ଆଇଓସିଏଲରେ ନୂଆ ପଦ୍ଧତିରେ ନିର୍ମିତ ଷ୍ଟିଲ କୋଠା ମହାନଦୀ ଉଦଘାଟିତ
ପାରାଦୀପ, (ପୀତବାସ ପ୍ରଧାନ) : ପାରାଦୀପ ତୈଳ ବିଶୋଧନାଗାରରେ ନବନିର୍ମିତ ଷ୍ଟିଲ କୋଠା ମହାନଦୀ ଉଦଘାଟିତ ହୋଇଯାଇଛି । ଆଇଓସିଏଲର କାର୍ଯ୍ୟକାରୀ ନିର୍ଦ୍ଦେଶକ ଟି.ଡ଼ି.ଭି.ଏସ. ଗୋପାଳକ୍ରିଷ୍ଣା ଓ ପାରାଦୀପ ୟୁନିଟ କାର୍ଯ୍ୟକାରୀ ନିର୍ଦ୍ଦେଶକ ଭି.ଏସ ଜୈନ ଏହାକୁ ଉଦଘାଟନ କରିଥିଲେ । ତେବେ ଏହି କୋଠାର ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । କୋଭିଡ଼ ମହାମାରୀ କାୟା ବିସ୍ତାର କରି ଚାଲିଥିବାବେଳେ ଆଇଓସିଏଲ କର୍ତ୍ତୃପକ୍ଷ ପ୍ରଥମ ଥର ପାଇଁ ଏକ ନୁଆ କାରୀଗରୀ ଜ୍ଞାନ କୌଶଳ ଏଲଜିଏସଏଫ ପଦ୍ଧତିରେ ଏହି କୋଠାଟି ନିର୍ମିତ ହୋଇଛି । ଏହି କୋଠାରେ ତଳ ମହଲା ଓ ପ୍ରଥମ ମହଲାକୁ ମିଶାଇ ମୋଟ ୪୦ ବଖରା କୋଠରୀ ରହିଛି । ଏହି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଅତ୍ୟନ୍ତ ହାଲୁକା ଓ ପରିବଶେ ଉପଯୋଗୀ ବୋଲି ଆଇଓସିଏଲ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ।