ଆଜିଠୁ ମହିଳା ଟି-୨୦ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ମହିଳା ଟି-୨୦ ଚ୍ୟାଲେଞ୍ଜ କ୍ରିକେଟ୍‌ ପ୍ରତି‌ଯୋଗିତାର ତୃତୀୟ ସଂସ୍କରଣ ବୁଧବାରଠୁ ସାର୍‌ଜାରେ ଅନୁଷ୍ଠିତ ହେବ। ତିନି ଦଳୀୟ ଏହି ପ୍ରତିଯୋଗିତାରେ ଭାରତ ସହ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟ୍‌ଇଣ୍ଡିଜ୍‌, ଶ୍ରୀଲଙ୍କା, ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଥାଇଲାଣ୍ଡର ତାରକା ଖେଳାଳିମାନେ ଅଂଶଗ୍ରହଣ କରିବେ। ପ୍ରତି ଦଳରେ ୧୫ ଜଣ ଲେଖାଏଁ ଖେଳାଳି ରହିଥିଲା ବେଳେ ସେଥିରେ ୪ ଜଣ ଲେଖାଏଁ ବିଦେଶୀ ଖେଳାଳିଙ୍କୁ ସାମିଲ କରାଯାଇଛି। ଫଳରେ ୩ ଦଳର ମୋଟ ୪୫ ଖେଳାଳିଙ୍କ ମଧ୍ୟରେ ୧୨ ବିଦେଶୀ ରହିଛନ୍ତି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ପ୍ରତିଯୋଗିତାର ଫାଇନାଲ୍‌ ୯ ତାରିଖରେ ଖେଳାଯିବ। ଏହା ପୂର୍ବରୁ ବିଜେତା ସୁପରନୋଭାସ, ଉପବିଜେତା ଭେଲୋସିଟି ଓ ଟ୍ରେଲବ୍ଲେଜର୍ସ ନିଜ ମଧ୍ୟରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିବେ। ପଏଣ୍ଟ ଟେବୁଲର ଶ୍ରେଷ୍ଠ ଦୁଇ ଦଳ ଟ୍ରଫି ଲ‌ଢ଼େଇରେ ଅବତୀର୍ଣ୍ଣ ହେବେ। ହରମନପ୍ରୀତ କୌରଙ୍କ ନେତୃତ୍ବରେ ଖେଳୁଥିବା ସୁପରନୋଭାସ ଗତ ଦୁଇ ସଂସ୍କରଣରେ ବିଜେତା ଟ୍ରଫି କରାୟତ୍ତ କରିଥିଲା। ଚଳିତ ଥର ମଧ୍ୟ ଏହି ଦଳ ଟ୍ରଫି ହାତେଇ ହ୍ୟାଟ୍ରିକ୍‌ କରିବା ଲକ୍ଷ୍ୟରେ ଲଢ଼େଇକୁ ଓହ୍ଲାଇବ। ଏହି ଦଳ ବୁଧବାର ଉଦ୍‌ଘାଟନୀ ମୁକାବିଲାରେ ମିତାଲି ରାଜଙ୍କ ନେତୃତ୍ବାଧୀନ ଭେଲୋସିଟିକୁ ଭେଟିବ। ଗୁରୁବାର ଭେଲୋସିଟିକୁ ଭେଟିବ ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ। ଶନିବାର ଶେଷ ଲିଗ୍‌ ମ୍ୟାଚ୍‌ ସୁପରନୋଭାସ ଓ ଟ୍ରେଲବ୍ଲେଜର୍ସ ମଧ୍ୟରେ ଖେଳାଯିବ। ପ୍ରତ୍ୟେକ ମ୍ୟାଚ୍‌ ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯିବାକୁ ଥିଲା ବେଳେ ଭାରତୀୟ ସମୟ ରାତି ୭.୩୦ରେ ଆରମ୍ଭ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶା ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ଭେଲୋସିଟି ଦଳରେ ସାମିଲ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ