ଅସ୍ତିତ୍ବ ହରାଉଛି ଅତୀତ ର ସୁନାବ୍ୟା ପ୍ରାଚୀ ନଦୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ,କଟକ ଓ ଖୋର୍ଦ୍ଧା ଜିଲ୍ଲା ଅଞ୍ଚଳର ଜୀବନରେଖା ଭାବେ ପରିଚିତ ପୁଣ୍ୟତୋୟା ପ୍ରାଚୀ ନଦୀ ଏବେ ତାର ଅସ୍ତିତ୍ବ ହରାଇବାକୁ ବସିଛି। ଦିନେ ଚିରସ୍ରୋତା ସୁନାବ୍ୟା ଥିବା ପ୍ରାଚୀ ନଦୀ ନିଜର ସତ୍ତା ରକ୍ଷା ପାଇଁ ସଂଗ୍ରାମ କରୁଛି। ବର୍ଷା ଋତୁକୁ ଛାଡି ଦେଲେ ଅବଶିଷ୍ଟ ଦିନ ଏହାର ଶଯ୍ୟା ଜଳଶୂନ୍ଯ ହୋଇପଡ଼ୁଛି। ଏକଦା ସ୍ରୋତସ୍ବିନୀ ପ୍ରାଚୀ ନଦୀ ପାଇଁ ଏହି ଅଞ୍ଚଳ ନୌବାଣିଜ୍ୟ କ୍ଷେତ୍ର ରେ ପ୍ରସିଦ୍ଧି ଲାଭ କରିଥିଲା। ପୁଣ୍ୟତୋୟା ପ୍ରାଚୀ ମହାନଦୀ ର ପ୍ରମୁଖ ଶାଖା ନଦୀ ଥିଲା।ଏହା ବକ୍ଷ ଦେଇ ସାଧବ ପୁଅ,ବଣିକ ମାନେ ନିଜ ନିଜ ର ବୋଇତ କୁ ସମୁଦ୍ର କୁ ନେଇ ସୁଦୂର ଜାଭା, ସୁମାତ୍ରା, ବାର୍ଲି ପ୍ରଭୃତି ଦେଶ କୁ ବାଣିଜ୍ୟ ପାଇଁ ଯାଉଥିଲେ ବୋଲି ଐତିହାସିକ ମାନେ ପ୍ରକାଶ କରିଛନ୍ତି। ଏବେ ବିଭିନ୍ନ ସ୍ଥାନରେ ଗବେଷକ ଓ ଐତିହାସିକ ମାନେ ଖନନ କରିବା ପରେ ପ୍ରାଗ ଐତିହାସିକ ଯୁଗ ରୁ ପ୍ରାଚୀ ନଦୀ ଉପତ୍ୟକା ରେ ଜନ ସଭ୍ୟତା ଥିଲା ବୋଲି ପ୍ରମାଣ ମିଳିଛି। ଏହାର ଦୁଇ ପାଶ୍ଵ ରେ ଶହ ଶହ ସଂଖ୍ୟାରେ ବୌଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ, ମୁସଲିମ ଙ୍କ କୀର୍ତ୍ତିରାଜି ଦେଖିବାକୁ ମିଳିଛି। ପ୍ରାଚୀ ନଦୀ ର ଉପତ୍ୟକା ଆମ ଅତୀତ ଓଡ଼ିଶା ର ଜୀବନ୍ତ ଇତିହାସ ବୋଲି କହିଛନ୍ତି ବିଶିଷ୍ଟ ଲେଖକ ତଥା ପ୍ରାଚୀ ଗବେଷକ ତ୍ରିନାଥ ପଟ୍ଟନାୟକ।କିନ୍ତୁ ଏବେ ପ୍ରାଚୀ ନଦୀ ଅଡସପୁର ପରଠାରୁ କେବଳ ସଫେଇ ନାଳ ଭାବେ ସ୍ଥାନେ ସ୍ଥାନେ ଦେଖା ଯାଉଥିବାବେଳେ ଅଡସପୁର ଠାରୁ କାଠଯୋଡ଼ି ପର୍ଯ୍ୟନ୍ତ ଏହାର ଅସ୍ତିତ୍ବ ନାହିଁ। ପୁଣ୍ୟତୋୟା ପ୍ରାଚୀ ନଦୀର ନିମ୍ନ ଉପତ୍ୟକାରେ ଏବେ ଜଳ ସଙ୍କଟ ଦିନକୁ ଦିନ ବଢୁଥିବାରୁ ଅଞ୍ଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରାଚୀ ନଦୀ ର ଶଯ୍ୟା ପୋତି ହୋଇଯାଇଥିବା ବେଳେ ଅନେକ ସ୍ଥାନ ରେ ଏହା ଜବରଦଖଲ କାରୀ ଙ୍କ କବଜା କୁ ଚାଲିଗଲାଣି। ବର୍ଷା ଓ ବନ୍ୟା ସମୟ କୁ ଛାଡ଼ି ଦେଲେ ଅନ୍ୟ ସମୟରେ ନଦୀ ରେ ପାଣି ଦେଖିବାକୁ ମିଳୁନାହିଁ। ୧୯୮୦ ପୂର୍ବରୁ ଏହି ନଦୀରେ ପ୍ରଚୁର ଜଳ ରହୁଥିଲା ।ଯାହା ଫଳରେ ସମ୍ପୃକ୍ତ ଅଞ୍ଚଳର କୃଷି ପାଇଁ ବରଦାନ ଥିଲା। କାଳକ୍ରମେ ଜଙ୍ଗଲ ନଷ୍ଟ, ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ରାସ୍ତାଘାଟ ଓ ସେତୁ ନିର୍ମାଣ,କୋଠାବାଡ଼ି ନିର୍ମାଣ ପାଇଁ ପ୍ରାଚୀ ନଦୀ ସଙ୍କୁଚିତ ହେବାରେ ଲାଗିଛି ଓ ପ୍ରାଚୀ ନଦୀର ଗର୍ଭ ରେ ଜଳସ୍ରୋତ କମିବାରେ ଲାଗିଛି। କେବଳ ବର୍ଷା ଋତୁକୁ ଛାଡ଼ିଦେଲେ ଅନ୍ୟ ସମୟରେ ପ୍ରାଚୀ ନଦୀ ଶୁଷ୍କ ପଡିଛି। ଫଳରେ ଭୂତଳ ଜଳସ୍ତର ହ୍ରାସ ପାଇବା ଯୋଗୁ ନଳକୂପ, ପୋଖରୀ ଗୁଡିକ ଶୁଖିଲା ପଡ଼ିଛି। ଜୀବନ ଧାରଣ ପାଇଁ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ସେଥିପାଇଁ ନଦୀକୂଳ ମାନଙ୍କ ରେ ମାନବ ସଭ୍ୟତା ଗଢିଉଠିଥିଲା। ଏ ଅଞ୍ଚଳର ହଜାର ହଜାର ଏକର ଚାଷ ଜମିକୁ ଖରାଦିନେ ଅତୀତରେ ପାଣି ମିଳୁଥିଲା। ପ୍ରାଚୀ ନଦୀର କୂଳରେ ଶତାଧିକ ଉଠା ଜଳସେଚନ ପ୍ରକଳ୍ପ ଚାଲୁଥିଲା। ବିଭିନ୍ନ ପ୍ରକାର ଚାଷ କରି ଚାଷୀ ଲାଭବାନ ହେଉଥିଲେ। ହେଲେ ଏବେ ନଦୀରେ ପାଣି ଅଭାବରୁ ଶହ ଶହ ଜମି ପଡିଆ ପଡିଛି। ଶହ ଶହ ଉଠା ଜଳ ସେଚନ ପ୍ରକଳ୍ପ ଗୁଡ଼ିକ ଅଚଳ ହୋଇପଡିଛି। ଅତୀତରେ ଶହ ଶହ ମତ୍ସ୍ୟଜୀବୀ ଏଠାରେ ମାଛ ମାରି ପରିବାର ପ୍ରତିପୋଷଣ କରୁଥିଲେ। ପାଣି ନଥିବାରୁ ଡଙ୍ଗା ଓ ଜାଲ ଲୋକେ ବିକି ସାରିଲେଣି। ଶହ ଶହ ମତ୍ସ୍ୟଜୀବୀ ପରିବାର ଲୋକ ଉପାସରେ ଦିନ କାଟୁଛନ୍ତି। ପ୍ରାଚୀ ନଦୀ ର ଶଯ୍ୟା ଖନନ ନ ହେଲେ କିଛି ଦିନ ମଧ୍ୟରେ ପ୍ରାଚୀ ନଦୀ ଓଡ଼ିଶା ମାନଚିତ୍ରରୁ ଲିଭିଯିବ ବୋଲି କହିଛନ୍ତି ପ୍ରାଚୀ ଗବେଷକ ହାଡ଼ିବନ୍ଧୁ ବିଶ୍ବାଳ। ଯଦି ଦେବୀ ଅଥବା କାଠଯୋଡ଼ି ନଦୀ ସହିତ ପ୍ରାଚୀ ନଦୀ ର ସଂଯୋଗ କରିଦିଆଯାଇ ପ୍ରାଚୀ ନଦୀ କୁ ବର୍ଷ ତମାମ ପୂର୍ବ ପରି ସୁନାବ୍ୟା କରି ଦିଆଯାଆନ୍ତା ତେବେ ଖୋର୍ଦ୍ଧା, କଟକ, ପୁରୀ ଜିଲ୍ଲା ର ଶହ ଶହ ଗ୍ରାମ ର ହଜାର ହଜାର ମତ୍ସ୍ୟଜୀବୀ ଓ ଚାଷୀ ମାନେ ଉପକୃତ ହୋଇପାରନ୍ତେ। ଏ ବିଷୟରେ ସମୀକ୍ଷା କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଏହି ଅଞ୍ଚଳ ର ବୁଦ୍ଧିଜୀବୀ, ପରିବେଶବିଦ୍ ମାନେ ଦାବି କରିଛନ୍ତି।


