ଆଉ ଏକ ସାଲବେଗ : ଜଗନ୍ନାଥ ପ୍ରେମରେ ଦଳିତ ଛାତ୍ର ରୋହନ
ନିମାପଡ଼ା, ( ସନ୍ତୋଷ ଦାଶ) :-ଜଗନ୍ନାଥ ପ୍ରେମରେ ଉବୁଟୁବୁ ଜଣେ ଅନୁସୂଚିତ ଜାତିର ଛାତ୍ର ରୋହନ । ୪ ବର୍ଷ ବୟସରୁ ମହାପ୍ରଭୁଙ୍କୁ ନିଜ ଘରେ ଆରାଧନା କରିବା ସହ ୧୨ ବର୍ଷ ହେଲା ନିଜ ଗାଁରେ ଶ୍ରୀ ଜଗନ୍ନାଥ ଙ୍କୁ ପୂଜା କରୁଛନ୍ତି । ଚଳିତ ବର୍ଷ ୭ ଫୁଟ ଉଚ୍ଚତା ର ଏକ ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ କରି ରଥଯାତ୍ରା କରିଛନ୍ତି । ସବୁଠାରୁ ଆକର୍ଷଣ କରୁଛି ତାଙ୍କ ଦ୍ୱାରା ଦିଆସିଲ କାଠିରେ ନିର୍ମିତ ୧୦ ସେଣ୍ଟିମିଟର ଓ ୩.୫ ସେଣ୍ଟିମିଟର ଉଚ୍ଚତାର ଦୁଇଟି ରଥ । ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ରାଉଳପାଟଣା ଗୋଛାୟତ ସାହିର ପ୍ରମୋଦ ଗୋଛାୟତ ଓ କବିତା ଗୋଛାୟତଙ୍କ ଏକ ମାତ୍ର ପୁଅ ରୋହନ । ରୋହନ ଏବେ ଯୁକ୍ତଦୁଇ ରେ ପାଠ ପଢ଼ୁଥିବା ବେଳେ ୪ ବର୍ଷ ବୟସରୁ ସେ ଜଗନ୍ନାଥ ଙ୍କ ପ୍ରେମରେ ପଡି ଯାଇଛନ୍ତି । କୁନି ବୟସରୁ ମହାପ୍ରଭୁଙ୍କ ପୂଜାର୍ଚନା ସହ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତିକୁ ନିଜ ଘରେ ପାଳନ କରୁଛନ୍ତି । ପିଲାଦିନୁ ବିଭିନ କଳା ପ୍ରତି ରୁଚି ରଖିଥିବା ବେଳେ ଏବେ ବାଲୁକା କଳା ଠାରୁ ଆରମ୍ଭ କରି ବିଭିନ୍ନ ଚିତ୍ରକଳା ନିଜେ କରୁଛନ୍ତି । ୪ବର୍ଷ ବୟସରୁ ନିଜେ ହାତରେ କୁନି କୁନି ରଥନିର୍ମାଣ କରି ରଥଯାତ୍ରା କରିଆସୁଥିବା ବେଳେ । କରୋନା କଟକଣା ଉଠିଯିବା ପରେ ବାପା ମାଙ୍କ ଠାରୁ ୧୫ ହଜାର ଟଙ୍କା ନେଇ ସ୍ଥାନୀୟ କାରିଗର ଙ୍କ ସହଯୋଗରେ ଏକ ୭ ଫୁଟ ଉଚ୍ଚତା ର ରଥ ନିର୍ମାଣ କରିବା ସହ ଦିଆସିଲ କାଠିରେ ଦୁଇଟି କୁନି କୁନି ରଥ ନିର୍ମାଣ କରିଛନ୍ତି । ତାଙ୍କ ଦ୍ବାରା ନିର୍ମିତ ୧୦ ସେଣ୍ଟିମିଟର ଓ ୩.୫ ସେଣ୍ଟିମିଟର ଉଚ୍ଚତା ର ଦୁଇଟି ରଥ ବେଶ ଆକର୍ଷଣ ପାଲଟିଛି । ପରିବାର ର ଆର୍ଥିକ ଅବସ୍ଥା ସେତେ ଭଲ ନଥିଲେ ମଧ୍ୟ ପୁଅର ଆଗ୍ରହ ଦେଖି ବାପା ,ମା ,ଜେଜେମା ସମସ୍ତେ ତାଙ୍କୁ ସହଯୋଗ କରିଆସୁଛନ୍ତି ।ରୋହନ ଙ୍କ ଦ୍ୱାରା ଅନୁଷ୍ଠିତ ରଥଯାତ୍ରାରେ ଗାଁ ଲୋକେ ବେଶ ଆନନ୍ଦ ଉଲ୍ଲାସର ସାମିଲ ହୋଇଥାନ୍ତି । ରୋହନଙ୍କ ଜଗନ୍ନାଥ ପ୍ରେମ ତାଙ୍କ ଗାଁ ଲୋକଙ୍କୁ ଗର୍ବିତ କରିଛି ବୋଲି କୁହନ୍ତି ତାଙ୍କ ବାପା ପ୍ରମୋଦ ଓ ମା କବିତା ଗୋଚ୍ଛାୟତ। ରୋହନଙ୍କ କାଳିଆ ପ୍ରେମ ସତରେ ପୁରା ନିଆରା । ସମସ୍ତଙ୍କ ମନରେ ଗୋଟିଏ ଇଛା କାଳିଆ ସାଆନ୍ତ ରୋହନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କରନ୍ତୁ ।


