ଆଇନଜୀବୀଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆସିବ ନୂଆ ଆଇନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ସଂସଦରେ ପ୍ରାଇଭେଟ ମେମ୍ବର ବିଲ ‘ଦ ଆଡ଼ଭୋକେଟ୍ସ ବିଲ (ସଂଶୋଧନ)-୨୦୧୯’ ଆଗତ କରିଥିବା ବାଲେଶ୍ୱର ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ପାଇଁ ଆଉ ଗୋଟିଏ ସଫଳତା । ଜାନୁଆରୀ ୨୪ ତାରିଖ, ୨୦୧୯ରେ ଶ୍ରୀ ଜେନା ଆଗତ କରିଥିବା ଏହି ବିଲ ଉପରେ ବାର କାଉନସିଲ ଅଫ ଇଣ୍ଡିଆ (ବିସିଆଇ) ଦେଶର ସମସ୍ତ ରାଜ୍ୟ ବାର କାଉନସିଲଗୁଡ଼ିକୁ ମତାମତ ଓ ଟିପ୍ପଣୀ ଦେବା ପାଇଁ ପ୍ରସ୍ତାବ ଦେଇଛି । ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଚିଠି ପାଇବା ପରେ ବିସିଆଇ ସମସ୍ତ ରାଜ୍ୟର ବାରଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଜେନା ଆଇନଜୀବୀଙ୍କୁ କୋର୍ଟ କାର୍ଯ୍ୟ ପାଇଁ ଅଯୋଗ୍ୟ ଘୋଷିତ କରିବାକୁ ବିଭିନ୍ନ ପରିବର୍ତ୍ତନ ନେଇ ବିଲରେ ଦାବି କରିଥିଲେ । ଆଡ଼ଭୋକେଟ୍ସ ଆକ୍ଟଟ ୧୯୬୧ର ସେକସନ ୨୪(ଏ), ଅନୁସାରେ ଅସ୍ପୃଶ୍ୟତା ବା ଅନୈତିକ କାର୍ଯ୍ୟ ଯୋଗୁଁ ଦୋଷୀ ସାବ୍ୟସ୍ତ ହୋଇଥିଲେ ଆଇନଜୀବୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ପ୍ରାବଧାନ ରହିଥିଲା । ଧାରା ୨୪(ଏ) ରେ ଅଯୋଗ୍ୟ ଘୋଷଣା କରିବା ପାଇଁ ନିୟମ ରହିଥିବା ବେଳେ ୨୬ଏ ରେ ଅଯୋଗ୍ୟ ଘୋଷଣା କରିବା ପାଇଁ କ୍ଷମତା ସମ୍ପର୍କରେ ନିୟମ ରହିଛି । ବର୍ତ୍ତମାନ ନିୟମ ଅନୁଯାଇ ଧାରା ୨୪(ଏ)ରେ ଯଦି ଜଣେ ଆଇନଜୀବୀ ନୈତିକତା ବିହୀନ ଅଧମତା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବ ବା ଅସ୍ପୃଶ୍ୟତା ଭଳି ଦୁର୍ବ୍ୟବହାର ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବ ତାହେଲେ ସେ ଆଇନଜୀବୀ ଭାବେ କାର୍ଯ୍ୟ କରିପାରିବ ନାହିଁ । ତେବେ ଏହି ଆଇନ ସହିତ ଅଯୋଗ୍ୟ ଘୋଷଣା ପାଇଁ ଅନ୍ୟ କାରଣ ସାମିଲ କରିବା ପାଇଁ ମଧ୍ୟ ନୂଆ ବିଲରେ ଆଗତ କରିଥିଲେ ଶ୍ରୀ ଜେନା । ଯଦି ଜଣେ ଆଇନଜୀବୀ ରାଜ୍ୟର କୌଣସି କୋର୍ଟ ଅବମାନନାରେ ଦୋଷୀ ସାବ୍ୟସ୍ତ ହୋଇଥିବ ବା ଯଦି ଜଣେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୌଣସି ଚାକିରୀରୁ ବହିସ୍କାର ହୋଇଥିବେ ତାହେଲେ ତାଙ୍କୁ ମଧ୍ୟ ଆଇନଜୀବୀ ଭାବେ କାର୍ଯ୍ୟ କରିବାରୁ ଅଯୋଗ୍ୟ ଘୋଷିତ କରିବା ପାଇଁ ବିଲରେ ପ୍ରସ୍ତାବ ରହିଛି । ସେହିପରି ସେକସନ ୨୬(ଏ)ରେ ରହିଥିବା ବର୍ତ୍ତମାନର ନିୟମ ଅନୁସାରେ ଯଦି ଜଣେ ଆଇନଜୀବୀ ମୃତ୍ୟୁବରଣ କରେ ବା ଅବସର ନେବାକୁ ନିବେଦନ କରିଥାଏ, ସେ କ୍ଷେତ୍ରରେ କାର୍ଯ୍ୟକରିବାକୁ ରାଜ୍ୟ ବାର କାଉନସିଲ ତାଙ୍କୁ ଆଇନଜୀବୀ ତାଲିକାରୁ ବାଦ ଦେଇ ପାରିବେ । ହେଲେ ଶ୍ରୀ ଜେନା ଆଗତ କରିଥିବା ନୂଆ ବିଲରେ ଯଦି ଜଣେ ଆଇନଜୀବୀ ଗୁରୁତର ଦୁର୍ବ୍ୟବହାର କରିଥିବେ, କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବେ ବା ସେକସନ ୨୪(ଏ)ରେ ଅଯୋଗ୍ୟ ଘୋଷିତ ହୋଇଥିବେ ତାହେଲେ ବି ରାଜ୍ୟ ବାର କାଉନସିଲ ତାଙ୍କୁ ଅଯୋଗ୍ୟ ଘୋଷିତ କରିପାରିବେ ବୋଲି ବିଲରେ ପ୍ରସ୍ତାବ ରହିଛି । ଏନେଇ ଶ୍ରୀ ଜେନା ପ୍ରାଇଭେଟ ବିଲ ଆଗତ କରିବା ଅବସରରେ କହିଥିଲେ ଯେ ନୂଆ ବିଲ ଆସିଲେ ସାଧାରଣଙ୍କୁ ନ୍ୟାୟ ପ୍ରଦାନରେ ଆହୁରି ସୁଧାର ଆସିବ । ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ଆଇନଜୀବୀ ଦୁଇ ବର୍ଷ ପରେ ପୁଣିଥରେ ଆଇନର ଲଢ଼େଇରେ ପକ୍ଷ ନେଇ ଲଢ଼ି ପାରିବ ନାହିଁ । ବର୍ତ୍ତମାନ ଆଇନ ଅନୁସାରେ ଯଦି ଜଣେ ଆଇନଜୀବୀ ଉପରୋକ୍ତ ନିୟମ ଅନୁସାରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ତାହେଲେ ଦୁଇବର୍ଷର ବାସନ୍ଦ ପରେ ପୁଣି ଆଇନଜୀବୀ ଭାବେ କାର୍ଯ୍ୟ କରିପାରିବେ । ଯାହା ନୈତିକତା ଦୃଷ୍ଟିରୁ ଉଚିତ ମନେ ହେଉ ନାହିଁ । ହେଲେ ନୂଆ ବିଲ ଆସିଲେ ଏହି ଧାରାରେ ପରିବର୍ତ୍ତନ ହୋଇପାରିବ ବୋଲି ଶ୍ରୀ ଜେନା କହିଥିଲେ ।