ଅଢ଼େଇ ବର୍ଷରେ ସମ୍ପୂର୍ଣ୍ଣ ହେବ ରାମ ମନ୍ଦିର! ୧୦୦ କୋଟି ଖର୍ଚ୍ଚ ଅଟକଳ
ଅଯୋଧ୍ୟା: ଅଯୋଧ୍ୟାର ବିବାଦୀୟ ସ୍ଥଳରେ ରାମ ମନ୍ଦିର ନିର୍ମାଣ ପାଇଁ ସୁପ୍ରିମ୍ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଗତକାଲି ରାୟ ପ୍ରକାଶ କରିବା ପରେ ଏବେ ମନ୍ଦିର ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୩୦ ବର୍ଷ ପୂର୍ବରୁ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ଏବଂ ସ୍ଥ।ପତି ଚନ୍ଦ୍ରକାନ୍ତ ସୋମପୁରା ଏହାର ରୂପରେଖ ପ୍ରସ୍ତୁତ କରିଥିଲେ । ବିଶ୍ୱ ହିନ୍ଦୁ ପରିଷଦର ଦିବଂଗତ ନେତା ଅଶୋକ ସିଂଘଲଙ୍କ ସହିତ ମିଶି ସେ ଏହାକୁ ପ୍ରସ୍ତୁତ କରିଥିଲେ । ରାମ ମନ୍ଦିର ନିର୍ମାଣ କାର୍ୟ୍ୟରେ ଯଦି ୨୦୦୦ କାରିଗର ନିୟୋଜିତ ହେବେ ତା’ହେଲେ ଅଢ଼େଇ ବର୍ଷ ମଧ୍ୟରେ ମନ୍ଦିର ନିର୍ମାଣ ଶେଷ ହେବ ବୋଲି ସେ କହିଛନ୍ତି । ଏହି ନିର୍ମାଣ ପାଇଁ ପ୍ରାୟ ୧ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଗୁଜରାଟରେ ରହୁଥିବା ଚନ୍ଦ୍ରକାନ୍ତଙ୍କ ପରିବାର ଅନେକ ପିଢ଼ି ଧରି ଦେଶର ବିଭିନ୍ନ ଅଂଚଳରେ ମନ୍ଦିର ଡିଜାଇନ୍ ପ୍ରସ୍ତୁତ କରିଛନ୍ତି । ଏହି ପରିବାର ସୋମନାଥ ମନ୍ଦିରର ଡିଜାଇନ୍ ମଧ୍ୟ କରିଥିଲେ । ଲଣ୍ଡନରେ ସ୍ୱାମୀ ନାରାୟଣ ମନ୍ଦିର ମାତ୍ର ଦୁଇ ବର୍ଷ ମଧ୍ୟରେ ନିର୍ମାଣ କରାଯାଇଥିଲା । ଚନ୍ଦ୍ରକାନ୍ତ କହିଛନ୍ତି ଯେ ସେ ୬ ମାସ ଧରି ୬ଟି ଡିଜାଇନ୍ ଉପରେ କାମ କରିଥିଲେ । ରାମ ମନ୍ଦିରକୁ ନାଗରା ଶୈଳୀରେ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଉତ୍ତର ଭାରତରେ ନାଗରା ଶୈଳୀର ମନ୍ଦିର ବେଶ୍ ପ୍ରସିଦ୍ଧ ଥିବାରୁ ଏହି ଢାଞ୍ଚାକୁ ନେଇ ସହମତି ପ୍ରକାଶ ପାଇଛି । ମନ୍ଦିର ପାଇଁ ପ୍ରାୟ ୫୦ ପ୍ରତିଶତ କାମ ସଂପୂର୍ଣ୍ଣ ହୋଇଛି । ନିର୍ମାଣ ଶାଳାରେ ବହୁ ବର୍ଷ ଧରି କାମ ଚାଲିଛି ଏବଂ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଦେଶର ବିଭିନ୍ନ ରାଜ୍ୟରୁ କାରିଗରମାନଙ୍କୁ ଆଣିବା ପାଇଁ ବ୍ୟବସ୍ଥା ହେଉଛି ।ପ୍ରସ୍ତାବିତ ରାମ ମନ୍ଦିର ୧୫୦ ଫୁଟ ଚଉଡ଼ା ଏବଂ ୨୭୦ ଫୁଟ ଲମ୍ବ ହେବ ଏବଂ ଏହାର ଉଚ୍ଚତା ମଧ୍ୟ ୨୭୦ ଫୁଟ ରହିବ । ଏଥିରେ ସିଂହ ଦ୍ୱାର, ନାଟ ମଣ୍ଡପ, ରଂଗ ମଣ୍ଡପ, ଗର୍ଭଗୃହକୁ ସୁନ୍ଦର ପ୍ରବେଶ ଦ୍ୱାର ରହିବ । ଏହି ମନ୍ଦିର ଦ୍ୱିତଳ ବିଶିଷ୍ଟ ହେବ । ତଳେ ମନ୍ଦିର ଏବଂ ଉପରେ ରାମ ଦରବାର ରହିବ । ମନ୍ଦିରରେ ୨୨୧ଟି ସ୍ତମ୍ଭ ରହିବ ଏବଂ ପ୍ରତ୍ୟେକ ସ୍ତମ୍ଭରେ ଦେବୀ ଦେବତାଙ୍କ ଆକୃତି ରହିବ । ମନ୍ଦିର ପରିସରରେ ସନ୍ଥ ନିବାସ, କର୍ମଚାରୀ ନିବାସ, ପ୍ରଶାସନିକ ଭବନ, ଭୋଜନାଳୟ ଆଦି ରହିବ । ତେବେ ଏହି ନିର୍ମାଣରେ କୌଣସି ଲୁହାର ବ୍ୟବହାର ହେବନାହିଁ ବୋଲି ଚନ୍ଦ୍ରକାନ୍ତ କହିଛନ୍ତି । ମନ୍ଦିର ନିର୍ମାଣ କାର୍ୟ୍ୟରେ ୨୫୦ ଜଣ ବିଶେଷଜ୍ଞ ଶିଳ୍ପୀ ନିୟୋଜିତ ହେବେ । ସୂଚନାଯୋଗ୍ୟ, ୧୯୯୦ରୁ ବିଶ୍ୱହିନ୍ଦୁ ପରିଷଦ ମନ୍ଦିର ନିର୍ମାଣ କାର୍ୟ୍ୟ ଆରମ୍ଭ କରିଦେଇଥିଲା । ସେହି ଦିନଠାରୁ ମନ୍ଦିର ନିର୍ମାଣ କାର୍ୟ୍ୟଶାଳାରେ ଦୈନିକ ୮ ଘଣ୍ଟା ଧରି ମନ୍ଦିର ନିର୍ମାଣ କାର୍ୟ୍ୟ କରାଯାଇ ଆସୁଛି । ତେବେ ମୁଖ୍ୟ ଶିଳ୍ପୀ ରଜନୀକାନ୍ତ ସୋମ୍ପୁରାଙ୍କ ଦେହାନ୍ତ ପରେ ଏହାର ନିର୍ମାଣ କାର୍ୟ୍ୟ କିଭଳି ଆଗେଇବ ତାହା ଏବେ ବିଶ୍ୱହିନ୍ଦୁ ପରିଷଦର ଚିନ୍ତା ବଢ଼ାଇ ଦେଇଛି । ମନ୍ଦିରର ଗ୍ରାଉଣ୍ଡ୍ ଫ୍ଲୋର୍ ନିର୍ମାଣ କାମ ଏହା ମଧ୍ୟରେ ଶେଷ ହୋଇ ସାରିଛି । ମନ୍ଦିର ପାଇଁ ଆଜି ସୁଦ୍ଧା ୧୦୬ଟି ପିଲାର ନିର୍ମାଣ କାମ ଶେଷ ହୋଇଛି ।


