ଅସ୍ଥାୟୀ ବସଷ୍ଟାଣ୍ଡକୁ ସ୍ଥାନାନ୍ତର ହେଲା ହୋଲସେଲ ପରିବା ବଜାର ରହିଲାନି ସାମାଜିକ ଦୂରତ୍ୱ ରକ୍ଷା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ବିଶ୍ୱରେ ମହାମାରୀ କରୋନା ଆତଙ୍କ ଦେଖାଦେଇଛି । ଏଥି ସକାଶେ ସରକାରଙ୍କ ପକ୍ଷରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଘରୁ ବାହାରକୁ ବାହାରିବା ସମୟରେ ମୁହଁରେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ହିଂଜିଳିକାଟୁ ପରିବା ବଜାର ପଛଭାଗରେ ଦୀର୍ଘବର୍ଷ ଧରି ହୋଳସେଲ ପରିବା ବଜାର ରହି ଆସିଥିଲା । ଉକ୍ତ ହୋଲସେଲ ପରିବା ବଜାରରୁ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ବିଭିନ୍ନ ଜିଲ୍ଲାକୁ ପରିବା ରପ୍ତାନି କରାଯାଇଥାଏ । ଏଥି ସକାଶେ ସ୍ଥାନୀୟ ଅଂଚଳର ପରିବା ବ୍ୟବସାୟୀ ସମେତ ବାହାର ଅଂଚଳର ପରିବା ବ୍ୟବସାୟୀଙ୍କ ସମେତ ବହୁ ଗାଡ଼ି ମୋଟର ଜମା ହୋଇଥାଏ । ବର୍ତମାନ ପରିସ୍ଥିତରେ କରୋନା ଭୁତାଣୁ ସଂକ୍ରମଣ ଦେଖା ଦେଇଥିବାରୁ ଜନଗହଳି ନକରିବା ଏବଂ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ପୌର ପ୍ରଶାସନ ପକ୍ଷରୁ ପୌରାଂଚଳ ସନିକଟସ୍ଥ ଘୋଡ଼ାହାଡ଼ ନଦୀ ନିକଟରେ ହୋଲସେଲ ପରିବା ବଜାରକୁ ସ୍ଥାନାନ୍ତର କରିବା ସକାଶେ ପୌର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା । ମାତ୍ର ସ୍ଥାନୀୟ ହୋଲସେଲ ପରିବା ବ୍ୟବସାୟୀ ମାନେ ଉକ୍ତ ସ୍ଥାନକୁ ସ୍ଥାନାନ୍ତରିତ ହେବାକୁ ଅମଙ୍ଗ ହୋଇଥିଲେ । ପ୍ରତ୍ୟେହ ସ୍ଥାନୀୟ ହୋଲସେଲ ପରିବା ବଜାର ମଧ୍ୟରେ ପ୍ରବଳ ଭିଡ଼ ଜମୁଥିବା ଯୋଗୁଁ ଶନିବାର ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବସଷ୍ଟାଣ୍ଡ ପରିସରକୁ ସ୍ଥାନାନ୍ତର କରାଯାଇଥିଲା । ଉକ୍ତ ସ୍ଥାନରେ ମଧ୍ୟ ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିବା ସହ ବହୁ ଗାଡ଼ି ମୋଟର ରହିଥିଲା । କରୋନା ଭୁତାଣୁ ସଂକ୍ରମଣକୁ ଆଖି ଆଗରେ ରଖି ପୌର ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ସକାଶେ ଯେଉଁ ନିଷ୍ପତି ଗ୍ରହଣ କରାଯାଇଥିଲା, ତାହା ସୁଫଳ ହୋଇ ପାରିନଥିଲା । ସଂପୃକ୍ତ ସ୍ଥାନରେ ବ୍ୟବସାୟରଙ୍କ ପ୍ରବଳ ଭିଡ଼ ଲାଗି ରହିଥିଲା । ଏ ନେଇ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁଙ୍କୁ ପଚାରିବାରୁ ସେ କହିଲେ, ପ୍ରଥମ ଦିବସ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି, ଆସନ୍ତା କାଲି ଠାରୁ ଅସ୍ଥାୟୀ ବସଷ୍ଟାଣ୍ଡକୁ ସ୍ଥାନାନ୍ତର ହୋଇଥିବା ହୋଲସେଲ ପରିବା ବଜାର ମଧ୍ୟକୁ ଗାଡ଼ି ମୋଟର ପ୍ରବେଶ ନିଷେଧ କରାଯିବା ସହ ମାସ୍କ ବ୍ୟବହାର କରିନଥିବା ବ୍ୟବସାୟୀଙ୍କୁ ବଜାର ମଧ୍ୟରେ ପ୍ରବେଶ କରାଇ ଦିଆଯିବ ନାହିଁ ଏବଂ ପ୍ରତ୍ୟେକ ବ୍ୟବସାୟୀଙ୍କ ସକାଶେ ସ୍ୱତନ୍ତ୍ର ବାରିକେଟ ବ୍ୟବସ୍‌ଥା କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ