ଆଜି ପୃଥିବୀ ପାର୍ଶ୍ୱ ଦେଇ ଅତିକ୍ରମ କରିବ ବୁର୍ଜ ଖଲିଫା ଆକାରର ବିରାଟ ଗ୍ରହାଣୁ

ନୂଆଦିଲ୍ଲୀ: ନଭଶ୍ଚୁମ୍ବୀ ଅଟ୍ଟାଳିକା ‘ବୁର୍ଜ ଖଲିଫା’ ଠାରୁ ବଡ଼ ଏକ ଗ୍ରହାଣୁ ଆଜି ପୃଥିବୀ ପାର୍ଶ୍ୱ ଦେଇ ଅତିକ୍ରମ କରିବ ବୋଲି ‘ନ୍ୟାସ୍‌ନାଲ୍‌ ଏରୋନଟିକ୍ସ୍‍ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌’ର (ନାସା) ବୈଜ୍ଞାନିକମାନେ କହିଛନ୍ତି। ୮୦୦ ମିଟର ଉଚ୍ଚ ଓ ୫୦୦ ମିଟରରୁ ଅଧିକ ଓସାରବିଶିଷ୍ଟ (୧୫୩୨୦୧) ୨୦୦୦ ଡବ୍ଲୁଓ୧୦୭ ନାମକ ଏହି ଗ୍ରହାଣୁ ନଭେମ୍ବର ୨୯ ତାରିଖ ସକାଳ ୧୦. ୩୮ ମିନିଟ୍‌ ସମୟରେ ପୃଥିବୀର ଅତି ନିକଟତର ହେବ ବୋଲି ସେମାନେ କହିଥିଲେ । ୨୦୦୦ ମସିହାରେ ଆବିଷ୍କୃତ ହୋଇଥିବା ୨୦୦୦ ଡବ୍ଲୁଓ୧୦୭ ନାମକ ଏହି ଗ୍ରହାଣୁର ବ୍ୟାସ ୮୨୦ ମିଟର। ଏହି ପ୍ରକାଣ୍ଡ ଗ୍ରହାଣୁକୁ ‘ନିୟର୍‌ ଆର୍ଥ ଆଷ୍ଟ୍ରଏଡ୍‌’ (ଏନ୍‌ଇଏ) ବା ‘ପୃଥିବୀ ନିକଟ ଗ୍ରହାଣୁ’ ଶ୍ରେଣୀଭୁକ୍ତ କରାଯାଇଛି। ‘ଏନ୍‌ଇଏ’ ହେଉଛି ନିକଟବର୍ତ୍ତୀ ଗ୍ରହମାନଙ୍କର ମାଧ୍ୟାକର୍ଷଣ ଶକ୍ତି ବଳରେ କକ୍ଷପଥ ମଧ୍ୟକୁ ଟାଣି ହୋଇ ଆସୁଥିବା ପୁଞ୍ଜାଏ ଧୂମକେତୁ ଓ ଗ୍ରହାଣୁ। ଏଥିଯୋଗୁଁ ସେଗୁଡ଼ିକ ପୃଥିବୀ ପାଖକୁ ଚାଲି ଆସନ୍ତି । ଏହି ଗ୍ରହାଣୁ ପୃଥିବୀର ଅତି ନିକଟତର ହେବା ଅବସ୍ଥାରେ ମଧ୍ୟ ୪୩ ଲକ୍ଷ କିଲୋମିଟର ଦୂରରେ ଥିବ। ଏହି ଦୂରତ୍ୱ ପୃଥିବୀ ଓ ଚନ୍ଦ୍ର ମଧ୍ୟରେ ଥିବା ଦୂରତ୍ୱ ଠାରୁ ମଧ୍ୟ ଅଧିକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ