ବାଲି ଉଠାଣଙ୍କୁ ନେଇ ଗ୍ରାମବାସୀଙ୍କ ପ୍ରତିବାଦ: ଘଟଣାସ୍ଥଳ ପରିଦର୍ଶନ କଲେ ଥାନାଧିକାରୀ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଡାହାଣିଖିଆ ଗ୍ରାମ ପାଶ୍ୱର୍ରେ ଥିବା ଦେବୀନଦୀର ଦକ୍ଷିଣ ପାଶ୍ୱର୍ରୁ ବାଲି ଉଠାଣକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ପ୍ରତିବାଦ କରିଛନ୍ତି।ଏସଂକ୍ରାନ୍ତରେ ଗ୍ରାମବାସୀଙ୍କ ତରଫରୁ ଥାନାଧିକାରୀ ପ୍ରଦୀପ୍ତ କାନୁନଗୋଙ୍କୁ ଅବଗତ କରାଇଛନ୍ତି। ଘଟଣାସ୍ଥଳରେ ଥାନାଧିକାରୀ କାନୁନଗୋ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଲିଖିତ ଭାବେ ଜଣାଇବା ପାଇଁ କହିଛନ୍ତି। ଲିଖିତ ଅଭିଯୋଗ ପରେ ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଉକ୍ତ ଗ୍ରାମର ଗ୍ରାମବାସୀ ଶଶୀଭୂଷଣ ବିଶ୍ୱାଳ,ଗୁଣନିଧି ମହାନ୍ତି,ବ୍ରହ୍ମାନନ୍ଦ ପରିଡା,ପାଣ୍ଡବ ସାହୁ,କୈଳାସ ପରିଡା,ଚିତରଞ୍ଜନ ମହାନ୍ତି, ରୋହିତ ପରିଡା, ବିଦ୍ୟାଧର ପରିଡା, ଅଜୟ ମଳିକ, ଅଶୋକ ପରିଡା, ବାବାଜି ପରିଡା ଆଦିଙ୍କ ସୂଚନା ମୁତାବକ ଦେବୀନଦୀରେ ଥିବା ବାଲି ସୈରାତଟି ପୁରୀ ଜିଲା କାକଟପୁର ତହସିଲ ଅଧିନରେ ରହିଛି। ଏହି ବାଲି ସୈରାତଟିକୁ ଲିଜ ନେଇଥିବା ଲିଜଧାରୀ ନାଉଗାଁ ବ୍ଳକ ଦେଇ ଯାଇଥିବା ନଦୀପଠା, ଗ୍ରାମ୍ୟ ଜଙ୍ଗଲ ଓ ଗ୍ରାମ୍ୟ ରାସ୍ତା ଦେଇ ବାଲି ଉଠାଇବା ପାଇଁ ଯୋଜନା କରୁଛନ୍ତି। ଏହି ବାଟ ଦେଇ ଦୈନିକ ଶହ ଶହ ଭାରିଯାନ ଯିବା ଫଳରେ ଗ୍ରାମ୍ୟ ଜଙ୍ଗଲ ,ଗ୍ରାମ୍ୟ ରାସ୍ତା ନଷ୍ଟ ହେବା ସହିତ ନଦୀପଠା ମଧ୍ୟ ନଷ୍ଟ ହେବ। ଯାହାଫଳରେ ନଦୀରେ ବନ୍ୟା ପାଣି ଆସିଲେ ଗ୍ରାମ ଉପରେ ବିପଦ ସୃଷ୍ଟି ହେବ ବୋଲି କହିଛନ୍ତି। ତେଣୁ ଉକ୍ତ ସୈରାତରୁ ବାଲି ପରିବହନ ପାଇଁ ଅନ୍ୟ ପଥରେ କରିବା ପାଇଁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି।


