ଆଡାକ୍ସ
ଆଡାକ୍ସ ହେଉଛି ଏକ ବିଲୁପ୍ତ ପ୍ରାୟ ପ୍ରାଣୀ ଏମାନେ ଏକ ପ୍ରଜାତିର କୃଷ୍ଣସାର ମୃଗ । ସାହାରା ମରୁଭୂମି ଅଞ୍ଚଳରେ ବସବାସ କରନ୍ତି । ଆକାର (ଭୂପୃଷ୍ଠରୁ କାନ୍ଧ ପର୍ଯ୍ୟନ୍ତ ଉଚ୍ଚତା) ୧୦୫ରୁ ୧୧୫ ସେମି । ମାଈ ମୃଗ ସାମାନ୍ୟ ଛୋଟ । ଏମାନଙ୍କ ଆକାର ୮୫ରୁ ୧୧୦ ସେମି । ତେବେ ଏମାନଙ୍କ ମୁଣ୍ଡରେ ଦୁଇଟି ବଡ ଶିଙ୍ଗ ରହିଛି । ଏହାର ଆକାର ପ୍ରାୟ ୭୦ରୁ ୮୫ ସେମି । ଏହି ଶିଙ୍ଗ ମୋଡା ମୋଡା ହୋଇଥିବାର ଦେଖିବାକୁ ମିଳେ । ଏମାନଙ୍କ ରଙ୍ଗ ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ହୋଇଥାଏ । ଶୀତଋତୁରେ ଧୂସର ବାଦାମୀ ରଙ୍ଗ ହୋଇଥିବା ବେଳେ ଗୋଡରେ ଧଳା ଚିହ୍ନ ଦେଖିବାକୁ ମିଳେ । ମୁଣ୍ଡ, ବେକ ଓ କାନ୍ଧରେ ମାଟିଆ ଲୋକ ରହିଥାଏ । ଗ୍ରୀଷ୍ଣଋତୁରେ ଶରୀରର ରଙ୍ଗ ଧଳା ଦେଖାଯାଇଥାଏ । ଅନ୍ୟ ପ୍ରଜାତିର କୃଷ୍ଣସାର ଭଳି ଏମାନେ ତୃଣଭୋଜୀ । ବିଭିନ୍ନ ପ୍ରକାର ଘାସ, ଲତାପତ୍ର ଆଦି ଆହାର କରନ୍ତି । ମରୁଭୂମିରେ ରହିବାର ଅଭ୍ୟାସ ଏମାନଙ୍କର ରହିଛି । ବିନା ପାଣିରେ ଏମାନେ ବହୁ ସମୟ ପର୍ଯ୍ୟନ୍ତ ରହିପାରନ୍ତି । ଏମାନେ ଦଳବଦ୍ଧ ହୋଇ ବାସ କରନ୍ତି । ଗୋଟିଏ ଦଳରେ ୫ରୁ ୨୦ଟି କୃଷ୍ଣସାର ରହିଥାନ୍ତି । ସେଥିରେ ଉଭୟ ମାଈ ଓ ଅଣ୍ଡିରା ଆଡାକ୍ସ ରହିଥାନ୍ତି । ଏମାନେ ଦ୍ରୁତଗତିରେ ଯାଇପାରନ୍ତି ନାହିଁ । ଫଳରେ ମଣିଷ କିମ୍ବା ବାଘ, ସିଂହ, ଚିତା ଓ ବଣୁଆ କୁକୁର ଭଳି ହିଂସ୍ର ଜନ୍ତୁମାନେ ସହଜରେ ଏମାନଙ୍କୁ ଶିକାର କରନ୍ତି । ଏହି ପ୍ରଜାତିର ମୃଗଙ୍କ ପ୍ରଜନନ ସମୟ ପ୍ରାୟତଃ ଶୀତଋତୁ । ଏମାନେ ପ୍ରାୟ ୧୯ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରନ୍ତି । ତେବେ ଗୃହପାଳିତ ଭାବେ ରହିଥିବା କେତେକ ଆଡାକ୍ସ ପ୍ରାୟ ୨୫ ବର୍ଷ ପର୍ଯ୍ୟନ୍ତ ବଞ୍ଚୁଥିବା ଜଣାପଡିଛି । ଆଡାକ୍ସ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଏହାକୁ ଇଣ୍ଟରନ୍ୟାଶନାଲ ୟୁନିୟନ ଫର କନଜରଭେଶନ୍ ଅଫ୍ ନେଚର୍ (ଆଇୟୁସିଏନ୍) ପକ୍ଷରୁ ତାଲିକାଭୁକ୍ତ କରାଯାଇଛି । ଏମାନେ ସାଧାରଣତଃ ଜଙ୍ଗଲିଆ ଅଞ୍ଚଳ ଓ ମରୁଭୂମିରେ ରହିଥାନ୍ତି । ଗୃହପାଳିତ ଭାବେ ଖୁବ୍ କମ୍ ସଂଖ୍ୟକ ମୃଗ ରହିଥିବା ଜଣାଯାଏ । ବ୍ୟାପକ ଶିକାର ହିଁ ଏମାନଙ୍କ ସଂଖ୍ୟା ହ୍ରାସର ପ୍ରମୁଖ କାରଣ । ଏକଦା ଉତ୍ତର ଆଫ୍ରିକା, ଚାଦ, ମରିଟାନିଆ ଓ ନାଇଜର ଆଦି ଅଞ୍ଚଳରେ ଏହି ପ୍ରାଣୀ ବହୁଳ ଭାବେ ଦେଖିବାକୁ ମିଳୁଥିଲା ।