ଆଜି ଭାଲେଣ୍ଟାଇନ୍ ଡ଼େ’ ପ୍ରକୃତି ପ୍ରେମରେ କୁନି ଚିତ୍ରଶିଳ୍ପୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ଭାଲେଣ୍ଟାଇନ୍ ଡେ’, ପ୍ରେମ ଦିବସ । ଅର୍ଥାତ୍ ପ୍ରେମ ପାଇଁ ଦିନଟିଏ । ପ୍ରେମର ସ୍ମୃତିରେ ସାରା ବିଶ୍ୱ ପାଳନ କରୁଛି ଏହି ଦିବସ । ପ୍ରେମକୁ ନେଇ କେତେ କଥା, ପ୍ରେମ ଯେ କେବଳ ପ୍ରେମିକ, ପ୍ରେମିକା, ସ୍ୱାମୀ-ସ୍ତ୍ରୀ, ଗାର୍ଲଫ୍ରେଣ୍ଡ ମଧ୍ୟରେ ସୀମିତ ହୋଇ ରହିନାହିଁ । ଭାଲେଣ୍ଟାଇନ୍ ଡେ’କୁ ଏବେ ଭିନ୍ନ ଶୈଳୀରେ କିଛି ଯୁବବର୍ଗ ପାଳନ କରୁଥିବାର ସାମ୍ନାକୁ ଆସିଛି । ଆଜିର ଦିନଟିରେ ଯୁବ ସମାଜ ଅଧିକ ଚଳଚଞ୍ଚଳ ଓ ଉତ୍ସାହିତ । କିଏ ଉକ୍ତ ଦିବସଟିରେ ରକ୍ତଦାନ, ବୃକ୍ଷରୋପଣ କରି ତ ଆଉ କେହି ଜରାଶ୍ରମ, ଅନାଥ ଆଶ୍ରମ, ବୀର ଯବାନମାନଙ୍କ ଗହଣରେ ନିଜକୁ ସାମିଲ କରି ବିଭିନ୍ନ ସାମାଜିକ କାର୍ଯ୍ୟ କରି ପ୍ରେମ ଓ ଭଲପାଇବା ବାଣ୍ଟି ଚାଲିଥିବା ବେଳେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୮ବର୍ଷର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ପ୍ରେମ ଦିବସଟିକୁ ନିଆରା ଢ଼ଙ୍ଗରେ ପାଳି ସାରା ବିଶ୍ୱକୁ ଦେଇଛନ୍ତି ପ୍ରକୃତି ପ୍ରେମର ବଳିଷ୍ଠ ବାର୍ତ୍ତା । ରଙ୍ଗ, ତୂଳୀରେ କାଗଜ ଉପରେ ଆଙ୍କିଛନ୍ତି ଏକ ଆକର୍ଷଣୀୟ ହାର୍ଟ ଟ୍ରି । ଶାନ୍ତନୁ ଏ ସମ୍ପର୍କରେ କୁହନ୍ତି ହୃଦୟର ସହ ପ୍ରକୃତିକୁ ପ୍ରେମ କର । ପ୍ରକୃତି ରହିଲେ ସଭିଏଁ ବଞ୍ôଚବା । ପ୍ରେମ ବି ବଞ୍ôଚବ । ଭାଲେଣ୍ଟାଇନ୍ ଡେ’ର ମହତ୍ୱ ଚିରଦିନ ପାଇଁ ରହିବ । ଉକ୍ତ ଦିବସରେ ନିଜର ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ପ୍ରତ୍ୟେକ ମଣିଷ ଗଛଟିଏ ଲଗାନ୍ତୁ ଏବଂ ନିଜର ପ୍ରିୟଜନଙ୍କୁ ଗଛଟିଏ ଉପହାର ଦେବା ପାଇଁ ଶାନ୍ତନୁ ନିବେଦନ କରିଛନ୍ତି । ଶାନ୍ତନୁଙ୍କ ଏହି ଚିନ୍ତାଧାରାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଶାନ୍ତନୁ ଭୁବନେଶ୍ୱର ଭୀମଟାଙ୍ଗି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩ୟ ଶ୍ରେଣୀରେ ଅଧ୍ୟୟନ କରୁଥିବାର ଜଣାପଡ଼ିଛି


