ଗଞ୍ଜାମ ଜିଲ୍ଲା କୋଭିଡ୍-୧୯ ଫଣ୍ଡକୁ ଖଲିକୋଟ ବିଧାୟିକା ନିଜ ପାଣ୍ଠିରୁ ୬୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କଲେ
ଛତ୍ରପୁର (ଓ୍ବାଇଏନ୍ଏସ୍) : ମହାମାରି ରୂପ ନେଉଥିବା କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଦଳର ସମସ୍ତ ବିଧାୟକ ଓ ସାଂସଦ ମାନେ କୋଭିଡ୍-୧୯ ଫଣ୍ଡକୁ ସହାୟତା ରାଶି ପ୍ରଦାନ କରିଆସୁଛନ୍ତି । ଏ ନେଇ ଗଞ୍ଜାମ ଜିଲ୍ଲାର ଖଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟ ମଙ୍ଗଳବାର ଗଞ୍ଜାମ ଜିଲ୍ଲାର କୋଭିଡ୍-୧୯ ଫଣ୍ଡକୁ ନିଜ ବିଧାୟକ ପାଣ୍ଠି ରୁ ୬୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ତାଙ୍କର ହାତ ପାଣ୍ଠି ରୁ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ତାଙ୍କ ସ୍ୱାମୀ ତଥା ଯୁବନେତା ଦୈତାରୀ ବେହେରା ଉପସ୍ଥିତ ରହି କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ନିମନ୍ତେ କହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିବା ଆଂଶିକ ସଟଡାଉନକୁ କିପରି ସମସ୍ତେ ପାଳନ କରିବା ନିମନ୍ତେ କୁହାଯାଇଛି । ଆବଶ୍ୟକ ନଥିଲେ କେହି ଘରୁ ନବାହାରିବା ପାଇଁ ବିଧାୟିକା ଶ୍ରୀମତି ବୈଦ୍ୟ ଅନୁରୋଧ କରିଛନ୍ତି ।


