ଅସାବଧାନତା ବଶତଃ ଖସିପଡ଼ି ହାରିଲେ ଜୀବନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତକାଲି ଅପରାହ୍ଣରେ ଘଟିଥିବା କାଳବୈଶାଖୀର ପ୍ରଭାବରେ ବହୁ ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବା ବେଳେ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ସରବରାହ ସ୍ଵାଭାବିକ ନହେବା ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅଞ୍ଚଳର ଜଣେ ନୌସେନା କର୍ମଚାରୀଙ୍କ ପାଇଁ କାଳ ସାଜିଛି I ସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଂଚାୟତ ବାସୁଦେବପୁର ଗ୍ରାମର କୃଷ୍ଣଚନ୍ଦ୍ର ଗୌଡ଼ (26) ସାଢେ ଛଅ ବର୍ଷ ହେବ ନୌସେନାର ଅଶ୍ୱିନୀ ୟୁନିଟ୍ ରେ କାର୍ଯ୍ୟ କରୁଥିଲେ I ଗତ ବର୍ଷେ ତଳେ ସ୍ୱାସ୍ଥ୍ୟଗତ କାରଣ ହେତୁ କୃଷ୍ଣଚନ୍ଦ୍ରଙ୍କର ବାପା ବିପ୍ର ଗୌଡ଼ଙ୍କର ମୃତ୍ୟୁ ଘଟିଥିବା ବେଳେ ଘରେ କୃଷ୍ଣଚନ୍ଦ୍ରଙ୍କର ମାଆ ବୁଦ୍ଧି ଗୌଡ଼ ଏବଂ ଭାଇ ରବିନ୍ଦ୍ର ରହୁଥିଲେ I କୃଷ୍ଣଚନ୍ଦ୍ରଙ୍କର ଗୋଟିଏ ଭଉଣୀ ଓଁ ଶାନ୍ତିରେ ରହୁଥିବା ବେଳେ ଅନ୍ୟ ଭଉଣୀ ଜଣଙ୍କ ବାହା ହୋଇ ଶାଶୁ ଘରେ ରହୁଛନ୍ତି I ଭାଇ ରବୀନ୍ଦ୍ର ଗାଆଁରେ ଚାଷ ବାସ କରନ୍ତି I କୃଷ୍ଣଚନ୍ଦ୍ର କିଛି ଦିନ ହେବ ଛୁଟିରେ ନିଜ ଗ୍ରାମ ବାସୁଦେବପୁରକୁ ଆସିଥିଲେ I ଗୁରୁବାର ଅପରାହ୍ଣରେ ହୋଇଥିବା କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଯିବା ସହ ତାର ଛିଣ୍ଡି ଯିବା ଯୋଗୁଁ ଅପରାହ୍ଣ ଦୁଇଟା ପରଠାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା I ବିଦ୍ୟୁତ୍ ସରବରାହ ବନ୍ଦ ଯୋଗୁଁ ଘରେ ଅସହ୍ୟ ଗରମ ଏବଂ ଗୁଳୁଗୁଳି ଅନୁଭୂତ ହୋଇଥିଲା I ତେଣୁ କୃଷ୍ଣଚନ୍ଦ୍ର ରାତିରେ ଘର ଛାତ ଉପରେ ଶୋଇଥିଲେ I ଆନୁମାନିକ ସମୟ ରାତି ଦୁଇଟାରୁ ତିନିଟା ମଧ୍ୟରେ କୃଷ୍ଣଚନ୍ଦ୍ର ଅସାବଧାନତା ବଶତଃ କିମ୍ବା ବାଉଳିରେ ଛାତରୁ ତଳକୁ ଖସିପଡ଼ି ସିମେଣ୍ଟ୍ ଚଟାଣରେ କଚାଡ଼ି ହୋଇ ଅଚେତ ହୋଇପଡ଼ିଥିଲେ I କୃଷ୍ଣଚନ୍ଦ୍ରଙ୍କର ଅନ୍ୟ ଭାଇ ଏବଂ ସମ୍ପର୍କୀୟ ଭୋର୍ ରୁ ଉଠି କୃଷ୍ଣଚନ୍ଦ୍ରଙ୍କୁ ତାଙ୍କ ଶେଯରେ ନପାଇ ଖୋଜିଲା ବେଳେ ସେ ତଳେ ମୁମୁର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ I କୃଷ୍ଣଚନ୍ଦ୍ରଙ୍କୁ ପ୍ରଥମ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଥିଲା I ଭଞ୍ଜନଗରରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ I କୃଷ୍ଣଚନ୍ଦ୍ରଙ୍କର ମୃତ୍ୟୁ ଖବର ପାଇ ମାଆ ବୁଦ୍ଧି ଦୁଃଖରେ ଭାଙ୍ଗିପଡ଼ିଥିବା ବେଳେ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃ୍ଷ୍ଟି ହୋଇଛି I କୃଷ୍ଣଚନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ତାଙ୍କ ଶବ ବର୍ତ୍ତମାନ ଗାଆଁରେ ରହିଛି I କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ସମ୍ପର୍କରେ ନୌସେନା ବିଭାଗକୁ ବିଳମ୍ବରେ ଦିଆଯାଇଥିଲା I ବର୍ତ୍ତମାନ ଚିଲିକାରୁ ନୌସେନାର ଏକ ଦଶ ଜଣିଆ ଟିମ୍ ବାସୁଦେବପୁର ଅଭିମୁଖେ ଆସୁଛନ୍ତି I ସେମାନେ ବାସୁଦେବପୁରରେ ପହଞ୍ଚିବା ପରେ କୃଷ୍ଣଚନ୍ଦ୍ରଙ୍କୁ ଗାର୍ଡ୍ ଅଫ୍ ଅନର୍ ପ୍ରଦାନ କରି ଶବ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି I କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗୋବରା ସରପଞ୍ଚ ସୁପ୍ରଭା ନାୟକ, ସମିତିସଭ୍ୟ ବିଭୂପାଦ ଜେନା, ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ଘଟଣା ନେଇ କୃଷ୍ଣଚନ୍ଦ୍ରଙ୍କ ଦାଦା ଜଟେଶ୍ଵର ଗୌଡ଼ ଗାଙ୍ଗପୁର ଥାନାରେ ରିପୋର୍ଟ୍ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ