ଆଜିଠୁ ଆରମ୍ଭ ହେବ ମାଟ୍ରିକ୍‍ ପରୀକ୍ଷା ଖାତା ଦେଖା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ଯୋଗଦେଲେ ଶିକ୍ଷକ

ଆସିକା, (ୱାଇଏନ୍‍ଏସ୍‍):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ତଥା ମାଟ୍ରିକ ପରୀକ୍ଷା ଗତ ଫେବୃୟାରୀ ମାସ ୨୧ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ମାସ ୩ ତାରିଖରେ ଶେଷ ହୋଇସାରିଛି । ଆସନ୍ତାକାଲି ଅର୍ଥାତ୍‍ ବୁଧବାର ଠାରୁ ସ୍ଥାନୀୟ ହରିହର ହାଇସ୍କୁଲ ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚୟନ ହୋଇଥିବା ୨୪୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆଜି ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କଡା ସୁରକ୍ଷା ବଳୟ ମଧ୍ୟରେ ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସବ୍‍ଜେକ୍ଟିଭ୍‍ ଉତ୍ତରଖାତା ପହଞ୍ଚିସାରିଛି । ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାର ପରୀକ୍ଷାଖାତା ମୂଲ୍ୟାୟନ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ମାଟ୍ରିକ ପରୀକ୍ଷାଖାତା ମୂଲ୍ୟାୟନ ବ୍ୟବସ୍ଥାରେ ସ୍ୱଚ୍ଛତା ବଜାର ରଖିବା ଓ ତୃଟିଶୂନ୍ୟ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପରକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ମାଟ୍ରିକ ପରୀକ୍ଷା ଖାତା ଦେଖିବା ପାଇଁ ିନିୟୋଜିତ ଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମଙ୍ଗଳବାର ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ଆସନ୍ତାକାଲି ଅର୍ଥାତ୍‍ ବୁଧବାର ସକାଳ ୯ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ପରୀକ୍ଷାଖାତା ଦେଖା ଆରମ୍ଭ ହେବ ବୋଲି ଜଣାପଡିଛି । ଏହି ମାଟ୍ରିକ ପରୀକ୍ଷା ଖାତା ଦେଖା କାର୍ଯ୍ୟକ୍ରମ ଦୀର୍ଘ ୧୨ ଦିନ ଚାଲିବାର କାର୍ଯ୍ୟକ୍ରମ ରହିଥିବା ବେଳେ ମାଟ୍ରିକ ପରୀକ୍ଷା ଖାତାରେ ନିୟୋଜିତ ଥିବା ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ମୂଲ୍ୟାୟନ ସମୟରେ ପରୀକ୍ଷା କେନ୍ଦ୍ର ବାହାରକୁ ଯାଇପାରିବେ ନାହିଁ ଓ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍‍ ଫୋନ୍‍ ନେବା ଉପରେ ବାରଣ କରାଯାଇଛି । ମାଟ୍ରିକ ପରୀକ୍ଷା ଖାତା ଦେଖିବା ଲାଗି ପ୍ରତିି ୟୁନିଟରେ ଜଣେ ଚିଫ୍‍ ଏକ୍‍ଜାମିନର୍‍, ୨ ଜଣ ଡେପୁଟି ଚିଫ୍‍ ଏକ୍‍ଜାମିନର୍‍, ୨ ଜଣ ସ୍କୃଟିନାଇଜର୍‍ ବୋର୍ଡ ପକ୍ଷରୁ ନିୟୋଜିତ ଜଣେ କ୍ୟାମ୍ପ ଅଫିସର୍‍, ମୂଲ୍ୟାୟନ କେନ୍ଦ୍ରର ପ୍ରଧାନଶିକ୍ଷକ ନିୟୋଜିତ ଥିବା ଜଣାପଡିଛି । ଏହା ବାଦ୍‍ ଅନ୍ୟ କେତେକ ମୂଲ୍ୟାଙ୍କନକାରୀଙ୍କୁ ରିଜର୍ଭରେ ରଖାଯାଇଥିବା ବେଳେ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ପରେ ପ୍ରତିଦିନ ଡାଟା ଏଣ୍ଟ୍ରି ଅପରେଟର୍‍ ମାନଙ୍କ ମାଧ୍ୟମରେ ମାର୍କ ଅପ୍‍ଲୋଡ୍‍ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଲକ୍ଷ୍ୟ କରାଯାଇଛି । ମାଟ୍ରିକ ପରୀକ୍ଷାର୍ଥୀମାନେ ୬ଟି ବିଷୟରେ ୬ ଶହ ନମ୍ବରର ପରୀକ୍ଷା ଦେଇଥିଲେ । ସେଥି ମଧ୍ୟରୁ ୫୦ ନମ୍ବର ଅବ୍‍ଜେକ୍ଟିଭ୍‍ ଓ ୫୦ ନମ୍ବର ସବ୍‍ଜେକ୍ଟିଭ୍‍ ପ୍ରଶ୍ନରେ ପରୀକ୍ଷା ଦେଇଥିଲେ । ଆସିକା ହରିହର ହାଇସ୍କୁଲ ମାଟ୍ରିକ ପରୀକ୍ଷା ମୂଲ୍ୟାୟନ କେନ୍ଦ୍ରର ଅଧୀକ୍ଷକ ତଥା ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ ଓ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ମଦନ ବେହେରା କ୍ୟାମ୍ପ ଅଫିସର ଏବଂ ସହାୟକ ଭାବେ ସୁନିଲ୍‍ କୁମାର ସେଠୀଙ୍କ ସମେତ ଶିକ୍ଷା ବିଭାଗର ବହୁ ବରିଷ୍ଠ ପଦାଧିକାରୀ ନିୟୋଜିତ ଥିବା ଜଣାପଡିଛି । ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟାରେ କିପରି ସ୍ୱଚ୍ଛତା ରଖାଯାଇପାରିବ ସେଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ସର୍ବାଧିକ ଗୁରୁତ୍ୱ ଦେଇଥିବା ପରିଲକ୍ଷିତ ହୋଇଛି । ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା ବେଳେ ଆସନ୍ତା ମେ ମାସ ପ୍ରଥମ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଆସିକା ହରିହର ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଖାତା ଦେଖିବା ଲାଗି ୨୪୯ ଜଣ ଶିକ୍ଷକ ନିୟୋଜିତ କରାଯାଇଥିବା ବେଳେ ମୂଲ୍ୟାୟନକାରୀଙ୍କ ଲାଗି ଏକ ମୂଲ୍ୟାୟନ ପଦ୍ଧତି ପ୍ରସ୍ତୁତ ମଧ୍ୟ କରାଯାଇଛି । ମୂଲ୍ୟାୟନକାରୀମାନେ ଉକ୍ତ ପଦ୍ଧତି ଆଧାରରେ ଖାତା ଦେଖିବା ଲାଗି ପରାମର୍ଶ ଦିଆଯାଇଥିଲା ବେଳେ ମୂଲ୍ୟାୟନ ପରେ ପ୍ରତିଦିନ ଅନ୍‍ଲାଇନ୍‍ରେ ମାର୍କ ଗୁଡିକ ଅପଲୋଡ୍‍ କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ