ଆଜି ବିଶ୍ୱ ଜନସଂଖ୍ୟା ଦିବସ
(ଯୁଗାବ୍ଦ ନ୍ୟୁଜ) ସମଗ୍ର ବିଶ୍ୱରେ ଦିନକୁ ଦିନ ବୃଦ୍ଧି ପାଉଥିବ ଜନସଂଖ୍ୟା ଚିନ୍ତାର ବିଷୟ ପାଲଟିଥିବାବେଳେ ଏହାକୁ ନିୟନ୍ତଚ୍ଣକୁ ଆଣିବା ପାଇଁ ସଚେତନ କରାଯାଉଛି । ସଚେତନତା ସୃଷ୍ଟି କରିବା ପାଇଁ ସାରା ବିଶ୍ୱରେ ପ୍ରତିବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଏ । ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଇବା ଫଳରେ ସମାଜ କିପରି କ୍ଷତିଗ୍ରସ୍ଥ ହେବାରେ ଲାଗିଛି ସେ ନେଇ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ମାନବ ସମାଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ବୁଝାଇବା ପାଇଁ ୧୯୮୯ ମସିହାରେ ପ୍ରଥମ ଥର ପାଇଁ ସଂଯୁକ୍ତ ରଷ୍ଟ୍ରସଂଘ ପକ୍ଷରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଆରମ୍ଭ କରାଯାଇଥିଲା । ୟୁ.ଏନ.ଏର ଏକ ରିପୋର୍ଟ ଅନୁଯାୟୀ, ଆଗାମୀ ୮ ବର୍ଷ ମଧ୍ୟରେ ଭାରତ ଚୀନକୁ ଜନସଂଖ୍ୟାରେ ପଛରେ ପକାଇ ବିଶ୍ୱରେ ବୃହତ୍ତ ଜନସଂଖ୍ୟା ବିଶିଷ୍ଟ ରଷ୍ଟ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ୨୦୧୮ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଅବସରରେ ରହିଥିବା ବିଷୟଗୁଡିକ ମଧ୍ୟରେ ‘ପାରିବାରିକ ଯୋଜନା ଏକ ମାନବିକ ଅଧିକାର ’ ବୋଲି ରହିଥିଲା । ଜନସଂଖ୍ୟା ବୃଦ୍ଧି ପାଇବା ଦ୍ୱାରା ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସହ ଶିକ୍ଷା , ସ୍ୱାସ୍ଥ୍ୟ , ଖାଦ୍ୟ ଓ କର୍ମ ନିୟୋଜନ କ୍ଷେତ୍ରରେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ । ତେଣୁ ଜନସଂଖ୍ୟା ବୃଦ୍ଧିକୁ ରୋକିବା ନିୟନ୍ତ୍ରଣ କରିବା ସହ ସଚେତନ ହୋଇପାରିଲେ ଆଗାମୀ ପିଢିଙ୍କୁ ସମସ୍ୟା ମଧ୍ୟରେ ଗତି କରିବାକତୁ ପଡିବ ନାହିଁ ବୋଲି ଅନୁମାନ କରାଯାଉଛି । ଗତ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତର ଜନସଂଖ୍ୟା ଯେଉଁଭଳି ଭାବେ ଦୃତ ଗତିରେ ବ୍ରୁଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାଜନକ ହୋଇପଡିଥିବା ବେଳେ ମାନବ ସମାଜ ପାଇଁ ଉଦବେଗର ବିଷୟ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ସରକାରଙ୍କ ପକ୍ଷରୁ ବହୁଳ ମାତ୍ରାରେ ସଚେତନତା ସୃଷ୍ଟି କରିବା ସହ ପରିବାର ନିୟନ୍ତ୍ରଣ ପାଇଁ ବହୁ ବିଧି ଯୋଜନା ପ୍ରଣୟନ କରି କଠୋର ଆଇନ ବ୍ୟବସ୍ଥା କରାଗଲେ କିଛି ମାତ୍ରାରେ ଜନସଂଖ୍ୟା ବୃଦ୍ଧି ନିୟନ୍ତ୍ରଣ ହୋଇପାରିବ ବୋଲି ଆଲୋଚନା ହେଉଛି । ୨୦୧୧ ଜନଗଣନା ଅନୁଯାୟୀ ଭାରତର ଜନସଂଖ୍ୟା ୧୨୧ କୋଟି ୧୯୩ ଲକ୍ଷ ୪୨୨ ରହିଥିବା ବେଳେ ଭାରତର ଉତ୍ତରପ୍ରଦେଶରେ ସର୍ବାଧିକ ଜନସଂଖ୍ୟା ୧୯କୋଟି ୯୮ ଲକ୍ଷ ୧୨ହଜାର ୩୪୧ ଥିବାବେଳେ ସିକିମରେ ସର୍ବନିମ୍ନ ଜନସଂଖ୍ୟା ୬ଲକ୍ଷ ୧୦ହଜାର ୫୭୬ ରହିଥିଲା । ସେହିପରି ୨୦୦୧ ମସିହା ଜନଗଣନାନୁସାରେ ଭାରତର ଜନସଂଖ୍ୟା ୧୦୨ କୋଟି ୮୭ ଲକ୍ଷ ୩୭ ହଜାର ୪୩୬ ଥିବାବେଳେ ୧୯୯୧ ମସିହାରେ ୮୩ କୋଟି ୮୫ଲକ୍ଷ ୮୩ ହଜାର ୯୮୮ ରହିଥିଲା । ତେବେ ଦେଶରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ହୋଇପଡିଛି