ଆଇନସେବା ପ୍ରାଧିକରଣ ପକ୍ଷରୁ ନାଗରିକମାନଙ୍କ ମୈାଳିକ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଗୁମ୍ମା ବ୍ଲକ ସମ୍ମିଳନୀ ଗୃହ ଠାରେ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନାଗରିକମାନଙ୍କର କର୍ତ୍ତବ୍ୟ ଏବଂ ଅନ୍ୟାନ୍ୟ ସାମ୍ବିଧାନିକ କର୍ତ୍ତବ୍ୟ ଉପରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲା ଆଇନସେବା ପ୍ରାଧିକରଣର ସମ୍ପାଦକ ବ୍ୟମକେଶ ନାୟକ ଯୋଗଦେଇ ସମ୍ବିଧାନରେ ଉଲ୍ଲେଖଥିବା ନାଗରିକମାନଙ୍କର ମୌଳିକ କର୍ତ୍ତବ୍ୟ ଉପରେ ପୁଙ୍ଖାନୁପୁଙ୍ଖଭାବରେ ଆଲୋକପାତ କରିଥିଲେ । ସେହିପରି ସମ୍ମାନିତ ଅତିଥି ଗୁମ୍ମା ଗୋଷ୍ଠି ଉନ୍ନୟନ ଅଧିକାରୀ ନଟବର ଗରଡ ଯୋଗଦେଇ ଦେଶ ପ୍ରତି ନାଗରିକମାନଙ୍କର ରହିଥିବା ମୌଳିକ କର୍ତ୍ତବ୍ୟ ବିଷୟରେ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟତଃ ସମସ୍ତେ ନିଜର ମୌଳିକ ତଥା ସାମ୍ବିଧାନିକ କର୍ତ୍ତବ୍ୟ ସୂଚାରୁ ରୂପେ ପାଳନ କଲେ ଦେଶର ଉନ୍ନତି ଘଟିବା ସହ ଏକ ଭଲ ପରିବେଶ ଏବଂ ସମାଜ ସୃଷ୍ଟି ହୋଇପାରିବ ବୋଲି ଏହି କାର୍ଯ୍ୟକ୍ରମରେ କୁହାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗୁମ୍ମା ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଜିଲାପରିଷଦ ସଭ୍ୟ ହିମାଶୁଂ ଲିମ୍ମା, ଜିତେନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ପାଣିଗ୍ରାହୀ ଓ ପାର ଲିଗାଲ ଭଲ୍ୟୁଣ୍ଟର ଶଷୀରେଖା ବିଷୋୟୀ ଉପସ୍ଥିତ ରହି ନାଗରିକ ମାନଙ୍କର ମୌଳିକ କର୍ତ୍ତବ୍ୟ ବିଷୟରେ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।