ଆକାଶବାଣୀ ଓ ଦୂରଦର୍ଶନର ସମ୍ବାଦଦାତାଙ୍କ ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଲୋଚନା
ଭୂବନେଶ୍ୱର (ଯୁଗାବ୍ଦ ନ୍ୟୁଜ ) : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆକାଶବାଣୀ ଏବଂ ଦୂରଦର୍ଶନର ସମସ୍ତ ରାଜ୍ୟ ଏବଂ ଜିଲ୍ଲାସ୍ତରୀୟ ସାମୟିକ ସମ୍ବାଦଦାତାମାନଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏହି ସମୟରେ କିଭଳି ସମ୍ବାଦ ପ୍ରସ୍ତୁତ ଏବଂ ପ୍ରସାରଣ କରାଯିବ ସେ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଆକାଶବାଣୀ ଏବଂ ଦୂରଦର୍ଶନର ସାମୟିକ ସମ୍ବାଦଦାତାମାନଙ୍କୁ ଆଦର୍ଶ ଆଚରଣ ବିଧି ସମ୍ପର୍କରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର, ଉପମୁଖ୍ୟ ନିର୍ବାଚନ ଅଧିକାରୀ ସଚିନ ଯାଦବ, ଯୁଗ୍ମ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର, ଉପନିର୍ବାଚନ ଅଧିକାରୀ ରଘୁରାମ ଆୟାର, ଆକାଶବାଣୀର ଉପ ମହାନିର୍ଦ୍ଦେଶକ ପିକେ ପତି, ଆକାଶବାଣୀ ସମ୍ବାଦ ବିଭାଗର ଉପ ନିର୍ଦ୍ଦେଶକ କେପି ରାଜୀବନ, ଦୂରଦର୍ଶନର ଉପ ନିର୍ଦ୍ଦେଶକ ବଦ୍ରୀ ନାରାୟଣ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।