ଆଇଡିବିଆଇ ବ୍ୟାଙ୍କ୍ର ଅଭିବୃଦ୍ଧି ପାଇଁ ରଣକୌଶଳ
ମୁମ୍ବାଇ, (ଏଜେନ୍ସି): ଆଇଡ଼ିବିଆଇରେ ଏଲ୍ଆଇସି ବୃହତ୍ତମ ଅଂଶୀଦାର ହେବା ପରେ ଏହାର ବ୍ୟବସାୟିକ ରଣକୌଶଳ ପୁନର୍ଗଠିତ କରାଯାଇ ଗ୍ରାହକଙ୍କୁ ଗୋଟିଏ ସ୍ଥାନରେ ବ୍ୟାଙ୍କ ଓ ବୀମା ସୁବିଧା ପ୍ରଦାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ବ୍ୟାଙ୍କ ଏହାର ବ୍ୟବସ୍ଥାରେ ପେଶାଦାରକରଣ କରିବା ପାଇଁ ପଦକ୍ଷେପ ନେଇଛି । ଏଲ୍ଆଇସି ଅଧ୍ୟକ୍ଷଙ୍କୁ ବ୍ୟାଙ୍କ୍ର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ବ୍ୟାଙ୍କର ବର୍ତ୍ତମାନର ପରିଚାଳନା ନିର୍ଦ୍ଦେଶକ ରାକେଶ ଶର୍ମାଙ୍କୁ ପରବର୍ତ୍ତୀ ୩ ବର୍ଷ ପାଇଁ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଭାବେ ଅବସ୍ଥାପିତ କରିବା ପାଇଁ ଯୋଜନା କରାଯାଉଛି । ଇତିମଧ୍ୟରେ ୨ ଜଣ ଖ୍ୟାତନାମା ପେଶାଦାରଙ୍କୁ ବ୍ୟାଙ୍କ୍ର ପରିଚାଳନା ମଣ୍ଡଳୀରେ ସ୍ୱାଧୀନ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି । ଅଭିବୃଦ୍ଧି ରଣକୌଶଳ ପ୍ରସ୍ତୁତି ଦାୟିତ୍ୱ ନୂଆ ବୋର୍ଡ଼ ଉପରେ ନ୍ୟସ୍ତ କରାଯାଇଛି । ବ୍ୟାଙ୍କ ନିଜର ପୁଞ୍ଜିନିବେଶ, ଋଣପ୍ରଦାନ, ଆଭ୍ୟନ୍ତରିଣ କାର୍ଯ୍ୟଧାରା ଓ ରିସ୍କ ପରିଚାଳନା ପ୍ରକ୍ରିୟା ସମ୍ପର୍କରେ ଏବେ ସମୀକ୍ଷା ଆରମ୍ଭ କରିଛି । ନୂଆ ଡେପୁଟି ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଇ ପେସ୍, ପିଏମଏସ୍ ପ୍ରଚଳନ ପାଇଁ ବ୍ୟାଙ୍କ୍ ପଦକ୍ଷେପ ଗ୍ରହଣ କରିଛି । ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ମିିଳିତ ପୁଞ୍ଜିନିବେଶ ପାଇଁ ଯୋଜନା କରୁଛି । ଇତିମଧ୍ୟରେ ବ୍ୟାଙ୍କ କାସାରେ ଉନ୍ନତି ଘଟି ଏହା ୨୦୧୮ ଡିସେମ୍ବର ୩୧ ସୁଦ୍ଧା ୩୮% ହୋଇଛି ।


