ଆଇନ ସେବା ପ୍ରାଧିକରଣ ତରଫରୁ ବର୍ଷର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଦିନ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ୨ତମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଗଜପତି ଜିଲ୍ଲା ତଥା ଦୌରାଜଜ୍ ସତ୍ୟପୀର ମିଶ୍ର ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସଙ୍ଗେ ସଙ୍ଗେ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ । ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ବିଚାରଧିନ ଥିବା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଞ୍ଚମାନ ପ୍ରତିଷ୍ଠା କରାଯାଇଥିଲା । ଲୋକ ଅଦାଲତରେ ପରିବାର ଅଦାଲତ ଜଜ୍ ସୁବ୍ରତ ମହାଲନ୍ତି, ସବଜଜ୍ ଦୀପଙ୍କର ପଟ୍ଟନାୟକ, ଆଇନ ସେବା ପ୍ରାଧିକରର ସଚିବ ରବି ନାରାୟଣ ବେହେରା ଓ କୋର୍ଟ ରେଜିଷ୍ଟ୍ରାରର ସତ୍ୟବ୍ରତ ରଣା, ଉଖଣ୍ଡିୟ ବିଚାର ବିଭାଗୀୟ ଅଧିକାରିଣୀ ବର୍ଷା ଶର୍ମା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀ ଅଧିକ।।ରିଣୀ (ମହିଳା ବିଭାଗ) ଶୁଭଲକ୍ଷ୍ମୀ ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ । ସେହିପରି ଭାବେ ଆର୍.ଉଦୟଗିରି କୋର୍ଟ ଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସବଜଜ୍ ବିଶେଶ୍ୱର ବିଶ୍ୱ ପ୍ରକାଶ ରାୟ ଓ କାଶୀନଗର କୋର୍ଟ ପ୍ରଥମ ଶ୍ରେଣୀୟ ବିଚାର ବିଭାଗୀୟ ଅଧିକାରିଣୀ ରେଶମା ଧଳ ବିଶୋୟୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ ସମ୍ପାଦନ କରିଥିଲେ । ଆୟୋଜିତ ଲୋକ ଅଦାଲତରେ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରୀୟ ବ୍ୟାଙ୍କର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ । ଆୟୋଜିତ ଏହି ଲୋକ ଅଦାଲତରେ ଜିଲ୍ଲା କୋର୍ଟ ଓକିଲ ସଂଘର ସମସ୍ତ ଓକିଲବୃନ୍ଦଙ୍କ ସମେତ ସମ୍ପାଦକ କୃଷ୍ଣମୋହନ ପଟ୍ଟନାୟକ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ଥିବା ମକଦ୍ଦମାରେ ସହଯୋଗ ପ୍ରଦାନ କରିଥିଲେ । ଏହି ଲୋକ ଅଦାଲତରେ ସମୂଦାୟ ୨୯୯ଗୋଟି କେସର ତ୍ୱରିତ ବିଚାରକୁ ନିଆଯାଇ ସମୁଦାୟ ୬୧ଟି କେସର ସମାଧାନ କରାଯାଇ ସର୍ବମୋଟ ୧୩ଲକ୍ଷ ୩୫ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା । ଏହି ଲୋକ ଅଦାଲତକୁ ପ୍ରାଧିକରଣର କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।