ ୫ଜଣ ଛୁଆଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାପାଇଁ ପାଖ ଗାଁର ଜଣେ ଶ୍ରମିକ ଦଲାଲ ତାଙ୍କୁ ଅଧିକ ମଜୁରୀର ପ୍ରଲୋଭନ ଦେଖାଇ କାମ କରିବାକୁ ସୁଦୁର କଲିକତାକୁ ଡାକି ନେଇଥିଲେ । ସେ ଗତ ୭ମାସ ତଳେ କଲିକତା ଯାଇଥିଲେ ଯେ ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ ଖବର ନାହିଁ । ଏପରି ଅବସ୍ଥାରେ ଘରେ ୫ଜଣ ଶିଶୁ ଦୁଖଃକଷ୍ଟରେ କାଳାତିପାତ କରୁଥିଲେ । କେବଳ ପଞ୍ଚାୟତରୁ ପାଉଥିବା ୨୦କିଲୋ ଚାଉଳହିଁ ସେମାନଙ୍କ ପାଇଁ ଥିଲା ସାହା ଭରଷା । ଆବାସ ଯୋଜନାରେ ଘର ପାଇଥିଲେବି ଘର ସମ୍ପୁର୍ଣ୍ଣ ହୋଇପାରି ନଥିଲା । ଘରେ ବଡ ଝିଅ ପ୍ରଣତୀ ଯେନା ,ମାମିନା ଯେନା, ବିଣାପାଣି ଯେନା , ରୁପା ଯେନା ଓ ପୁଅ ବିଭୁଷଣ ଯେନା ବାପ ମାଙ୍କ ସ୍ନେହ ଆଦରରରୁ ବଞ୍ଚିତ ହୋଇ ଓଳିଏ ଖାଇଲେ ଓଳିଏ ଉପାସରେ ରହୁଥିଲେ । ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ବିଭିନ୍ନ ସ୍ୱୋଚ୍ଛାସେବୀ ସଂସ୍ଥା ସେମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଆଜି ‘ସମାଜର ଦର୍ପଣ ହେଲ୍ପଗ୍ରୁପ’ର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ ସ୍ୱାଇଁ, ଶିକ୍ଷକ ବିଜୟ କୁମାର ନାୟକ, ଅଧ୍ୟାପକ ମହେଶ , ପ୍ରଗତୀକା ଦାସ, ପ୍ରତିମା ସାହୁ, ବିଭୁତି ବେହେରା, ବିକାଶ ମଲ୍ଲିକ, ମନୋଜ ଦାସ, ସଦାନନ୍ଦ ଜେନା, ଅଶୁତୋଷ ସାମଲ, ଆଲୋକ କୁମାର ସାହୁ, ବେଣୁଧର ପ୍ରଧାନ, ଚିନ୍ଟୁ ବେହେରା, ଅନିଲ ପାତ୍ର, ଅଞ୍ଜନ ବେହେରା ପ୍ରମୁଖ ନିଜ ଉଦ୍ୟମରେ ତାଙ୍କ ଅର୍ଦ୍ଧନିର୍ମିତ ଘରକୁ ସମ୍ପୁର୍ଣ୍ଣ କରିବା ସହିତ ସେମାନଙ୍କ ପାଇଁ ଏକ ତେଜରାତି ଦୋକାନ ଖୋଲାଇ ଦେଇଥିଲେ । ଘସିପୁରା ଥାନା ସବଇନସପେକ୍ଟର ବିଶ୍ୱଜିତ ବେହେରା ଏହାକୁ ଫିତାକାଟି ଉଦଘାଟନ କରିବା ସହିତ ସେହି ଛୁଆମାନେ କିପରି ନିଜ ଗୋଡରେ ନିଜେ ଠିଆ ହୋଇପାରିବେ ସେନେଇ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ । ସେମାନେ ନିଜକୁ ସୁଦୃଢ଼ କରିବା ପର୍ଯ୍ୟନ୍ତ ଆମେ ସେମାନଙ୍କ ପାଖେ ପାଖେ ଅଛୁ ବୋଲି ସଭାପତି ପ୍ରଶାନ୍ତ ସେନାପତି କହିଛନ୍ତି । ସେହି ଦୋକାନରୁ ଯାହା ଆୟ ହେବ ସେଥିରେ ଯେପରି ନିଜ ପରିବାର ପ୍ରତିପୋଷଣ କରିବୁ ସେନେଇ ଆମେ ଚେଷ୍ଟା କରିବୁ ବୋଲି ଛୁଆମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ