ନିଘୋଡ ନିଦ୍ରାରେ ଆସିକା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ

ଆସିକା, (ୱାଇଏନ୍‍ଏସ୍‍):ଗ୍ରାମାଞ୍ଚଳରେ ବସବାସ କରୁଥିବା ସାଧାରଣଜନତା ଯେପରି ଅବିରତ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ ତାହାକୁ ଦୃଷ୍ଟିରେ ରଖି ସରକାର ରାଜକୋଷରୁ ବିଭିନ୍ନ ଯୋଜନାରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଓଭରହେଡ୍ ଟ୍ୟାଙ୍କ, ବୋରୱେଲ, ନଳକୂପ ସ୍ଥାପନ କରୁଥିଲେ ମଧ୍ୟ ଦାୟିତ୍ୱରେ ଥିବା କେତେକ ଅଧିକାରୀଙ୍କ ଦୂରଦୃଷ୍ଟିର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ପରିସରଭୁକ୍ତ ଅଧିକାଂଶ ଅଞ୍ଚଳରେ ବହୁ ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଅଚଳ ହୋଇ ରହିଥିଲେ ମଧ୍ୟ ସେଗୁଡିକୁ ମରାମତି କରିବା ଦିଗରେ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଂପ୍ରତିକ ପରିସ୍ଥିତିରେ କେତେକ ଗ୍ରାମର ସାହିବସ୍ତିର ବାସିନ୍ଦା ବିଶୁଦ୍ଧ ପାନୀୟ ଜଳ ସଂକଟରେ ପଡିଥିବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । ଆସିକା ବ୍ଳକ ଅଧୀନସ୍ଥ ଭେଟନଇ ଗ୍ରାମ ପଂଚାୟତର ୧୨ ନମ†ର ୱାର୍ଡର ଦାସନାପଲ୍ଲୀ ଗ୍ରାମର ବଡଦାଣ୍ଡ ସାହିରେ ଗତ କିଛି ଦିନ ହେଲା ବିଶୁଦ୍ଧ ପାନୀୟ ଜଳସଂକଟ ଦେଖାଦେଲାଣି । ଦୀର୍ଘ ଦିନ ହେଲା ବର୍ଷା ହୋଇନଥିବା ବେଳେ ଖରାର ପ୍ରକୋପ ଯୋଗୁଁ କୁଅପୋଖରୀ ଶୁଖିବାରେ ଲାଗିଲାଣି । ଯାହାରି ଫଳରେ ଅଧିକାଂଶ ଗ୍ରାମାଂଚଳର ସାଧାରଣ ଜନତା ବିଶୁଦ୍ଧ ପାନୀୟ ଜଳ ଟୋପାଏ ପାଇବା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମାଂଚଳର ନଳକୂପରୁ ଆବଶ୍ୟକ ପରିମାଣର ପାଣି ନିର୍ଗତ ହେଉନଥିବା ବେଳେ ଘରୋଇ ପାଇପଲାଇନ ଗୁଡିକରେ ଏକ ନିର୍ଦ୍ଦିଷ୍ଟ ସମୟରେ ପାଣି ଆସୁଥିବା ଯୋଗୁଁ ସାଧାରଣ ଜନତା ପାଣି ଟୋପାଏ ପାଇବା ପାଇଁ ଛଟପଟ ହେଉଥିବା ଅଭିଯୋଗ ହେଉଛି । ଆସିକା ବ୍ଳକ ଅଧିନସ୍ଥ ଭେଟନଇ ଗ୍ରାମ ପଂଚାୟତର ଦାସନାପଲ୍ଲୀ ଗ୍ରାମର ୧୨ ନମ୍ବର ୱାର୍ଡର ବଡଦାଣ୍ଡ ସାହିରେ ଥିବା ନଳକୂପଟି ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିଲେ ମଧ୍ୟ ତାହାକୁ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଅଚଳ ହୋଇପଡିଥିବା ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ଗୁଡିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ପ୍ରତ୍ୟେକ ଆର୍ôଥକ ବର୍ଷରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗକୁ ସରକାରୀ ଅନୁଦାନ ଆସୁଥିଲେ ମଧ୍ୟ ଉକ୍ତ ଅର୍ଥର କିପରି ସଦ୍‌ବିନିଯୋଗ ହେଉଛି ତାହାର ଏକ ନିରପେକ୍ଷ ତଦନ୍ତ ସାଂପ୍ରତିକ ପରିସ୍ଥିତିରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଆସିକା ବ୍ଳକ ପରିସରଭୁକ୍ତ ଅଞ୍ଚଳର ସାଧାରଣ ଜନତାଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଅଚଳ ହୋଇପଡିଥିବା ଷ୍ଟାଣ୍ଡପୋଷ୍ଟ ଓ ନଳକୂପ ଗୁଡିକୁ ମରାମତି କରିବା, ପାନୀୟ ଜଳ ଅଭାବ ଥିବା ଅଞ୍ଚଳ ଗୁଡିକୁ ଚିହ୍ନଟ କରି ଟ୍ୟାଙ୍କର ମାଧ୍ୟମରେ ପିଇବା ପାଣି ଯୋଗାଣ, ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଜଳଛତ୍ର ଖୋଲିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ପରିସରଭୁକ୍ତ କେତେକ ଗ୍ରାମାଂଚଳରେ ଗତ କିଛି ଦିନ ହେଲା ପାନୀୟ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ଆକାର ଧାରଣ କରି ଚାଲିଥିଲେ ମଧ୍ୟ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଭେଟନଇ ଗ୍ରାମ ପଂଚାୟତର ଦାସନାପଲ୍ଲୀ ଗ୍ରାମର ୧୨ ନମ୍ବର ୱାର୍ଡର ବଡଦାଣ୍ଡ ସାହିର ବହୁ ବ୍ୟକ୍ତି ନିଜ ଘରକୁ ଘରୋଇ ପାଇପ୍ ଲାଇନ୍ ସଂଯୋଗ ନେଇଥିବା ବେଳେ ସେହି ପାଇପ୍ ଲାଇନ୍‌ରୁ ଅବିରତ ପାନୀୟ ଜଳ ପାଇବା ନିର୍ଗତ ହେବା ତ ଦୂରର କଥା ରାସ୍ତାକଡ ନଳକୂପରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ପାଣି ଆସୁନଥିବା ଅଭିଯୋଗ ହେଉଥିବା ବେଳେ ଅଚଳ ନଳକୂପକୁ କାର୍ଯ୍ୟକ୍ଷମ କରିବା ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ମିଳିନଥିବାରୁ ସାହିବାସିନ୍ଦା କହିବୁ କାହାକୁ ଶୁଣିବ କିଏ ନୀତିରେ ଭାଗ୍ୟକୁ ଆଦରି ନୀରବ ରହିଯାଇଥିବା ବେଳେ ସମସ୍ୟାକୁ ସମାଧାନ କରିବା ଦିଗରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ନିଘୋଡ ନିଦ୍ରା କେବେ ଭାଙ୍ଗିବ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ବ୍ଳକ ଅନ୍ତର୍ଗତ ଭେଟନଇ ଗ୍ରାମ ପଂଚାୟତର ଦାସନାପଲ୍ଲୀ ଗ୍ରାମର ୧୨ ନମ୍ବର ୱାର୍ଡର ବଡଦାଣ୍ଡ ସାହିରେ ଅଚଳ ହୋଇପଡିଥିବା ନଳକୂପକୁ ସଚଳ କରିବା ପାଇଁ ଯୁବ ସମାଜସେବୀ ଟୁକୁନା ପରିଡା ଦୃଢ ଦାବୀ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ