କଳିଙ୍ଗ ରୋଡ ମୁଖ୍ୟ ସଡକରେ ଜଳୁନି ଅଧିକାଂଶ ଏଲ୍ଇଡି ଲାଇଟ୍ !
ଆସିକା (ୱାଇଏନ୍ଏସ୍) :ସହରାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କ ମୌଳିକ ଆବଶ୍ୟକତାକୁ ଅଗ୍ରାଧିକାର ଭିତ୍ତିରେ ପୂରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବହୁବିଧ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରାଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ଦାୟିତ୍ୱରେ ଥିବା କେତେକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ସହରରେ ତାହା ବହୁମାତ୍ରାରେ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି । ୧୮ଟି ୱାର୍ଡ ବିଶିଷ୍ଟ ଆସିକା ପୌର ପରିଷଦର ଶତାଧୀକ ସାହିବସ୍ତି ସମେତ କଳିଙ୍ଗରୋଡକୁ ଉଜ୍ଜଳ ଆଲୋକୀକରଣ କରାଯାଇ ସେଗୁଡିକର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଏକ ଘରୋଇ ଠିକାସଂସ୍ଥା ଉପରେ ନ୍ୟସ୍ତ କରାଯାଇଥିବା ଜଣାପଡିଛି । ବିଜୟୱାଡା-ରାଞ୍ଚି କରିଡର ଅଧୀନସ୍ଥ ସଦାସର୍ବଦା ବ୍ୟସ୍ତବହୁଳ ଆସିକା କଳିଙ୍ଗରୋଡର ମୁଖ୍ୟସଡକ ମଝିରେ ଲାଗିଥିବା ଏଲ୍ଇଡି ଲାଇଟ୍ ମଧ୍ୟରୁ କେତୋଟି ମାସ ମାସ ଧରି ଜଳୁ ନଥିଲେ ମଧ୍ୟ ସେଗୁଡିକୁ ମଧ୍ୟ ସଜାଡିବା ପାଇଁ ପଦକ୍ଷେପ ନିଆନଯିବା ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଉଛି । ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳରେ ଋଷିକୁଲ୍ୟା ଓ ବଡନଦୀ ସେତୁର ଦୁଇ ପାଶ୍ୱର୍ ସମେତ କଳିଙ୍ଗ ରୋଡର ମଧ୍ୟବର୍ତ୍ତୀ ରୋଡ ଡିଭାଇଡର୍ରେ ଲଗାଯାଇଥିବା ରଙ୍ଗୀନ ଏଲ୍ଇଡି ଲାଇଟ୍ ମଧ୍ୟ ଠିକ୍ ଭାବେ ଜଳୁନଥିବା ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ କଳିଙ୍ଗ ରୋଡ ଅଞ୍ଚଳରେ ଲାଗିଥିବା ଅଧିକାଂଶ ଏଲ୍ଇଡି ଲାଇଟ୍ ଆଦୌ ଜଳୁନଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳର ସଦାସର୍ବଦା ବ୍ୟସ୍ତବହୁଳ କଳିଙ୍ଗରୋଡରେ ଲାଗିଥିବା ଲାଇଟ୍ ଗୁଡିକ ପୂର୍ଣ୍ଣମାତ୍ରାରେ ଠିକ୍ ଭାବେ ନିୟମିତ ଜଳୁଛି କି ନାହିଁ ତାହାର ମଧ୍ୟ ତଦାରଖ କରାଯାଉନଥିବା ଅଭିଯୋଗ ହେଉଛି । ଆସିକା ପୌର ପରିଷଦ ପରିସରଭୁକ୍ତ କଳିଙ୍ଗ ରୋଡ ମୁଖ୍ୟ ସଡକର କେତେକ ଅଞ୍ଚଳର ଆଲୋକୀକରଣ ବ୍ୟବସ୍ଥା ଦିନକୁ ଦିନ ବାଟବଣା ହେବାରେ ଲାଗିଛି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଛି । ଅନ୍ଧାର ରାତିରେ କଳିଙ୍ଗ ରୋଡରେ ସାଧାରଣ ଜନତା ଘରୁ ବାହାରିବାକୁ ନିରାପଦ ମଣୁନଥିବା ବେଳେ ସମସ୍ୟାକୁ ସମାଧାନ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ନୀରବତାକୁ ନେଇ ବି ଅସନ୍ତୋଷ ପ୍ରକାଶ ପାଉଛି । ଏଲ୍ଇଡି ଲାଇଟ୍ର ପରିଚଳନା ଓ ରକ୍ଷଣାବେକ୍ଷଣ ପାଇଁ ଦାୟିତ୍ୱ ନେଇଥିବା ଠିକ୍ ସଂସ୍ଥାକୁ ଅବହେଳା ଓ ଦାୟିତ୍ୱହୀନତାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଯୁଦ୍ଧକାଳୀନ ଭିତ୍ତିରେ କଳିଙ୍ଗରୋଡ ଏବଂ ଋଷିକୁଲ୍ୟା ଓ ବଡନଦୀ ସେତୁରେ ଲାଗି ରହିଥିବା ଅସଜଡା ଏଲ୍ଇଡି ଲାଇଟ୍ ଗୁଡିକୁ କାର୍ଯ୍ୟକ୍ଷମ କରିବା ସାଙ୍ଗକୁ ଚୁକ୍ତି ଅନୁଯାୟୀ ଦାୟିତ୍ୱ ସଂପାଦନ କରିବାରେ ଅବହେଳା କରୁଥିବା ଘରୋଇ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ଦିଗରେ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି ।


