ଆକ୍ସନ ମୁଡରେ ଛତ୍ରପୁର ବିଡିଓ: ହାତରେ ଲାଠି ଧରି ରାସ୍ତାରେ ଜରିମାନା ଆଦାୟ କଲେ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗଞ୍ଜାମ ଜିଲ୍ଲାରେ ୧୯ ଘଂଟିଆ ସଟ୍ ଡାଉନ ଘୋଷଣା କରିଛନ୍ତି । ମଧ୍ୟାହ୍ନ ୧୨ଟାଠାରୁ ୧୯ ଘଂଟା ପ୍ରତ୍ୟେକ ଦିନ ସଟ୍ ଡାଉନ ଯୋଗୁଁ ଆସନ୍ତା ଦିନ ସକାଳ ୭ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ନିମନ୍ତେ କୁହାଯାଇଛି । ଏହାସହିତ ସମସ୍ତେ ମାସ୍କ ବ୍ୟବହାର କରିବାକୁ କୁହାଯାଇଥିବାବେଳେ ସହରାଂଚଳରେ ମାସ୍କ ବ୍ୟବହାର ନକରିଥିଲେ ଏକ ହଜାର ଟଙ୍କା ଓ ଗ୍ରାମାଂଚଳରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆକ୍ସନ ମୁଡରେ ରହିଥିବା ଦେଖିବାକୁ ମିଳିଛି । ଅଯଥାରେ ଯେଉଁମାନେ ବାହାରେ ବୁଲୁଛନ୍ତି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଜରିମାନା ଓ ବାଇକଗୁଡ଼ିକ ଜବତ କରାଯାଇଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଛତ୍ରପୁର ବିିଡିଓ ଅମ୍ବିକା ପ୍ରସାଦ ଦାଶ ହାତରେ ଲାଠି ଧରି ଆକ୍ସନ ମୁଡରେ ଲୋକମାନଙ୍କୁ ସାବାଡ଼ କରୁଥିବାର ଦେଖିବାକୁ ମିଳିଛି । ମାସ୍କ ନପିନ୍ଧିବା ଏବଂ ବାଇକରେ ଦୁଇଜଣ ବସିଥିବା ନେଇ ପୁଲିସ କର୍ମଚାରୀଠାରୁ ଆରମ୍ଭ କରି ସରକାରୀ ଚାକିରିଆ, ସାମ୍ବାଦିକ ମାନଙ୍କଠାରୁ ଜରିମାନା ଆଦାୟ କରିବା ସହ ସେମାନଙ୍କୁ ତାଗିଦ କରିଥିବା ନଜରକୁ ଆସିଛିି । ଛତ୍ରପୁର ବ୍ଲକର କାର୍ଯ୍ୟରତ ଡ୍ରାଇଭର, ଗଞ୍ଜାମ ଏସପି କାର୍ଯ୍ୟାଳୟର କନେଷ୍ଟବଳ ଠାରୁ ମଧ୍ୟ ଜରିମାନା ଆଦାୟ କରାଯାଇଛି । ଅଯଥାରେ ମାସ୍କ ନପିନ୍ଧି କିଛି ବାହାରେ ବୁଲୁଥିବା ନେଇ ଲୋକମାନଙ୍କଠାରୁ ଛକ ଛକ ଅଂଚଳରେ ଯାଂଚ କରି ଜରିମାନା ଆଦାୟ କରାଯାଇଛି । ଏଥିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଅତିରିକ୍ତ ତହସିଲଦାର ଯଶ୍ମିନ କୁମାର ପ୍ରଧାନଙ୍କ ସମେତ ବ୍ଲକ ଓ ଏନଏସି କର୍ମଚାରୀମାନେ ଉପସ୍ଥିତ ଥିଲେ ।


