ପଖାଳ କଂସା ପାଖରେ ଦିଶୁନି ଦେଶୀ ପିଆଜ : ମିଳୁନି ପ୍ରୋତ୍ସାହନ, ମୁହଁ ମୋଡ଼ୁଛନ୍ତି ଚାଷୀ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ):-ଓଡ଼ିଆ ଘରେ ପଖାଳ କଂସା ସହ ଦେଶୀ ପିଆଜର ଆଦର ବେଶ ଅଧିକ। ଖରା ଦିନେ ତ ଚାହିଦା ବଢିଯାଏ। ପୂର୍ବରୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଚାଷୀ ମାନେ ନିଜ ଜମିରେ ପ୍ରଚୁର ମାତ୍ରାରେ ଦେଶୀ ପିଆଜ ଚାଷ କରୁଥିଲେ। ଅମଳ ପରେ ବାନ୍ଧି ଘର ଭିତରେ ପେନ୍ଥା ପେନ୍ଥା କରି ଝୁଲାଇ ରଖୁଥିଲେ। ଏହାର ସଂରକ୍ଷଣ ପାଈଁ ଶୀତଳ ଭଣ୍ଡାର ଲୋଡ଼ା ପଡ଼ୁ ନଥିବା ବେଳେ ବର୍ଷସାରା ତାହା ଚାଷୀ ପରିବାରର ଆବଶ୍ୟକତା ମେଣ୍ଟାଉଥିଲା। ଔଷଧୀୟ ଗୁଣ ସାଙ୍ଗକୁ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଈଁ ଶକ୍ତି ଯୋଗାଉଥିବା ଦେଶୀ ପିଆଜ ଏବେ କିନ୍ତୁ ପୂର୍ବ ଭଳି ଅଧିକ ଉପଲବ୍ଧ ହେଉନି। ଧୀରେ ଧୀରେ ଚାଷ କମିଗଲାଣି। ପ୍ରୋତ୍ସାହନ ଅଭାବ ରୁ ଚାଷୀ ମାନେ ଏହି ପାରମ୍ପରିକ ଦେଶୀ ପିଆଜ ଚାଷରୁ ମୁହଁ ଫେରାଇ ନେଉଛନ୍ତି। ଅଧିକ ଲାଭ ଆଶାରେ ବିଭିନ୍ନ ହାଇବ୍ରିଡ଼ ପିଆଜ ବିହନ କୁ ଚାଷୀ ଆପଣାଉଥିବାରୁ ସ୍ୱାସ୍ଥ୍ୟପ୍ରଦ ହେଲେ ସୁଦ୍ଧା ଅପେକ୍ଷାକୃତ କମ୍ ଲାଭ ମିଳୁଥିବାରୁ ଦେଶୀ ପିଆଜ ଚାଷରୁ ଏବେ ସେମାନେ ମୁହଁ ଫେରାଇ ନେଲେଣି। ବର୍ତମାନ ଗରିବଙ୍କ କଂସାରୁ ଏକରକମର ଦେଶୀ ପିଆଜ ଗାୟବ ହୋଇଯାଇଛି। ସମୟ ଥିଲା ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳବର୍ତ୍ତୀ ଅଂଚଳ ହୋଇଥିବା ବେଳେ ସାଧାରଣ ଲୋକ ଖାଇବାକୁ କିଛି ନ ହେଲେ ବି ପଖାଳ ସାଙ୍ଗକୁ ଲଙ୍କା ଲୁଣ ଓ ଦେଶୀ ପିଆଜ ଖାଇ ପେଟ ଓ ମନ ବୁଝି ଯାଉଥିଲା। ଅଳ୍ପ ଖର୍ଚ୍ଚରେ ଉତ୍ପାଦନ ହେଉଥିବାରୁ ଯେକୌଣସି ସମୟରେ ଏହା ମିଳୁଥିଲା। ଘର ବଗିଚା ଓ କୂଅ ମୂଳରେ ଗୋଟିଏ ଦେଶୀ ପିଆଜ ପୋତିଦେଲେ ଶୀଘ୍ର ସେଥିରୁ ଦେଶୀ ପିଆଜ ବାହାରିଥାଏ। ଚାରା କରିବା ମଧ୍ୟ ଆବଶ୍ୟକ ପଡ଼େନି, ଶୀଘ୍ର ଫଳ ବାହାରିଯାଏ। ମାତ୍ର ଏବେ ଖରା ହେଉ କି ଶୀତ ପିଆଜ ଦର ଯେଭଳି ଆକାଶ ଛୁଆ ହେଉଛି, ସାମନ୍ତରାଳ ଭାବେ ଶ୍ରମଜୀବି ଓ ଗରିବ ଙ୍କ ପଖାଳ କଂସା ରେ ଆଉ ପିଆଜ ଦେଖିବାକୁ ମିଳୁନି। କମ୍ପାନୀ ବିହନ ଲାଭ ପାଈଁ ଦେଶୀ ପିଆଜ ଚାଷ କୁ ପରୋକ୍ଷ ଭାବରେ ମାରି ଦିଆଯିବା ଯୋଗୁଁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ଉଠୁଛି। ଅଳ୍ପ ଖର୍ଚରେ ଗୋଟିଏ ଏକର ଜମିରେ ୬୦ରୁ ୭୦କୁଇଣ୍ଟାଲ ଦେଶୀ ପିଆଜ ଉତ୍ପାଦିତ ହୋଇପାରେ। ଗୋବର ଖତରେ ଜୈବିକ ପଦ୍ଧତି ରେ ଭଲ ଅମଳ ହୋଇଥାଏ। ମାତ୍ର ହାଇବ୍ରିଡ଼ ପିଆଜ ଚାଷ ପାଈଁ ବିହନ କମ୍ପାନୀ କ୍ରୟ କରିବାକୁ ହୁଏ। ମଞ୍ଜିରୁ ଚାରା କରିବାକୁ ୪୦ରୁ ୪୫ଦିନ ଦିନ ଲାଗିଯାଏ। ଯଦି ବନ୍ୟା କି ବାତ୍ୟା ହେଲା, ତେବେ ଏହି ପିଆଜ ଉତ୍ପାଦନ ମାଡ଼ ଖାଇଯାଏ। ଫଳରେ ଚାରି ଆଡ଼େ ହାଇବ୍ରିଡ଼ ପିଆଜ ଚାଷ ହେଉଛି ସିନା ଦେଶୀ ପିଆଜ ଚାଷ ଧୀରେ ଧୀରେ ଉଭେଇ ଗଲାଣି।


