ଆଇଟିଆର ଗୁପ୍ତତଥ୍ୟ ଲିକରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ
ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଆଇଟିଆରରୁ ଗୁପ୍ତତଥ୍ୟ ଲିକ୍ ମାମଲାରେ ଗିରଫ ୫ଜଣ ଅଭିଯୁକ୍ତଙ୍କୁ ଆଜି ୭ଦିନିଆ ରିମାଣ୍ଡରେ ନେଇ ଓଡ଼ିଶା କ୍ରାଇମ ବ୍ରାଞ୍ଚ । ଏସଡିଜେଏମଙ୍କ ଅନୁମତି କ୍ରମେ କ୍ରାଇମବ୍ରାଞ୍ଚ ଟିମ ଅଭିଯୁକ୍ତମାନଙ୍କୁ ବାଲେଶ୍ୱର ଜେଲରୁ ଏକ ବସ୍ ଯୋଗେ କଡ଼ା ନିରାପତ୍ତା ମଧ୍ୟରେ କଟକ ନେଇ ଯାଇଛନ୍ତି । ସାତଦିନର ପଚରାଉଚୁରା ପରେ ଅଭିଯୁକ୍ତମାନଙ୍କୁ ପୁଣି କୋର୍ଟରେ ହାଜର କରିବ ଏହି ଟିମ । ଅଭିଯୁକ୍ତମାନଙ୍କୁ ନେବା ପାଇଁ ଅତିରିକ୍ତ ଏସପି, ସାଇବର ଇନ୍ସପେକ୍ଟର ସହ ସବଇନ୍ସପେକ୍ଟର ଓ ଜଣେ ଏଏସଆଇଙ୍କୁ ନେଇ ଗଠିତ ଟିମ ବାଲେଶ୍ୱର ଆସିଥିଲେ । ଅନ୍ୟ ପକ୍ଷରେ ଅଭିଯୁକ୍ତମାନଙ୍କ ସହ ସମ୍ପୃକ୍ତି ଅଭିଯୋଗରେ କ୍ରାଇମବ୍ରାଂଚ ଚାରି ଜଣ ବାଂଲଦେଶୀଙ୍କୁ ଅଟକ ରଖିଛି ଓ ଏହି ବାଂଲାଦେଶୀଙ୍କ ସହଯୋଗରେ ଅଭିଯୁକ୍ତଙ୍କୁ ତଥ୍ୟ ବଦଳରେ ଅର୍ଥ ଦିଆଯାଇଥିବା ସନ୍ଦେହ କରିଛି କ୍ରାଇମବ୍ରାଂଚ । ପଡୋଶୀ ଦେଶକୁ କ୍ଷେପଣାସ୍ତ୍ର କେନ୍ଦ୍ର ସମ୍ପର୍କିତ ତଥ୍ୟ ପଠାଉଥିବା ଅଭିଯୋଗରେ ପ୍ରଥମେ ଚାନ୍ଦିପୁର ଥାନା ଅନ୍ତର୍ଗତ ଝାମ୍ପୁରା ହାଟ ଅଂଚଳର ବସନ୍ତ ବେହେରା (୫୨), ଶ୍ରୀକୋଣା ଅଂଚଳର ସେଖ ମୁସାଫିର (୩୨), ପାଳସିଆ ଅଂଚଳର ତାପସ ରଞ୍ଜନ ନାୟକ (୪୧) ଓ ସଦର ଥାନା ଅନ୍ତର୍ଗତ ବୁଆଁଳ ଅଂଚଳର ହେମନ୍ତ କୁମାର ମିସ୍ତ୍ରୀ (୫୨) ପ୍ରଭୃତି ଠିକା କର୍ମଚାରୀଙ୍କୁ ପୋଲିସ ଗିରଫ କରିଥିଲା । ପରେ ଏହି ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା । ତଦନ୍ତ ଆରମ୍ଭ ପରେ ପଞ୍ଚମ ଅଭିଯୁକ୍ତ ଆଇଟିଆରର ସ୍ଥାୟୀ ଡ଼୍ରାଇଭର ଉତ୍ତରପ୍ରଦେଶ ନିବାସୀ ସଚିନ କୁମାର ଓରଫ ଛେତାକୁ ଗିରଫ କରାଯାଇଥିଲା ।


