ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ୱାବ ପରୀକ୍ଷା ପାଇଁ ଅନ୍ତେବାସୀଙ୍କ ଖାଦ୍ୟ ବର୍ଜନ

ନାଉଗାଁ, (ଓ୍ବାଇଏନ୍ଏସ୍): ଡେରିକି ପଂଚାୟତ ଅନ୍ତର୍ଗତ ଡେରିକି କସ୍ତୁରବା ବାଳିକା ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅନ୍ତେବାସୀମାନେ ମଙ୍ଗଳବାର ଖାଦ୍ୟ ବର୍ଜନ କରିଥିବା ଜଣାଯାଇଛି । ସ୍ୱାବ ପରୀକ୍ଷା କରିବା ପାଇଁ ପ୍ରଶାସନକୁ ଭିଡିଓ ମାଧ୍ୟମରେ ଅନୁରୋଧ କରିଛନ୍ତି । ଯଦି ସେମାନଙ୍କର ସ୍ୱାବ ପରିକ୍ଷା କରାନଯାଏ ସେମାନେ ଅନଶନରେ ବସିବେ ବୋଲି ଭିଡିଓରେ ସ୍ପଷ୍ଟ ଭାବେ କହିଛନ୍ତି । ସୂଚନା ଥାଉକି ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୧୨ ଜଣ ପ୍ରବାସୀ ଓଡିଆ ରହୁଛନ୍ତି । ସେମାନେ ପାଖାପାଖି ୧୧ଦିନ ହେବ ରହୁଛନ୍ତି । ଆଉ ୩ ଦିନ ପରେ ସେମାନଙ୍କର ୧୪ ଦିନ ପୁରିବାକୁ ଥିବା ବେଳେ ସେମାନଙ୍କର ସ୍ୱାବ ପରୀକ୍ଷା ପାଇଁ ନିଆଯାଇନାହିଁ । ଯଦି ସେମାନେ ବିନା ପରୀକ୍ଷାରେ ଘରକୁ ଯିବେ ସେମାନଙ୍କ ପରିବାର ଲୋକ ଘରେ ପୁରାଇ ଦେବେ ନାହିଁ ବୋଲି ଭିଡିଓରେ ସ୍ପଷ୍ଟ ଭାବେ କହିଛନ୍ତି । ଯାହାକୁ ନେଇ ସେମାନେ ଆଜି ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଗ୍ରହଣ କରି ନଥିବା ବେଳେ ସଂଧ୍ୟା ସମୟରେ ଚା ଜଳଖିଆ ମଧ୍ୟ ଗ୍ରହଣ କରି ନଥିବା କହିଛନ୍ତି । ଯଦି ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍ୱାବ ପରୀକ୍ଷା କରା ନଯାଏ ସେମାନେ ଅନଶନରେ ରହିବେ ବୋଲି ଚେତାବନୀ ଦେଇଛନ୍ତି । ଖବର ଲେଖା ହେଲା ବେଳକୁ ରାତ୍ରଭୋଜନ ଖାଇ ନଥିବା ଜଣାଯାଇଛି । ସେହିପରି ଉକ୍ତ କେନ୍ଦ୍ରରେ ପାନୀୟ ଜଳର ଅବ୍ୟବସ୍ଥାକୁ ନେଇ ମଧ୍ୟ ଜଣାଇଛନ୍ତି । ଏଠାରେ ମିଳୁଥିବା ପାନୀୟ ଜଳ ପିଇବା ପାଇଁ ଉପଯୋଗୀ ନୁହେଁ ବୋଲି କହିଛନ୍ତି । ଏ ସଂର୍ପକରେ ଡେରିକି ପଂଚାୟତ ସରପଂଚଙ୍କ ପ୍ରତିନିଧି ପ୍ରଫୁଲ ସ୍ୱାଇଁଙ୍କୁ ପଚାରିବାରୁ ସେମାନେ ସ୍ୱାବ ପରୀକ୍ଷା ପାଇଁ ଦାବି କରି ଖାଦ୍ୟ ଗ୍ରହଣ କରିନାହାନ୍ତି । ଆମେମାନେ ସେମାନଙ୍କୁ ବୁଝାଇବା ସହିତ ପ୍ରଶାସନିକ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଇଛୁ । ଏହା ସତ୍ୱେ ବି ସେମାନେ ସ୍ୱାବ ପରୀକ୍ଷା ପାଇଁ ଜିଦ କରି ଖାଦ୍ୟ ଖାଇ ନଥିବା କହିଥିଲେ । ଡେରିକି ପଂଚାୟତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୋଡାଲ ଅଧିକାରୀ ସରୋଜ ସ୍ୱାଇଁଙ୍କୁ ପଚାରିବାରୁ ସ୍ୱାବ ପରୀକ୍ଷା ଦାୟିତ୍ୱ ସ୍ୱାସ୍ଥ୍ୟ ବିଭାଗର ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ସ୍ୱାବ ପରୀକ୍ଷା କରାଯାଇଛି ବୋଲି କହିଥିଲେ । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତିଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ