ଆଇନ୍ ପ୍ରୟୋଗକାରୀମାନଙ୍କର ଜିଲ୍ଲାସ୍ତରୀୟ ତାଲିମ କର୍ମଶାଳା ଅନୁଷ୍ଠିତ
କଟକ, (ଯୁଗାବ୍ଦ ନ୍ୟୁଜ):ମାଦକ ଦ୍ରବ୍ୟ ସେବନଠାରୁ ନିଜକୁ ଦୂରେଇ ରଖିବା ସହ ନିଶାମୁକ୍ତ ସମାଜ ଗଠନ ଦିଗରେ ଆଇନ୍ ପ୍ରୟୋଗକାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏ ଦିଗରେ ସଚେତନତା ସୃଷ୍ଟି କରିବା ସହ ସିଗାରେଟ ଓ ଅନ୍ୟ ମାଦକ ଦ୍ରବ୍ୟ ଅଧିନିୟମ (ସିଓଟିପିଏ) ୨୦୦୩ ତଥା ଅନ୍ୟାନ୍ୟ ଆଇନ୍ଗୁଡିକୁ କଡାକଡି ଲାଗୁ କରିବା ଉପରେ ଆଇନ୍ ପ୍ରୟୋଗକାରୀମାନଙ୍କର ଜିଲ୍ଲାସ୍ତରୀୟ ତାଲିମ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହନ୍ତଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ପ୍ରସନ୍ନ କୁମାର ହୋତା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଲୋକନାଥ ପାତ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡଃ ଦୀପା ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବେ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡଃ ନିରଞ୍ଜନ ରାଉତ ପ୍ରମୁଖ ଯୋଗ ଦେଇ ମାଦକ ଦ୍ରବ୍ୟ ସେବନ ଦ୍ୱାରା ସାମାଜିକ, ଅର୍ଥନୈତିକ ଓ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହୋଇଥାଏ ବୋଲି ମତପ୍ରକାଶ କରିଥିଲେ । ଡଃ ରାଉତ ଶରୀର ଉପରେ ମାଦକ ଦ୍ରବ୍ୟ ସେବନର କୁପ୍ରଭାବ ଏବଂ କର୍କଟ ରୋଗର ଭୟାବହତା ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ “ମାଦକ ଦ୍ରବ୍ୟ ମୁକ୍ତ କଟକ” ବିଷୟବସ୍ତୁ ଉପରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା । ଏହି କର୍ମଶାଳାରେ ପୋଲିସ୍ ଅଧିକାରୀ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ ।