ଆଜିଠୁ ଆରମ୍ଭ ହେଲା ପଂଚାୟତ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା
ଛତ୍ରପୁର, (ଦେବଦତ୍ତ ମହାରଣା) :ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ଆଜିଠାରୁ ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ସଭ୍ୟ, ୫୦୩ଟି ଗ୍ରାମ ପଂଚାୟତର ସରପଂଚ ଓ ସମିତିସଭ୍ୟ ଏବଂ ୭୦୯୯ ୱାର୍ଡ ମେମ୍ବର ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୨ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଜିଲ୍ଲାର ୨୨ଟି ବ୍ଲକର ମୋଟ ୨୪ ଲକ୍ଷ ୪୩ ହଜାର ୬୧୬ ଜଣ ଭୋଟର ଆଶାୟୀ ସରପଂଚ, ସମିତିସଭ୍ୟ ଓ ୱାର୍ଡ ମେମ୍ବର ପାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସମସ୍ତ ସରପଂଚ ଓ ୱାର୍ଡ ମେମ୍ବର ଆଶାୟୀ ପାର୍ଥୀ ମାନେ ନିଜ ନିଜ ପଂଚାୟତରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସମିତିସଭ୍ୟ ପାର୍ଥୀ ମାନେ ବ୍ଲକ କାର୍ଯ୍ୟାଳୟରେ ନିଜ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୬୯ ଜିଲ୍ଲା ପରିଷଦ ସଭ୍ୟ ଆସନ ନିମନ୍ତେ ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପାର୍ଥୀ ପତ୍ର ଦାଖଲ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଛି । ଏହି ପ୍ରକ୍ରିୟା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । କୋଭିଡ୍ କଟକଣା ଯୋଗୁଁ ଶୋଭାଯାତ୍ରା କୁ ବାରଣ କରାଯାଇଛି । ପାର୍ଥୀ, ପ୍ରସ୍ତାବକ ଓ ସମର୍ଥକ ମାନଙ୍କୁ ହିଁ ଅନୁମତି ରହିଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ବ୍ଲକର ୧୮ଟି ଗ୍ରାମ ପଂଚାୟତର ବିଭିନ୍ନ ପଦ ପଦବୀ ନିମନ୍ତେ ୭୦ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ୨ ଜଣ ସରପଂଚ ଓ ୩୪ ଜଣ ୱାର୍ଡ ମେମ୍ବର ପାର୍ଥୀ ନିଜ ନିଜ ପଂଚାୟତର ରିଟର୍ଣ୍ଣି ଅଫିସରଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଛତ୍ରପୁର ବ୍ଲକର ପୋଟ୍ଟଲାମପୁର ପଂଚାୟତର ସମିତିସଭୟ ପଦବୀ ନିମନ୍ତେ ପାର୍ଥୀ ରବିନ୍ଦ୍ର ନାହାକ ନାମାଙ୍କନ ପତ୍ର ବିଡିଓ ସାରଦା ପ୍ରସନ୍ନ ପଣ୍ଡାଙ୍କ ନିକଟରେ ଦାଖଲ କରିଛନ୍ତି ।


