ବିପଦସଂକୁଳ ଅବସ୍ଥାରେ ପୂର୍ତ୍ତ ବିଭାଗର ବାଲିଭଉଁରୀ-ଶିଖରଘାଟ ମୁଖ୍ୟ ରାସ୍ତା

ନାଉଗାଁ,(ଓ୍ବାଇଏନଏସ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବାଲିଭଉଁରୀ ଠାରୁ ଶିଖରଘାଟ ପର୍ଯ୍ୟନ୍ତ ପୂର୍ତ୍ତି ବିଭାଗ ରାସ୍ତା ରହିଛି। ଏହି ରାସ୍ତାର ମୁଣ୍ଡାଳୋ ବଜାର ଠାରୁ ପାଳସାହି ପର୍ଯ୍ୟନ୍ତ ପ୍ରାୟ ୧.୫ କି.ମି ରାସ୍ତା ବିପର୍ଯ୍ୟୟ ଅବସ୍ଥାରେ ରହିଛି। ଏହି ରାସ୍ତାକୁ ବିଭାଗ ପକ୍ଷରୁ ମରାମତି କରାଯାଇଥିଲେ ମଧ୍ୟ ନିମ୍ନମାନର ପିଚୁ କାର୍ଯ୍ୟ ହେତୁ ରାସ୍ତାର ୩ଟି ସ୍ଥାନରୁ ପିଚୁ ଉଠି ଯାଇଛି। ଯାହାକି ଅଜଣା ଗାଡ଼ି ଚାଳକ ପାଇଁ ମୃତ୍ୟୁ ଯନ୍ତା ପାଲଟିଛି।  ସୂଚନା ଅନୁସାରେ ଏହି ରାସ୍ତାକୁ ବିଭାଗ ପକ୍ଷରୁ ପ୍ରାୟ ୬ମାସ ତଳେ ଲକ୍ଷାଧିକ ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା| କିନ୍ତୁ ରାସ୍ତାର ଉନ୍ନତିକରଣରେ କୌଣସି ସୁଧାର ହେଲାନାହିଁ | ଯେଉଁଠି ଖାଲ ଥିଲା, ପୁଣି ସେହି ଯାଗାରେ ଖାଲ ସୃଷ୍ଟି ହେଲାଣି|  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ରାସ୍ତା ଦେଇ ପାରାଦୀପରୁ ପୁରୀ ପ୍ରତି ମୁହୂର୍ତରେ ଯାତ୍ରୀବାହୀ, ମାଲବାହୀ, ମଟର ସାଇକେଲ ଆଦି ଶହ ଶହ ଗାଡି ଯିବା ଆସିବା କରେ | ଜନସାଧାରଣଙ୍କୁ ସଡ଼କ ଦୁର୍ଘଟଣାରୁ ସୁରକ୍ଷା ଦେବା ପାଇଁ ବିଭାଗ ପକ୍ଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ସାଙ୍କେତିକ ଚିହ୍ନ ଲଗାଯାଇଛି। ନିୟମ ଅନୁସାରେ ରାସ୍ତାର ପ୍ରମୁଖ ସ୍ଥାନ ମାନଙ୍କରେ ସାଂକେତିକ ଚିହ୍ନ ଲାଗିବା କଥା | କିନ୍ତୁ ଦାୟିତ୍ୱରେ ଥିବା ଠିକାଦାର କିଛି ସ୍ଥାନରେ ଏହି ସାଂକେତିକ ଚିହ୍ନ ନ ଲଗାଇ ଛୁ ମାରିଛି। ଆବଶ୍ୟକସ୍ଥାନରେ ସାଙ୍କେତିକ ଚିହ୍ନ ନ ଲଗାଇବାର କାରଣ କିଛି ବୁଝାପଡୁନାହିଁ । ଏବଂ ରାସ୍ତାକଡରେ ଧଳା ପଟି ବାଲିଭଉଁରୀ ଠାରୁ ଶିଖର ଘାଟ ପର୍ଯ୍ୟନ୍ତ ଲାଗିବା ପାଇଁ ଥିବା ବେଳେ ଏହି ରାସ୍ତାର କିଛି ସ୍ଥାନରେ ଏହି ଧଳା ପଟି ଚି଼ହ୍ନ ଦେଖିବାକୁ ମିଳୁନି | ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାସ୍ତାର ସାଙ୍କେତିକ ଚିହ୍ନ ଓ ଧଳା ପଟି ମରା କାର୍ଯ୍ୟ ଶେଷ କରି ଠିକାଦାର ଛୁ ହୋଇଥିବା ଚର୍ଚ୍ଚା ହେଉଛି।  ଅନ୍ୟପଟେ ନାଉଗାଁ ଅଞ୍ଚଳର ସଚେତନ ନାଗରିକ ମଞ୍ଚ ତରଫରୁ  ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିରରେ ବାଲିଭଉଁରୀ ଶିଖରଘାଟ ରାସ୍ତାର ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଗତ ଫେବୃଆରୀ ମାସ ୨ ତାରିଖରେ ଅଭିଯୋଗ ଦିଆଯାଇଥିଲା | ଏଥି ମଧରେ ଅନେକ ଦିନ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ତରଫରୁ କୌଣସି ପକ୍ରିୟା ଆରମ୍ଭ କରାଯାଇନାହିଁ | ସେମାନଙ୍କ ଦାବିରେ ବାଲିଭଉଁରୀ ଠାରୁ ଖୋରତ , ବାଜପୁର, ପାଳସାହି ପର୍ଯ୍ୟନ୍ତ ପୁରା ସିଧା ରାସ୍ତା କରିବା ଆଦି ରହିଥିଲା। ବିଭାଗୀୟ ଅଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସଚେତନ ନାଗରିକ ମଞ୍ଚର  ଅର୍ଜୁନ ରାଉତ, ରବୀନ୍ଦ୍ର ପଟ୍ଟନାୟକ , ନବକିଶୋର ମହାନ୍ତି ,ନବନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଂଯୋଜକ ଅଶୋକ ସ୍ୱାଇଁ , କମ୍ରେଡ ସୁବାଷ ସ୍ୱାଇଁ ,  ବଂଶୀଧର ବେହେରା , ଡା ସର୍ବେଶ୍ୱର ପରିଡା, ଆଇନଜୀବୀ  ପ୍ରମୋଦ ସ୍ୱାମୀ,ସୁବ୍ରତ ରାୟ, ସୁଶାନ୍ତ ସାହୁ , ସୁବାଷ ମହାନ୍ତି ପ୍ରମୁଖ ଦାବି କରିଛନ୍ତି |ଆସନ୍ତା ଜନ ଶୁଣାଣି ଶିବିରରେ ପୁନର୍ବାର ଅଭିଯୋଗ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ