ଆଇପିଏଲ୍ ବେଟିଂ ର୍ୟାକେଟ ଉପରେ ପୋଲିସର ଚଢ଼ାଉ,ଦୁଇ ଗିରଫ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ବ୍ରହ୍ମପୁରରେ ଚାଲିଥିବା ଏକ ଆଇପିଏଲ୍ ବେଟିଂ ର୍ୟାକେଟକୁ ଠାବ କରିବାରେ ସଫଳ ହୋଇଛି ପୋଲିସ। ର୍ୟାକେଟର ମୁଖ୍ୟ ସମେତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ନଗଦ ୩୩ ଲକ୍ଷ ୬୧ହଜାର ଟଙ୍କା ଜବତ ହୋଇଥିବା ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ରାକେଟକୁ ଠାବ କରିଥିଲା। ଚଢ଼ାଉ ବେଳେ ଆର.ଲାଲି ଆଚାର୍ଯ୍ୟ ଏବଂ କେ. ପ୍ରଶାନ୍ତ କୁମାର ସୁବୁଦ୍ଧିଙ୍କୁ ଗିରଫ କରାଯାଇଛି। ଉଭୟଙ୍କ ଠାରୁ ନଗଦ ଟଙ୍କା ସହିତ ମୋବାଇଲ ଫୋନ୍, ଏଟିଏମ କାର୍ଡ ଜବତ କରାଯାଇଛି। ଏହି ର୍ୟାକେଟରେ ଅନେକ ଲୋକ ଜଡ଼ିତ ଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ଏହି ରାକେଟରେ ଜଡିତ ସମସ୍ତଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲୁ ରହିଛି । ବିଭିନ୍ନ ୱେବସାଇଟ ଓ ମୋବାଇଲ ଆପ୍ ଜରିଆରେ ବେଟିଂ ଚାଲିଥିବା ବେଳେ ଏହି ରାକେଟର ଲିଙ୍କ ଦୁବାଇ,ମୁମ୍ବାଇ ଓ କୋଲକାତା ସହ ସିଧାସଳଖ ନେଟୱର୍କ ଥିବା ଦକ୍ଷିଣାଞ୍ଚଳ ଡ଼ିଆଇଜି ସତ୍ୟବ୍ରତ ଭୋଇ କହିଛନ୍ତି ।