ଆଗକୁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୯ଟାରୁ ଆରମ୍ଭ ହୋଇଯାଉଛି ତାତି। ଅପରାହ୍ନ ୫ଟା ଯାଏ ଗ୍ରୀଷ୍ମ ପ୍ରକୋପ ଲାଗି ରହୁଛି। ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଦେହ ମୁଣ୍ଡକୁ ଝାଇଁ ଝାଇଁ କରି ଦେଇଛି। ଖରାରେ ଅସ୍ତବ୍ୟସ୍ତ ଅଧା ଓଡ଼ିଶା। ଆସନ୍ତା ୩/୪ ଦିନ ରାଜ୍ୟର ତାପମାତ୍ରା ଅଧିକ ବଢ଼ିବାର ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବାର ଆଶଙ୍କା କରାଯାଉଛି। ବିଶେଷ କରି ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ। ଏଥିସହ କେତେକ ଜାଗାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୧୭ରୁ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି। ସୋମବାର ରାଜଧାନୀ ଭୁବନେଶ୍ବର ଓ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କରାଯାଇଥିଲା। ଉଭୟ ସହରର ତାପମାତ୍ରା ୪୧.୫ ଡିଗ୍ରୀରେ ପହଞ୍ଚିଥିଲା। ତେବେ ଆଗାମୀ ଦିନରେ ଅନେକ ସହରର ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିବ ବୋଲି ଆଞ୍ଚଳିକ ପାଣିପା‌ଗ ବିଜ୍ଞା ନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଆସନ୍ତା କିଛିଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଉପକୂଳ ଓଡ଼ିଶାରେ ପାରଦ ୪୦ଡିଗ୍ରୀ ସେଲସିୟସ୍‌ ଉପରେ ରହିବା ବେଳେ ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ତାତି ସାମାନ୍ୟ କମିବ। କାଳବୈଶାଖୀ ଜନିତ ବର୍ଷା ଯୋଗୁ ଆସନ୍ତା ୨୦ ଏବଂ ୨୧ ତାରିଖରେ ପାରଦ ସାମାନ୍ୟ କମିବା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବା ସହ କନ୍ଧମାଳ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବାଲେଶ୍ୱର, ପୁରୀ ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୫ ତାରିଖ ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଆଦି ଜିଲ୍ଲାର କିଛି ସ୍ଥା‌ନରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ କାଳବୈଶାଖୀ ବର୍ଷା ହେବ। ୧୬ ତାରିଖ ଦିନ କୋରାପୁଟ, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ, ବାଲେଶ୍ବର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବ। ୧୭ ତାରିଖ ଦିନ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାରେ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ଓ ଘଡ଼ଘଡ଼ି ସହ କେତେକ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ଏଥିସହ କୋରାପୁଟ, ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ରାୟଗଡ଼ା ଓ କେନ୍ଦୁଝର ଆଦି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ ବୋ‌ଲି କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ