ଆଇଆରଇ ପକ୍ଷରୁ ଡ୍ରେଜି କରାଯାଇଥିବା ଗର୍ତ୍ତରେ ପଡି ନାବାଳିକାର ମୃତ୍ୟୁ
ଛତ୍ରପୁର, (ଦେବଦତ୍ତ ମହାରଣା) :ଆଇଆରଇ ପକ୍ଷରୁ ଡ୍ରେଜିଂ କରାଯାଇଥିବା ଗର୍ତ୍ତରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ହେଲେ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ବି. ଲାଚ୍ଛେୟାଙ୍କ ଦଶ ବର୍ଷର ଝିଅ ବି. ସୁଶୀଳା । ଆଇଆରଇ ପକ୍ଷରୁ ସାନ ଆର୍ଯ୍ୟପଲ୍ଲୀ ସ୍ଥିତ ଆଇଆରଇ ମୋରମ ରୋର୍ଡ ରାସ୍ତା ପାଶ୍ୱର୍ରେ ଡ୍ରେଜିଂ କାର୍ଯ୍ୟ ଜାରି ରହିଛି । ଡ୍ରେଜିଂ ଫଳରେ ଉକ୍ତ ସ୍ଥାନଟିରେ ଏକ ଗର୍ତ୍ତ ସୃଷ୍ଠି ହୋଇ ସେଠାରେ ଏକ କୃତିମ ପୋଖରୀ ସୃଷ୍ଠି ହୋଇଥିଲା । ଗତକାଲି ସୁଶୀଳା ତାଙ୍କ କିଛି ସାଙ୍ଗ ସାଥୀଙ୍କ ସହ ଉକ୍ତ ଅଂଚଳରେ ଖେଳୁଥିବା ବେଳେ ଏହି ଗର୍ତ୍ତରେ ବୁଡି ମୃତ୍ୟୁବରଣ କରିଥିଲେ । ଏହାର ସୂଚନା ପାଇ ପରିବାର ବର୍ଗ ଓ ଗ୍ରାମବାସୀ ମାନେ ଘଟଣା ସ୍ଥଳକୁ ଆସି ସୁଶୀଳାର ମୃତ ଦେହ ଗର୍ତ୍ତରୁ ଉଦ୍ଧାର କରିବା ସହ ଆଇଆରଇର ମନମୁଖି କାର୍ଯ୍ୟକୁ ନିନ୍ଦା କରିଥିଲେ । ଗ୍ରାମବାସୀ ମାନେ ଶବ କୁ ଜବତ କରି ଆଇଆରଇ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ରଖି ରାତିତମାମ ଆନ୍ଦୋଳନ କରିଥିଲେ । ଆଜି ସକାଳୁ ଆଇଆରଇ କର୍ତ୍ତୁପକ୍ଷ ଗ୍ରାମବାସୀ ଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ମୃତ ନାବାଳିକାଙ୍କ ବାପା ଙ୍କୁ ଠିକା ଶ୍ରମିକ ଭାବେ ନିୟୋଜିତ କରାଯିବ ଏବଂ ଆର୍ଥିକ କ୍ଷତିପୂରଣ ବାବଦକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।