ଆଜିଠୁ ଆସିକାରେ ଆରମ୍ଭ ହେବ ପ୍ରସିଦ୍ଧ ଦଣ୍ଡଯାତ୍ରା

ଆସିକା, (ୱାଇଏନ୍‍ଏସ୍‍):ଆସନ୍ତାକାଲି ଅର୍ଥାତ୍‍ ଏପ୍ରିଲ ମାସ ୧ ତାରିଖରୁ ଆସିକାରେ ଆରମ୍ଭ ହେବାକୁ ଯାଉଛି ନିଷ୍ଠା ଓ ଭକ୍ତିର ନିଦର୍ଶନର ପର୍ବ ୧୩ ଦିନିଆ ପ୍ରସିଦ୍ଧ ଦଣ୍ଡଯାତ୍ରା । ଏଥିପାଇଁ ଆସିକା, କାଳଷଣ୍ଢପୁର, ଚିନିଶିଳ୍ପ ନୁଆଗାଁ, ଖାରିଆ ତଥା ଏହାର ଆଖପାଖ ଗ୍ରାମାଞ୍ଚଳର ଅଧିକାଂଶ ଦଳ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି । ଆସିକାର ପ୍ରସିଦ୍ଧ ଦଣଯାତ୍ରା ଆରମ୍ଭ ହେବା ପରେ ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ଆଧ୍ୟାତ୍ମିକମୟ ପରିବେଶମୟ ସୃଷ୍ଟି ହେବ । ଦକ୍ଷିଣ ଓଡିଶାର ପାରମ୍ପରିକ ଦଣ୍ଡଯାତ୍ରା ଗତ ୨୫ ତାରିଖ ଠାରୁ ପର୍ଯ୍ୟାୟକ୍ରମେ ଆରମ୍ଭ ହୋଇସାରିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତମାନେ ନିଷ୍ଠାର ସହ ଦଣ୍ଡଯାତ୍ରା ପର୍ବ ପାଳନ କରିବେ । ଦଣ୍ଡୁଆମାନେ ମାନସିକଧାରୀ ଶ୍ରଦ୍ଧାଳୁ ଭକ୍ତଙ୍କ ଘର ସମ୍ମୁଖରେ ଅପରାହ୍ନରେ ଧୁଳିଦଣ୍ଡ ସାରିବା ପରେ ନଦୀ କିମ୍ବା ପୋଖରୀରେ ପାଣିଦଣ୍ଡ କରିବାର ବିଧି ରହିଛି । କିନ୍ତୁ ଆସିକା ସହରର ଦୁଇ ପାଶ୍ୱର୍ରେ ପ୍ରବାହିତ ହେଉଥିବା ଋଷିକୁଲ୍ୟା ଓ ବଡନଦୀ ଶୁଖିଲା ପଡିଥିବା ଯୋଗୁଁ ପାଣିଦଣ୍ଡ ବେଳେ ସ୍ନାନକାର୍ଯ୍ୟ କିପରି ସାରିବେ ସେଥିପାଇଁ ଅଧିକାଂଶ ଦଣ୍ଡଦଳର ଦଣ୍ଡୁଆମାନେ ବର୍ତ୍ତମାନ ଠାରୁ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି । ଆସିକା ସହର ମଧ୍ୟରେ ଥିବା ଲଛମନପଲ୍ଲୀ, ପାକଲାପଲ୍ଲୀ, ତାଲୁକାରୋଡ ପାଶ୍ୱର୍ ସମେତ ହାତଗଣତି କେତୋଟି ପୋଖରୀକୁ ଛାଡିଦେଲେ ଅଧିକାଂଶ ପୋଖରୀର ଅବସ୍ଥା ଭଲ ନାହିଁ । ଆସିକା ଏନ୍‍ଏସି ଅଧିନସ୍ଥ ୧୪ ନମ୍ବର ୱାର୍ଡର ନିରଂଜନ ନଗର ଓ ୧୫ ନମ୍ବର ୱାର୍ଡର ଆର୍ବନ ବ୍ୟାଙ୍କ ରୋଡର ପଛପଟେ ଥିବା ଜୋକବନ୍ଧ ଦଳ, ଆବର୍ଜନା ଓ ଲଟାବୁଦାରେ ପରିପୂର୍ଣ୍ଣ ହୋଇରହିଛି । ଏଭଳି ସ୍ଥିତିରେ ଟାଇଁ ଟାଇଁ ଖରାରେ ମାନସିକଧାରୀ ଦଣ୍ଡୁଆଙ୍କ ସ୍ନାନାଦି କର୍ମ ସଂପାଦନ ବାଧାପ୍ରାପ୍ତ ହେବ ବୋଲି ଆଲୋଚିତ ହେଉଛି । ଜଗତ୍‍ଜନନୀ, ଶକ୍ତିପ୍ରଦାୟନୀ, ଅଭୟଦାୟିନୀ, ମଙ୍ଗଳପ୍ରଦାୟନୀ ମା ମହାମାୟୀ କାଳୀଙ୍କ ଦଣ୍ଡଯାତ୍ରା ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ବେଳେ ମାନସିକଧାରୀ ଭକ୍ତ ଓ ଦଣ୍ଡୁଆଙ୍କ ସ୍ନାନ ସୁବିଧା ଲାଗି ଋଷିକୁଲ୍ୟା ଓ ବଡନଦୀରେ ଜଳାଧାର ସୃଷ୍ଟି କରିବା ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ