ଆଜିଠୁ ଆରମ୍ଭ ଲକ୍ଷ୍ମୀ ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ : ସହର ମୁଖରିତ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ତଥା ଅଞ୍ଚଳର ପ୍ରସିଦ୍ଧ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ରବିବାର ଠାରୁ ଆରମ୍ଭ ହେବ । ଯାତ୍ରାତ୍ସୋବ ପାଳନ ସକାଶେ ହିଞ୍ଜିଳିକାଟୁ ସହର ବେଶ୍ ଚଳଚଞ୍ଚଳ ହୋଇ ଉଠିଛି । ବିଭିନ୍ନ ସାହି ବସ୍ତିକୁ ରଙ୍ଗବେରଙ୍ଗ ବାନାମାଳ ସାଜସଜ୍ଜା ସାଙ୍ଗକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି । ବିଭିନ୍ନ ସାହିବସ୍ତିରେ ସ୍ଥାପିତ ହେବାକୁ ଥିବା କଳାକୁଞ୍ଜ ଗୁଡିକ ସଂପୃକ୍ତ ସାହିବସ୍ତିର ଯୁବଗୋଷ୍ଠୀଙ୍କ ଦ୍ବାରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯାତ୍ରାର ପ୍ରଥମ ଦିବସ ରବିବାର ରାଜପରିବାର ଓ କେଉଟବାଡର ମିଳିତ ସହଯୋଗରେ ପାଳନ କରାଯିବ । ଅନୁରୂପ ଭାବେ ସ୍ଥାନୀୟ ପୈାରାଞ୍ଚଳ ପାଟଣା ସାହି ପକ୍ଷରୁ ମଧ୍ୟ ପ୍ରଥମ ଦିବସ ପାଳନ କରାଯିବ । ଏଥି ନିମନ୍ତେ ବିଭିନ୍ନ ସାହିରେ ଅସ୍ଥାୟୀ ଭାବେ ସ୍ଥାପନ ହେବାକୁ ଥିବା ଆକର୍ଷଣୀୟ କଳାକୁଞ୍ଜ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ନଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ବହୁ ଚିତ୍ରାଳୟ ମାଲିକ ମାନେ ଆସି ହିଞ୍ଜିଳିକାଟୁ ସହରରେ ଭିଡ ଜମାଇଛନ୍ତି। ମାନସିକଧାରୀ ମାନଙ୍କୁ ବିଭିନ୍ନ ବେଶରେ ସଜ୍ଚିତ କରି ନିଜର ପରିବାର ପ୍ରତିପୋଷଣ ସହ ବେଶ ୨ପଇସା ରୋଜଗାର ଆଶାରେ ଆସି ହିଞ୍ଜିଳିକାଟୁ ସହରରେ ପହଞ୍ଚିଛନ୍ତି। ଚଳିତ ବର୍ଷ ମହାଆଡମ୍ବର ସହକାରେ ଯାତ୍ରା ଆୟୋଜନ କରିବା ନେଇ ବିଭିନ୍ନ ସାହିବସ୍ତିର ଯୁବଗୋଷ୍ଠୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ରାମ, ପର୍ଶୁରାମ, ବୀର ହନୁମାନ, ଜାରାଶବର ସମେତ ଅନ୍ୟାନ ମନଲୋଭା କଳାକୁଞ୍ଜ ଗୁଡିକୁ ବିଭିନ୍ନ ସାହି ବସ୍ତିରେ ଆଲୋକମାଳାରେ ଝଟକିବ । ମାନସିକଧାରୀ ଭକ୍ତ ମାନେ ରାମ, କୃଷ୍ଣ, ପିଲାଖାଇ ଡାହାଣୀ, ବାଘ, ଅସୁର/ଅସୁରଣୀ, କାଚରା, ଖଟବିଦ୍ୟା ଆଦି ବିଭିନ୍ନ ବେଶ ଭୁଷାରେ ଆଭରଣ ହୋଇ ସହର ମଧ୍ୟରେ ପାରମ୍ପରିକ ଭିକ୍ଷାକାମନା କରିବା ଦୃଶ୍ୟ ବେଶ ଆକର୍ଷଣୀୟ ହେବ । ବାଦ୍ୟବାଜଣା ସହ ମାନସିକଧାରୀଙ୍କ ନୃତ୍ୟ ଓ ସଙ୍ଗୀତରେ ସହର ପ୍ରକମ୍ପିତ ହୋଇଉଠିବ । ଯାତ୍ରାତ୍ସୋବର ମୁଖ୍ୟ ଆକର୍ଷଣ ବାଣ ପଟୁଆର ସହ ପଶୁମୁଖା ନୃତ୍ୟ ସହ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ବିମାନ ଯୋଗେ ଗ୍ରାମ ପରିକ୍ରମା ଦେଖିବା ସକାଶେ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ପ୍ରାୟ ୪୦ଖଣ୍ଡ ଗ୍ରାମବାସୀଙ୍କ ସମାଗମ ହେଉଥିବା ପରିଲିକ୍ଷିତ ହେଉଛି । ଏଣୁ ଏକ ଭକ୍ତିମୟ ପରିବେଶରେ ଯାତ୍ରାତ୍ସୋବ ପାଳିତ ହେବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭକ୍ତିଭାବର ସମନ୍ୱୟ ଦେଖିବାକୁ ମିଳିବ । ପ୍ରଶାସନ ପକ୍ଷରୁ ପାନୀୟଜଳ, ପରିମଳ, ଶାନ୍ତି ଶୃଙ୍ଖଳା, ନିରବିଛନ୍ନ ବିଦ୍ୟୁତ ସେବା, ସ୍ୱାସ୍ଥ୍ୟ ସେବା ଓ ଅଗ୍ନିକାଣ୍ଡ ଆଦି ପ୍ରତି ପ୍ରତିକାର ମୂଳକ ପଦକ୍ଷେପ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି । ଯାତ୍ରାର ସୁପରିଚାଳନା ସକାଶେ ବଡ ରଙ୍ଗଣିସାହି ଯାତ୍ରାଧିକାରୀ ବଂଶୀଧର ସାହୁ କେଉଟସାହି ଯାତ୍ରା କମିଟି ସଭାପତି ପ୍ରମୋଦ ବେହେରା ଓ ପାଟଣା ସାହି ଯାତ୍ରା କମିଟି ପକ୍ଷରୁ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି । ବିଶୃଙ୍ଖଳାକାରୀ ଓ ଅସାମାଜିକ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ସାଦା ପୋଷାକଧାରୀ ପୁଲିସ୍ ନିୟୋଜନ କରାଯିବ ବୋଲିି ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ